ଶିଶୁ ଅଧିକାର ସୁରକ୍ଷା ପାଇଁ ବିଧାୟକମାନଙ୍କୁ “ଚାର୍ଟର ଅଫ୍ ଡିମାଣ୍ଡସ୍” ଉପସ୍ଥାପନ : ଶିଶୁ ସମସ୍ୟା ସମାଧାନ ପାଇଁ ବାଚସ୍ପତିଙ୍କ ପ୍ରତିଶ୍ରୃତି

169

ଭୁବନେଶ୍ୱର : ୟୁନିସେଫ ମାଧ୍ୟମରେ ଶିଶୁ ପ୍ରତିନିଧି ମଣ୍ଡଳୀ ଓଡ଼ିଶା ବିଧାନସଭା ସଦସ୍ୟ ମାନଙ୍କୁ ଏକ “ଚାର୍ଟର ଅଫ୍ ଡିମାଣ୍ଡସ୍” ପ୍ରଦାନ କରିଛନ୍ତି । ଭୁବନେଶ୍ୱର ଠାରେ ୟୁନିସେଫ୍ ଦ୍ୱାରା ଆୟୋଜିତ ଏବଂ ଗ୍ଲୋବାଲ ପଲିସି ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା ସଙ୍ଗଠିତ ଏହି ପାରସ୍ପରିକ କଥାବାର୍ତାରେ ବିଶେଷତଃ ତୃଣମୁଳ ସ୍ତରରେ ଶିଶୁମାନଙ୍କର ଅଗ୍ରଗତିକୁ ତ୍ୱରାନ୍ନିତ କରିବା ପାଇଁ ଓଡ଼ିଶାର ବିଧାୟକମାନଙ୍କ ସହ ସହଭାଗିତା ଉପରେ ଗୁରୁତ୍ୱାରୋପ କରାଯାଇଛି ।

ୟୁନିସେଫ୍ ଫିଲ୍ଡ ଅଫିସ ମୁଖ୍ୟ ଡ଼ଃ ମୋନିକା ନିଲସେନ ବିଧାୟକମାନେ ନୀତି ନିର୍ମାତା ଭାବେ ସେମାନଙ୍କ କଲ୍ୟାଣ ପାଇଁ ନିର୍ଦ୍ଦିଷ୍ଟ ଓ ସମୟୋଚିତ ପଦକ୍ଷେପ ନେଉଥିବାରୁ ବିଧାୟକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଏହି ସମାବେଶରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଜ୍ୟର ପ୍ରଗତିରେ ଶିଶୁମାନଙ୍କର ଅଧିକାର ସମାଧାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ । ଉଭୟ ଗ୍ରାମାଂଚଳ ଓ ସହରାଂଚଳର ଶିଶୁମାନଙ୍କ ସାମଗ୍ରିକ ଉନ୍ନତି ସରକାରଙ୍କ ଲକ୍ଷ୍ୟ ହେବା ଉଚିତ୍ ଏବଂ ସରକାରୀ ଯୋଜନା ବହୁ ସଂଖ୍ୟକ ଶିଶୁଙ୍କୁ ଉପକୃତ କରୁଥିବା ସେ କହିଛନ୍ତି । ତଥାପି ସେମାନଙ୍କ ପାଇଁ ଆହୁରି ଅଧିକ କଣ କରାଯାଇପାରିବ ସେ ସମ୍ପର୍କରେ ବିଧାନସଭା ଦ୍ୱାରା ନିର୍ଦ୍ଦିଷ୍ଟ ଆଇନ ପ୍ରଣୟନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଶିଶୁମାମନଙ୍କ ମତାମତ ଆଧାରରେ ଶିଶୁ ଅଧିକାର ଉପଯୋଗୀ ଆଇନ ପ୍ରଣୟନ କରିବାର ଆବଶ୍ୟକତାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି । ଶିଶୁ ଅଧିକାର ଜନିତ ବିଭିନ୍ନ ସମସ୍ୟା ବିଶେଷ କରି ଶିଶୁ ଶ୍ରମିକ ପ୍ରଥା ଏବଂ ବାଲ୍ୟ ବିବାହ ନିଷେଧ ତଥା ଶିଶୁଙ୍କ ପାଇଁ ଶିକ୍ଷା ଅଧିକାର ସୁନିଶ୍ଚିତ କରିବାକୁ ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ ମତ ଦେଇଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଶିଶୁମାନଙ୍କ ସମସ୍ୟା ବିଧାନସଭାରେ ଯଥାଯଥ ଭାବେ ପ୍ରତିନିଧିତ୍ୱ ହେବା ପାଇଁ ପ୍ରତିଶ୍ରୃତି ଦେଇଶିଶୁମାନଙ୍କର ଆବଶ୍ୟକତାର ଯତ୍ନ ନେବା ପ୍ରତ୍ୟେକ ରାଜନୈତିକ ଦଳର ଦାୟିତ୍ୱ ବୋଲି କହିଛନ୍ତି । ବିଶେଷତଃ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ବିଦ୍ୟାଳୟଗୁଡିକରେ ପାନୀୟ ଜଳ ସୁବିଧା ଯୋଗାଇ ଦେବା, ଉପଯୁକ୍ତ ଭିତିଭୂମି ସୁନିଶ୍ଚିତ କରିବା ଏବଂ ବାଳକ ଓ ବାଳିକାମାନଙ୍କ ପାଇଁ ପୃଥକ ଶୌଚାଳୟ ନିର୍ମାଣ କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି । ବିଧାୟକମାନଙ୍କ ସହ ଆଲୋଚନାରେ ଉପସ୍ଥିତ ଶିଶୁମାନେ ସେମାନଙ୍କ ବିଦ୍ୟାଳୟ ଶିକ୍ଷା, ଅନଲାଇନ୍ କ୍ଲାସ, ଲିଙ୍ଗଗତ ସମାନତା, ବାଲ୍ୟ ବିବାହ ଲୋପ ଏବଂ ଶିଶୁ ଶ୍ରମିକ ନିରୋଧ ଉପରେ ବିଧାୟକମାନଙ୍କୁ ପ୍ରଶ୍ନ କରିଥିଲେ । ଶିଶୁମାନଙ୍କ ସହ ଆୟୋଜିତ ଭାବବିନିମୟ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶଶି ଭୂଷଣ ବେହେରା, ଲତିକା ପ୍ରଧାନ, ଉଷା ଦେବୀ, ସୀମାରାଣୀ ନାୟକ, ସୂର୍ଯ୍ୟମଣି ବୈଦ୍ୟ, ରୀତା ସାହୁ, ସୁନନ୍ଦା ଦାସ, ମଞ୍ଜୁଳା ସ୍ୱାଇଁ, ମିନାକ୍ଷୀ ମହନ୍ତ, ବାସନ୍ତୀ ହେମ୍ୱ୍ରମ, ମୁକେଶ ମହାଲିଙ୍ଗ, ସୁକାନ୍ତ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.