ବ୍ରହ୍ମପୁର : ସାରା ରାଜ୍ୟ ଭଳି ସ୍ଥାନୀୟ ଏମକେସିଜି ମେଡିକାଲ କଲେଜର ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କୁ ନେଇ ଲାଗିରହିଥିବା ଏଜେନ୍ସି ଯନ୍ତ୍ରଣାର ସମସ୍ୟା ଥମିବାର ନାଁ ଧରୁନି ଗୋଟିଏ ପଟେ ସରକାର ଆଉଟସୋରସିଂ ବ୍ୟବସ୍ଥାକୁ ହଟାଇବା ବଦଳରେ ଏହି କ୍ଷେତ୍ରରେ ସ୍ୱଚ୍ଛତା ଆଣିବାକୁ ସରକାର ଅଧୀନକୁ ନେବାର ଘୋଷଣା କରିଥିଲେ କିନ୍ତୁ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରିଲାନାହିଁ । ଅନ୍ୟପଟେ ଦକ୍ଷିଣ ଓଡିଶାର ପ୍ରମୁଖ ମେଡିକାଲ କଲେଜ ବ୍ରହ୍ମପୁର ଏମକେସିଜିରେ କର୍ମଚାରୀଙ୍କୁ ସଠିକ ସମୟରେ ଦରମା ମିଳିପାରୁନି କିମ୍ବା ଇପିଏଫ, ଇଏଆଇ ବାବଦ ଅର୍ଥ ସଠିକ ପୈଠ ହୋଇ ପାରୁନାହିଁ ।
ଏମଆର ଭାବେ ନିଯୁକ୍ତ କର୍ମଚାରୀମାନଙ୍କୁ ମାସକୁ ଅଧାରୁ ଅଧିକ ଦିନ ଡ୍ୟୁଟି ମିଳିପାରୁନାହିଁ । ଅନେକ କର୍ମଚାରୀଙ୍କ ଡ୍ୟୁଟି ଅନୁଯାୟୀ ପ୍ରାପ୍ୟ ମିଳିପାରୁନାହିଁ ଅନେକ କର୍ମଚାରୀମାନଙ୍କ ବହୁମାସର ଦରମା ବକେୟା ରହିଛି ଯାହାକୁ ନେଇ ସ୍ୱଳ୍ପ ଦରମାରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀମାନେ ବଜାର ଦରକୁ ନେଇ ଚଳିବାରେ ଅସୁବିଧା ହେଉଛି । ଯାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି । ଘଟଣା ଅନୁଯାୟୀ ଓଡିଶା ଅଭିରାମ ୟାରଟେକିଙ୍ଗ, ଭୁବନେଶ୍ୱର ସଂସ୍ଥା ଅଧୀନରେ କାର୍ଯ୍ୟରତ ଆଟେଣ୍ଡା କର୍ମଚାରୀମାନଙ୍କ ଏହି ସବୁ ସମସ୍ୟାକୁ ନେଇ ମେଡିକାଲ ଆଉଟସୋର୍ସିଙ୍ଗ କର୍ମଚାରୀ ସଂଘ ତରଫରୁ ପୂର୍ବରୁ ଏଜେନ୍ସି ଓ ମେଡିକାଲ ପ୍ରଶାସନଙ୍କ ଦୃଷ୍ଟିକୁ ବାରମ୍ବାର ଆଣିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରୁନଥିଲା ।
