ଓଡ଼ିଶା ଆସୁଛନ୍ତି ମହାମହିମ । ୩ ଦିନିଆ ଗସ୍ତରେ ଆସୁଛନ୍ତି ମ୍ୟାଡାମ ପ୍ରେସିଡେଣ୍ଟ

246

ବାରିପଦା: ଓଡ଼ିଶା ଆସୁଛନ୍ତି ମହାମହିମ । ୩ ଦିନିଆ ଗସ୍ତରେ ଆସୁଛନ୍ତି ମ୍ୟାଡାମ ପ୍ରେସିଡେଣ୍ଟ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଜନ୍ମମାଟିକୁ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର, ପାହାଡପୁର ଓ ବାରିପଦା ଗସ୍ତ କରିବା କାର୍ୟ୍ୟକ୍ରମ ରହିଛି ।

୪ ତାରିଖରେ ସେ ଆସିବାକୁ ଥିବା ବେଳେ ୬ତାରିଖରେ ଦିଲ୍ଲୀ ଫେରିବାର ଅଛି । ଏହି ଗସ୍ତ ସମୟରେ ନିଜ ଗାଁ ପାହାଡପୁରରେ ରାଷ୍ଟ୍ରପତିଙ୍କ ସ୍ୱାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଗୋସାଣି ପରିଦର୍ଶନ, ନାବାର୍ଡ ପକ୍ଷରୁ ଏସଏଲଏସ ଟ୍ରଷ୍ଟ ସ୍କୁଲ ପାଇଁ ନିର୍ମିତ ହେବାକୁ ଥିବା କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ ପରି ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।

୫ ତାରିଖ ଶୁକ୍ରବାର ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ସ୍ଥାନ ଦାଣ୍ଡବୋଷରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ମଧ୍ୟାହ୍ନ ୧୨ଟାରେ ଶିମିଳିପାଳ ଅଭୟାରଣ୍ୟ ବୁଲିଯିବେ ମହାମହିମ । ତେଣୁ ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କ ପାଇଁ ଦୁଇ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ ।

ରାଷ୍ଟ୍ରପତି ମ୍ୟାଡାମ ଦ୍ରୌପଦି ମୁର୍ମୁଙ୍କ ଗସ୍ତକୁ ନଜରରେ ରଖି ଶିମିଳିପାଳ ଅଭୟାରଣ୍ୟକୁ ଆସନ୍ତା ୪ ଓ ୫ ତାରିଖ ଦୁଇ ଦିନ ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୁଗନାନୀ ଏନେଇ ସୂଚନା ଦେଇଛନ୍ତି ।

ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଶିମିଳିପାଳ ଆସୁଥିବାରୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା, ଆତିଥେୟତା ଓ ପରିଦର୍ଶନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଶିମିଳିପାଳ ବୁଲିବା ପରେ ସନ୍ଧ୍ୟାରେ ବାରିପଦା ଅତିଥିଭବନରେ ରାତ୍ରିଯାପନ କରିବେ । ପରଦିନ ଅର୍ଥାତ୍ ୬ ତାରିଖ ଶନିବାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ।

ପୂର୍ବାହ୍ନ ୧୧.୧୫ରୁ ମଧ୍ୟାହ୍ନ ୧୨.୧୫ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ସାରି ହେଲିକପ୍ଟର ଯୋଗେ କଲେଇକୁଣ୍ଡା ବାୟୁସେନା ଘାଟିରେ ପହଞ୍ଚି ସେଠାରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଥିବା ପ୍ରକାଶ।

Leave A Reply

Your email address will not be published.