ପାରଳାଖେମୁଣ୍ଡି,୨୬ା୧୨ : ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ରାଇଟ୍ ହ୍ୟାଣ୍ଡ ଭାବେ ପରିଚିତ ତଥା ମାଓ ଶିବିରକୁ ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାପରେ ପୁଣି ଜଣେ ପାଷ୍ଟରଙ୍କୁ ଜଘନ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ପ୍ରୋମଦ ଓରଫ ସାଗର ଗଜପତି ଜିଲ୍ଲା ପୋଲିସ ଦ୍ୱାରା ଗତକାଲି ଗିରଫ ହୋଇଛନ୍ତି । ଏହି ଜିଲ୍ଲାର ଅଡବା ଥାନା ଅନ୍ତର୍ଗତ ଜାଡିଙ୍ଗ ଗ୍ରାମରୁ ସାଗରଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ନିକଟରୁ ଏକ ଏକେ୪୭ ବନ୍ଧୁକ, ୨୮ରାଉଣ୍ଡ ଗୁଳି ଓ ଦୁଇଟି ମାଗାଜିନ ଜବତ କରାଯାଇଛି । ଗଜପତି ଜିଲ୍ଲାର ମୋହନା ବ୍ଲକ ଅଡବା ଥାନା ପରିସରରେ ଥିବା ଜାଡିଙ୍ଗ ଗ୍ରାମର ପ୍ରମୋଦ ମାଝୀ ଓରଫ ସାଗର (୩୨) ପୂର୍ବରୁ ମାଓ ସଂଗଠନରେ ରହିଥିଲେ । ସେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଅତ୍ୟନ୍ତ ସହଯୋଗୀ ବା ରାଇଟ ହ୍ୟାଣ୍ଡ ଭାବେ କାର୍ଯ୍ୟକରି ଆସୁଥିଲେ । ପରେ ସେ ଗଜପତି ପୋଲିସ ପାଖରେ ଆତ୍ମ ସମର୍ପଣ କରି ନିଜ ଗ୍ରାମରେ ଜଣେ ସାଧାରଣ ମନୁଷ୍ୟ ଭାବେ ଜୀବନଯାପନ କରି ଆସୁଥିଲେ । ହେଲେ ଗତ ଫେବୃୟାରୀ ମାସ ୭ ତାରିଖରେ ଗୁଣି ସନ୍ଦେହ କରି ଡମ୍ବରୁଧର ମାଝୀ ନାମକ ଜଣେ ପାଷ୍ଟରଙ୍କୁ ସେ ଗୁଳି କରି ଫେରାର ଥିଲେ । ଏହି ଘଟଣାର ତଦନ୍ତ ଜାରି ରହିଥିବା ସହ ପୋଲିସର ୱାଣ୍ଟେଡ୍ ଲିଷ୍ଟରେ ସାଗରର ନାମ ରହିଥିଲା । ତଦନ୍ତକାରୀ ପୋଲିସ ଅଧିକାରୀମାନେ ବିଭିନ୍ନ ଅନୁଧ୍ୟାନ ଓ ଖୋଳତାଡ କରୁଥିବା ବେଳେ ସାଗର ତାର ଗ୍ରାମରେ ରହିଥିବା ସୁରାଗ ପାଇଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଅଭିଯୁକ୍ତ ପ୍ରମୋଦକୁ ଗତକାଲି ଗିରଫ କରି ଥିବାର ଅଡବା ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି । ଏନେଇ ଅଡବା ଥାନାରେ ୨୪/୨୧ରେ ମାମଲା ରୁଜୁ ହୋଇଥିବାର ମଧ୍ୟ ଜଣାପଡିଛି । ଅଭିଯୁକ୍ତ ପ୍ରମୋଦ ଓରଫ ସାଗରଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ ୩୪୧/୩୦୭/୩୨୩/୩୯୪/୫୦୬ ଏବଂ ଅବାଧ ବନ୍ଧୁକ ଓ ଗୁଳିଗୋଳା ରଖିବାକୁ ନେଇ ଆର୍ମସ ଆକ୍ଟ ୨୫/୨୭ ଅନୁଯାୟୀ ଦଫା ଅନୁଯାୟୀ କୋର୍ଟକୁ ଚାଲାଣ କରାଯାଇଥିବାର ଥାନା ସୂତ୍ରରୁ ପ୍ରକାଶ ।
Sign in
Sign in
Recover your password.
A password will be e-mailed to you.