ଆଇପିଏଲ ୨୦୨୨ , ଚେନ୍ନାଇକୁ ହରାଇ କୋଲକାତାର ବିଜୟ ଅଭିଯାନ ଆରମ୍ଭ

516

ଡୁମାଣୀ ଟିଭି ,୨୭/୩ : ଆଇପିଏଲର ୨୦୨୨ ପ୍ରଥମ ମ୍ୟାଚ୍ରେ ବିଜୟ ହାସଲ କରିଛି କୋଲକାତା ନାଇଟ୍ ରାଇଡର୍ସ। ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଡିଫେଣ୍ଡିଂ ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ଓ୍ଵିକେଟ୍ରେ ହରାଇ ଆଇପିଏଲର ୧୫ତମ ସିଜିନରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରି କୋଲକାତା ନାଇଟ୍ ରାଇଡର୍ସ। ଏଥିସହ ମହେନ୍ଦ୍ର ସିଂହ ଧୋନୀଙ୍କ ଅର୍ଦ୍ଧଶତକୀୟ ଇନିଂସ ବୃଥା ହୋଇଛି। ଅନ୍ୟପଟେ ଅଧିନାୟକ ଭାବେ ରବୀନ୍ଦ୍ର ଜାଡେଜା ପ୍ରଥମେ ମ୍ୟାଚ୍ରେ ପରାଜିତ ହୋଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ମହେନ୍ଦ୍ର ସିଂହ ଧୋନୀଙ୍କ ଅପରାଜିତ ୫୦ ରନ, ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ୨୬ ଏବଂ ରବିନ ଉଥପ୍ପାଙ୍କ ୨୮ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୩୧ ରନ କରିଥିଲା। ଜବାବରେ କୋଲକାତା ୧୮.୩ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦଳ ପକ୍ଷରୁ ଆଜିଙ୍କ୍ୟ ରାହାଣେ ୪୪ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ତାଙ୍କ ବ୍ୟତୀତ ସାମ ବିଲିଙ୍ଗ୍ସ ୨୫ ରନ କରିଥିବା ବେଳେ ଅଧିନାୟକ ଶ୍ରେୟସ ଆୟର ୨୦ ରନରେ ଅପରାଜିତ ଅଛନ୍ତି।

ଟସ୍ ଜିତି କେକେଆର ଅଧିନାୟକ ଶ୍ରେୟସ ଆୟର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ବୋଲର ତାଙ୍କ ନିଷ୍ପତ୍ତିକୁ ଯଥାର୍ଥ ପ୍ରତିପାଦନ କରିଛନ୍ତି। ପ୍ରଥମ ଓଭରରେ ଚେନ୍ନାଇକୁ ବଡ ଝଟକା ଲାଗିଥିଲା। ଗତ ସିଜିନର ଅରେଞ୍ଜ କ୍ୟାପ୍ ବିଜେତା ଋତୁରାଜ ଗାଏକଓ୍ଵାଡ ଖାତା ଖୋଲିବା ପୂର୍ବରୁ ଉମେଶ ଯାଦବଙ୍କ ବଲରେ ଆଉଟ୍ ହୋଇଥିଲେ। ଏହାପରେ ଡେଭନ କନଓ୍ଵେ(୩) ମଧ୍ୟ ବିଫଳ ହୋଇଥିଲେ। ୨୮ ରନରେ ଓପନରଙ୍କ ଆଉଟ୍ ପରେ ରବିନ ଉଥପ୍ପା କିଛି ସମୟ ଇନିଂସ ସମ୍ଭାଳିଥିଲେ। ହେଲେ ସେ ଅଧି ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ୨୧ ବଲରୁ ୨ ଚୌକା ଏବଂ ୨ ଛକା ସହ ୨୮ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଅମ୍ବାତି ରାୟୁଡୁ ୧୫ରନ ଓ ଶିବମ୍ ଦୁବେ ୩ ରନ କରି ଆଉଟ ହୋଇଥିଲେ ।
୬୧ ରନରେ ୫ ଓ୍ଵିକେଟ୍ ହରାଇବା ପରେ ମୁସ୍କିଲରେ ପଡିଥିବା ଚେନ୍ନାଇର ମଙ୍ଗ ଧରିଥିଲେ ମହେନ୍ଦ୍ର ସିଂହ ଧୋନୀ ଏବଂ ଅଧିନାୟକ ଜାଡେଜା। ଉଭୟ ଷଷ୍ଠ ଓ୍ଵିକେଟରେ ୭୦ ରନ ଯୋଡିଥିଲେ। ଧାେନୀ ୭ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୫୦ ରନ କରି ଅପରାଜିତ ଥିବା ବେଳେ, ଅଧିନାୟକ ରବୀନ୍ଦ୍ର ଜାଡେଜା ୨୬ ରନ କରି ଅପରାଜିତ ଅଛନ୍ତି ।
କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଉମେଶ ଯାଦବ ୪ ଓଭରରେ ୨୦ ରନ ଦେଇ ୨ଟି ଓ୍ବିକେଟ ନେଇଥିବା ବେଳେ, ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୨୩ ରନ ୧ ଓ୍ବିକେଟ୍, ସୁନୀଲ ନାରିନ୍ ୪ ଓଭରରେ୧୫ରନ, ଶିବମ୍ ମାଭି ୪ ଓଭରରେ ୩୫ରନ, ଆନ୍ଧ୍ରେ ରସେଲ୪ ଓଭରରେ ୩୮ରନ ଦେଇ ୧ ଓ୍ବିକେଟ୍ ନେଇଛନ୍ତି ।

Leave A Reply

Your email address will not be published.