
ଡୁମାଣୀ ଟିଭି,୨୦/୩ : ଆଜି ମାର୍ଚ୍ଚ ୨୦ ତାରିଖ ବିଶ୍ଵ ପଖାଳ ଦିବସ ଅବସରରେ ଆସନ୍ତୁ ଜାଣିବା ପଖାଳ ଆଉ ଆମ କାଳିଆ ଠାକୁର ମଧ୍ୟରେ ଥିବା ସଂପର୍କ । ବଡଖିଆ ଜଗନ୍ନାଥଙ୍କ ଷାଠିଏ ପଉଟି ଖାଇବାରେ ପଖାଳ ଓ ଟଙ୍କ ତେରାଣି ଅନ୍ୟତମ । ଓଡିଆ ଘରର ଆଦ୍ୟ କାଳିଆ ସାଆନ୍ତଙ୍କ ଖାଇବା ଦେଖିଲେ ହୁଏତ ସାଧାରଣ ଲୋକମାନେ ଆଚମ୍ବିତ ହୋଇଯିବେ । ତେବେ ଖାଲି ଓଡ଼ିଆ ଘରେ ନୁହେଁ ବରଂ ଓଡ଼ିଆଙ୍କ ଆରାଧ୍ୟ ବଡ଼ଠାକୁର ବି ଭାରି ଭଲ ପାଆନ୍ତି ପଖାଳକୁ । ସେଥିପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଵଢା ହେଉଥିବା ପଖାଳରେ କେତେବେଳେ ଦହି ବାସେ ତ ଆଉ କେତେବେଳେ ଘିଅ ବାସେ ।
ମହାପ୍ରଭୁଙ୍କ ବଡ଼ପଣିଆକୁ ପ୍ରତି ପାଦିତ କରିବାକୁ ଯାଇ ଓଡ଼ିଆ ଲୋକ କଥା କଥାରେ କହନ୍ତି ପଖାଳ ଭାତରେ ଘି ତୋ ଵୋପା ଖାଇଥିଲା କି ….
ତେବେ ଏହି ପଖାଳର ନା ସବୁ କଣ ?
ସୁବାସ ପଖାଳ – ପ୍ରଥମେ କୁଡୁଆ ରେ ଅନ୍ନ ରନ୍ଧା ସରିବା ପରେ ସେଥିରେ ପାଣି ମିଶାଯାଏ । ଏଥିରେ ସ୍ଵାଦ ଅନୁସାରେ ଲୁଣ ମିଶାଇ କଟା ଅଦା , ଭଜା ଜିରା ପକାଇ ପ୍ରସାଦ ଭାବେ ପରସା ଯାଏ । ଏହା ଏକ ସୁଗନ୍ଧିତ ଅନ୍ନ ହୋଇଥିବାରୁ ଏହାକୁ ସୁବାସ ପଖାଳ ବୋଲି କୁହାଯାଏ ।
ଚୁପୁଡ଼ା ପଖାଳ -ରନ୍ଧା ହୋଇଥିବା ଅନ୍ନକୁ ଭଲ ଭାବେ ଚିପୁଡା ଯାଏ । ସେଥିରେ ଭଜା ଜିରା ଦହି ଲୁଣ ମିଶାଇ ପ୍ରସାଦ ଭାବରେ ମାଟିପତ୍ରରେ ମହାପ୍ରଭୁଙ୍କୁ ପରସା ଯାଏ ।
ପାଣି ପଖାଳ -ରନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଇ ଏହି ପଖାଳ ପ୍ରସ୍ତୁତ ହୁଏ । ଏଥିରେ ଅନ୍ୟ କୌଣସି ଦ୍ରବ୍ୟ ମିଶ୍ରଣ କରାଯାଏ ନାହିଁ । ସାଧାରଣତଃ ଏହା ପ୍ରତ୍ୟେକ ଓଡିଆ ଘରର ସାଧାରଣ ଖାଦ୍ୟ ।
ଦହି ପଖାଳ – ଶୁଖିଲା ଅନ୍ନରେ କେବଳ ଦହି ପକାଇ ଗୋଲେଇ ଦିଆଯାଇଥାଏ । ଏଥିରେ ଦହି ର ମାତ୍ର ଅଧିକ ଥାଏ । ଏହି ମିଶ୍ରିତ ଅନ୍ନରେ ଭଜା ଜିରା ଓ ଅଦା ପକାଇ ପ୍ରସ୍ତୁତ କରାଯାଏ ।
ମିଠା ପଖାଳ- ସାଧା ଅନ୍ନରେ ଚିନି କିମ୍ବା ଗୁଡ ପକାଇ ରନ୍ଧା ଯାଏ । ଏଥିରେ ଭଜା ଜିରା ଲୁଣ ଅଦା ଖଣ୍ଡ ପକାଇ ପରସା ଯାଏ।
ମଲ୍ଲି ଫୁଲ ପଖାଳ – ଏହି ପଖାଳ ଦହି ପଖାଳ ପରି ପ୍ରସ୍ତୁତ ହୋଇଥାଏ। ମାତ୍ର ଏହାକୁ ସୁବାସିତ କରିବାକୁ ମଲ୍ଲି ଫୁଲ ଦେଇ ପରସା ଯାଏ ।
ଟଭା ପଖାଳ -ସାଧା ଅନ୍ନରେ ଟଭା ମିଶ୍ରିତ ଜଳ ଦେଇ ମହାପ୍ରଭୂ ଜଗନ୍ନାଥଙ୍କ ପାଖରେ ଭୋଗ ଲାଗି ହୁଏ । ଉପରୋକ୍ତ ପ୍ରଣାଳୀରେ ଏହି ପଖାଳ ପ୍ରସ୍ତୁତ ହୁଏ। ଏହା ମଧ୍ୟ ସୁବାସ ପଖାଳ ପରି ।
ଘିଅ ପଖାଳ -ସାଧା ଅନ୍ନ ଲୁଣ ଅଦା ଖଣ୍ଡ ଦହି ଭଜା ଜିରା ଇତ୍ୟାଦି ଓଲିରେ ରଖାଯାଏ ଏଥିରେ ଘିଅ ମିଶାଯାଏ। ଯାହାକୁ ଶ୍ରୀ ମନ୍ଦିର ପାରମ୍ପରିକ ଭାଷାରେ ଘିଅ ପଖାଳ କହନ୍ତି ।
ବିଶେଷ କରି ସନ୍ଧ୍ୟା ଧୂପ ଓ ବଡ଼ ସିଂହାର ଓ ରାତ୍ର ପହୁଡ଼ ପୂର୍ବରୁ ମହାପ୍ରଭୁ ଙ୍କୁ ପଖାଳ ଓ କଦଳୀ ଭଜା ଭୋଗ ଲାଗି କରାଯାଇଥାଏ ।