ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଳିତ ମାସରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ମମତା ଆସନ୍ତା ୨୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ । ସେହିଦିନ ରାତିରେ ସେ ଭୁବନେଶ୍ୱରରେ ରହିବେ । ତା’ପରଦିନ ସେ ପୁରୀ ଯିବେ । ପୁରୀରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ । ସେହିଦିନ ତାଙ୍କର ଅନ୍ୟାନ୍ୟ କ’ଣ କାର୍ଯ୍ୟକ୍ରମ ରହିଛି, ତାହା ଜଣାପଡ଼ିନାହିଁ । ତେବେ ୨୩ ତାରିଖରେ କୋଲକାତା ଫେରିଯିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦ୍ୟୋପାଧ୍ୟାୟ ।
୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସହିତ ମୁକାବିଲା କରିବା ପାଇଁ ମମତା ବାନାର୍ଜୀ ଆଞ୍ଚଳିକ ଦଳଗୁଡ଼ିକୁ ନେଇ ମେଣ୍ଟ କରିବାକୁ ଯୋଜନା କରୁଛନ୍ତି । ଏହି ମେଣ୍ଟରୁ ସେ କଂଗ୍ରେସକୁ ଦୂରେଇ ରଖିବାକୁ ଯୋଜନା କରିଛନ୍ତି । ଏହି ଯୋଜନାରେ ବିଜେଡିକୁ ସାମିଲ କରିବାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ଜଣାପଡ଼ିଛି । ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦ୍ୟୋପାଧ୍ୟାୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୩ ତାରିଖରେ ନବୀନ ପଟ୍ଟନାୟକଙ୍କୁ ଭେଟିବେ ।
ଆମେ ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ବଜାୟ ରଖିବା ନେଇ ଅନ୍ୟ ସମସ୍ତ ବିରୋଧୀ ଦଳଗୁଡ଼ିକ ସହିତ ମଧ୍ୟ ଆଲୋଚନା କରିବୁ । ଆମେ ଥାର୍ଡ ଫ୍ରଣ୍ଟ ଗଠନ କରୁଛୁ ବୋଲି କହୁନୁ । କିନ୍ତୁ ବିଜେପିକୁ ଟକ୍କର ଦେବାକୁ ଆଞ୍ଚଳିକ ଦଳଗୁଡ଼ିକର ଦକ୍ଷତା ଅଛି ବୋଲି କହୁଛୁ । ଅନ୍ୟପକ୍ଷରେ ମମତା ବାନାର୍ଜୀଙ୍କ ସହିତ ସାକ୍ଷାତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ କିଛି ସୂଚନା ମିଳିନାହିଁ ।