ତେଣୁ ସକାଳ ସମୟରେ ହଠାତ ସଂଘ ଦ୍ୱାରା ଜରୁରୀକାଳୀନ ବିଭାଗକୁ ଛାଡି ଅନ୍ୟ ସବୁ ବିଭାଗ ଶତାଧିକ କର୍ମଚାରୀଙ୍କୁ ନେଇ ସୁପାରିଟେଣ୍ଡେଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହିତ ଧାରଣାରେ ବସିଥିଲା । ପରବର୍ତ୍ତୀ ଅବସ୍ଥାରେ ମେଡିକାଲ ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର ମିଞ୍ଜ ସଂଘ କର୍ମକର୍ତ୍ତା ସହ ଆଲୋଚନା ପରେ ସମ୍ପକ୍ତ ଏଜେନ୍ସିକୁ ତାଗିତ କରିଥିଲୋ ଯାହାରୀ ଫଳରେ ସଂସ୍ଥା ଦ୍ୱାରା ଅଧିକାଂଶ ପିଲାର ମାର୍ଚ୍ଚ ମାସର ଦରମା ପୈଠ କରାଯାଇଥିଲା । ଇପିଏଫ, ଇଏଆଇ ବାବଦ ଅର୍ଥ ପୈଠ ଓ ଅନ୍ୟନ୍ୟ ବକେୟା ଦରମା ଦାବିକୁ ନେଇ କର୍ମଚାରୀମାନେ ଧାରଣାରେ ଆଡି ବସିଥିଲେ ।
ଯାହାରୀ ଫଳରେ ଅନେକ ବିଭାଗରେ ରୋଗୀସେବା ବ୍ୟାହତ ହେବା ସହ ବିଳମ୍ବିତ ସମୟ ପର୍ଯ୍ୟନ୍ତ ରୋଗୀ ସମ୍ପର୍କୀୟ ନାନାଦି ଅସୁବିଧାର ସମ୍ମୁଖୀନ ହୋଇଥିଲେ । କିନ୍ତୁ ଏଜେନ୍ସିର ଯୁକ୍ତି ପ୍ରକାରରେ ମେଡିକାଲ ତରଫରୁ ଦୀର୍ଘ ଦିନ ହେବ କର୍ମଚାରୀ ପ୍ରାପ୍ୟ ବାବଦକୁ ଚାରିକୋଟିରୁ ଉଦ୍ଧ୍ୱ ଟଙ୍କା ଦୀର୍ଘ ଚାରିମାସ ହେବ ବିଲ ହୋଇ ନଥିବା ଓ ଏଜେନ୍ସି ସଠିକ ଇପିଏଫ ପୈଠ କରୁ ନଥିବାରୁ ଆମେ ବିଲ କରୁନଥିବା ମେଡିକାଲ ପ୍ରଶାସନ ତରଫରୁ ଯୁକ୍ତି ରଖାଯାଇଛି ।
ଏହାରି ପଛରେ ପିସି କାରବାର ହିଁ ମୁଖ୍ୟ କାରଣ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳୁଛି । ପ୍ରଶାସନର ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ପ୍ରତି ଖାମଖିଆଲି ନୀତି ଓ ଦୁର୍ନୀତି ସହ ସମ୍ପୃକ୍ତ କିଛି ଅଧିକାରୀଙ୍କ ପାଇଁ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ତ୍ୱରିତ ସମାଧାନ ନ ହେବା କାରଣ ରୁ କର୍ମଚାରୀ ଅସନ୍ତୋଷ ସହ ସାଧାରଣ ରୋଗୀ ହଇରାଣ ହେଉଥିବା ଦେଖିବାକୁ ମିଳୁଛି ତେଣୁ ଏହାର ଉପଯୁକ୍ତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ତରଫରୁ ଦାବୀ କରାଯାଇଛିା ପରବର୍ତ୍ତୀ ସମୟରେ ଏଜେନ୍ସି ତରଫରୁ ଲିଖିତ ପ୍ରତିଶୃତି ପ୍ରକାରେ ଆସନ୍ତା ୨୦ ତାରିଖରେ ମେଡିକାଲ ପ୍ରଶାସନ ଓ ସଂଘ କର୍ମକର୍ତ୍ତାଙ୍କ ସହ ବୈଠକ କରି ଏହି ସମସ୍ୟାକୁ ସମାଧାନ କରିବାକୁ ପ୍ରତିଶୃତି ମିଳିବା ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି ।