ଭୁବନେଶ୍ୱର: ଶ୍ରୀମନ୍ଦିର ପରେ ଫୋକସରେ ଏକାମ୍ର କ୍ଷେତ୍ର । ଆଜି ଏକାମ୍ର କ୍ଷେତ୍ର ପରିଦର୍ଶନ କଲେ ୫-ଟି ସଚିବ । ବରିଷ୍ଠ ଅଧିକାରୀଙ୍କ ସହ ଏକାମ୍ର କ୍ଷେତ୍ରର ବିକାଶମୂଳକ କାମର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ । ଉଚ୍ଛେଦ କରାଯାଇଥିବା ଦୋକାନୀମାନଙ୍କୁ ଥଇଥାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବିକଳ୍ପ ରାସ୍ତା କାମ ତ୍ବରାନ୍ବିତ ଓ ସଫେଇ କାମ ଶୀଘ୍ର ସାରିବା ଉପରେ ଗୁରୁତ୍ବାରୋପ କରିଛନ୍ତି । ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର କ୍ଷେତ୍ର ଗସ୍ତ କରି ଏକାମ୍ର ଯୋଜନାର ସମୀକ୍ଷା କରିଥିଲେ । ୫-ଟି ସଚିବଙ୍କ ସହ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ, ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଶ୍ରୀକ୍ଷେତ୍ର ଭଳି ଏକାମ୍ର କ୍ଷେତ୍ରକୁ ବିଶ୍ବ ଐତିହ୍ୟ କରିଡରରେ ସାମିଲ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଯାହାର ଉନ୍ନୟମ କାମ ଜାରି ରହିଛି । ତେବେ ବୁଧବାର ଦିନ ଚାଲିଥିବା କାମରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନିଜେ ଲିଙ୍ଗରାଜ ମନ୍ଦିର ନିକଟରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିବା ସହ ଶିବରାତ୍ରି ସୁଦ୍ଧା ସମସ୍ତ କାମ ସାରିବାକୁ ନିର୍ଦେଶ ଦେଇଛନ୍ତି। ଏକାମ୍ର କ୍ଷେତ୍ରର ବିକାଶ କାର୍ଯ୍ୟର ପ୍ରାୟ ୯୫ ପ୍ରତିଶତ କାର୍ଯ୍ୟ ସରିଛି। ଲିଙ୍ଗରାଜ ମନ୍ଦିରକୁ ସଂଲଗ୍ନ ହୋଇଥିବା ସବୁ ରାସ୍ତାର ପ୍ରଶସ୍ଥି କରଣ, ବିନ୍ଦୁ ସାଗର ଚାରିପାଖ ବିକାଶ, ବ୍ୟାଟେରି ଚାଳିତ ଗାଡ଼ିର ବ୍ୟବହାର, ବ୍ରଜବନ୍ଧୁ କଲ୍ୟାଣ ମଣ୍ଡପ ନିକଟ ଉତ୍ତର ଗେଟ୍ ବସ୍ ପାର୍କିଂରେ ଉତ୍ତର ପ୍ଲାଜାର ବିକାଶ, ଆଲୋକୀକରଣ ବ୍ୟବସ୍ଥା ଭଳି ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଶ୍ରୀକ୍ଷେତ୍ର ଭଳି ନୂଆ ରୂପ ପାଇବ ଏକାମ୍ରକ୍ଷେତ୍ର । ପ୍ରାୟ ୬୬ଏକର ଜମି ଉପରେ ଏକାମ୍ର ବିକାଶ ଯୋଜନା ବାସ୍ତବ ରୂପ ନେବାକୁ ଯାଉଛି । ଆସନ୍ତା ଶିବରାତ୍ରୀ ବେଳକୁ ଏକକାଳୀନ ୨ଲକ୍ଷ ଶ୍ରଦ୍ଧାଳୁ ଲିଙ୍ଗରାଜ ମନ୍ଦିର ବାହାରୁ ମହାଦୀପ ଦର୍ଶନ କରିପାରିବେ । ଆଗକୁ ୟୁନେସ୍କୋ ବିଶ୍ବ ଐତିହ୍ୟସ୍ଥଳୀରେ ସ୍ଥାନ ପାଇବ ଏକାମ୍ର କ୍ଷେତ୍ର ।
Sign in
Sign in
Recover your password.
A password will be e-mailed to you.