ଭୁବନେଶ୍ୱର, ଘୁମୁସର ସାହିତ୍ୟ, କଳା, ସଂସ୍କୃତି, ଭାସ୍କର୍ଯ୍ୟ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଅତୀତରେ ଘୁମୁସର ଭଞ୍ଜ ରାଜବଂଶ ୮୩୨ ଖ୍ରୀଷ୍ଟାବ୍ଦରୁ ଦୀର୍ଘ ଏକ ହଜାର ବର୍ଷ ଘୁମୁସରରେ ରାଜତ୍ୱ କରି ଆସିଥିଲେ, ଯାହା ବିଶ୍ୱ ଇତିହାସରେ ବିରଳ । କିନ୍ତୁ ଯୁଗପୋଯୋଗୀ ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏହା ଇତିହାସ ପୃଷ୍ଠାରୁ ଲିଭିବାକୁ ବସିଲାଣି । ଏହାର ଉପଯୁକ୍ତ ତଦାରଖ, ସଂରକ୍ଷଣ ଓ ସୁରକ୍ଷା କରିବା, ପ୍ରଚାର ଓ ପ୍ରସାର ସହ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ସାହିତ୍ୟର ସରକାରୀ ମୁଦ୍ରଣ, ଭଞ୍ଜ ସାହିତ୍ୟ ସଙ୍ଗୀତ କାବ୍ୟଗୁଡିକ ହିନ୍ଦୀ ଓ ଇଂରାଜୀରେ ଅନୁବାଦ କରିବା, ଘୁମୁସର ନାମରେ ୱେବସାଇଟ ଏବଂ ସାମାଜିକ ମିଡିଆ ଖୋଲାଯାଇ ସମସ୍ତ ଘୁମୁସର ମାଟିର ବରପୁତ୍ରଙ୍କ ଗାଥା ପ୍ରକାଶ କରିବା, ଭୁବନେଶ୍ୱର, ଦିଲ୍ଲୀ, ଅନ୍ୟାନ୍ୟ ସହରଗୁଡିକରେ ଘୁମୁସର ମହୋତ୍ସବ ପାଳନ କରିବା ଆଦି ପ୍ରସ୍ତାବ ନେଇ ଭୁବନେଶ୍ୱରସ୍ଥିତ ପାତ୍ରପଡ଼ା ଏଏ କନ୍ଭେନସନ୍ ସମ୍ମିଳନୀ ଗୃହରେ ଘୁମୁସର ବିକାଶ ପରିଷଦ ଓ ଘୁମୁସର ଉନ୍ନୟନ ମଞ୍ଚ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଫେବ୍ରୁଆରୀ ମାସରେ ଘୁମୁସର ମହୋତ୍ସବ ପାଳନ କରିବା ପାଇଁ ଘୁମୁସର ଅଞ୍ଚଳର ଦାସକାଠିଆ, ଢଣକୋଇଲ, ଘୁଡୁକି, ସଖୀନାଚ, ପ୍ରହଲ୍ଲାଦ ନାଟକ, ପଶୁମୁଖା, ବାଘନାଚ, ଭାରତଲୀଳା ଓ କଣ୍ଢେଇ ନାଚ ପରିବେଷଣ କରାଯିବ । ଘୁମୁସର ଖାଦ୍ୟ ପାଇଁ ଘୁମୁସରି ପହିଲି ଭୋଗ, ନେଦାବଡା, ଘୁମୁସର ଆଦିବାସୀ ସଂସ୍କୃତି ସମ୍ପର୍କୀୟ ସ୍ୱତନ୍ତ୍ର ଷ୍ଟଲ ଖୋଲାଯିବ । ଚଢିଆପଲ୍ଲୀ ଗୋବର କଣ୍ଢେଇ, ଜାତୀୟ ମାନ୍ୟତାପ୍ରାପ୍ତ ଘୁମୁସରୀ ଗୁଆଘିଅ, ଗବ୍ୟପଦାର୍ଥ, ବେଲଗୁଙଋା ପିତଳ ମାଛ, ବଡକୋଦଣ୍ଡା ଡେରାବେଶ, ଭଞ୍ଜଙ୍କ ରଚିତ ଚିତ୍ରକାବ୍ୟ ବନେ୍ଧାଦୟର ସମସ୍ତ ବନ୍ଧ, ଚକରା ବିଶୋଈ, ଦୋରା ବିଶୋଈଙ୍କ ବୀରଗାଥା, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ଜନ୍ମମାଟିର ମନୋରମ ପ୍ରାକୃତିକ ଦୃଶ୍ୟ, କାଷ୍ଟ କୋଣାର୍କ ବିରଞ୍ଚି ନାରାୟଣ, ମା’ ବ୍ୟାଘ୍ରଦେବୀ, ଶ୍ରୀଜଗନ୍ନାଥ, ଶ୍ରୀରଘୁନାଥ ମନ୍ଦିରର ଭାସ୍କର୍ଯ୍ୟ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି । ସେପରି ଘୁମୁସରର ବନଜାତ ବନାନୀ ବିକ୍ରୟ କେନ୍ଦ୍ର, ବିରଳ କୃଷ୍ଣସାର ମୃଗ ଓ ମୟୂର ପଟ୍ଟଚିତ୍ର ପ୍ରଦର୍ଶନ, ବରପୁତ୍ର ଓ ଦୁସ୍ଥ କଳାକାରମାନଙ୍କୁ ସମ୍ନାନିତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଉପଦେଷ୍ଟା ଡ. ଶାନ୍ତନୁ ରଥ, ଇଂ. ଲିଙ୍ଗରାଜ ଗୌଡ, ବରିଷ୍ଠ ଆଇନଜୀବୀ ତଥା ପରିଷଦ ସଭାପତି ସୋମନାଥନାୟକ, ରବି ସାମନ୍ତ, ଗୋପାଳ ଲେଙ୍କା,m ମଞ୍ଚ ସଭାପତି ବାଲ୍ମିକୀ ପଟ୍ଟନାୟକ, ଉପସଭାପତି ବିଶ୍ୱନାଥ ପଟ୍ଟନାୟକ, ଘୁମୁସର ବିକାଶ ପରିଷଦ ଓ ଘୁମୁସର ଉନ୍ନୟନ ମଞ୍ଚର ବିଶିଷ୍ଟ ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ, ସହ ସମ୍ପାଦକ ବାଲ୍ମିକୀ ପାତ୍ର, କୋଷାଧ୍ୟକ୍ଷ ପି. ତାରିଣୀ ପାତ୍ର, ଶିବଶଙ୍କର ତ୍ରିପାଠୀ, ରବିନାରାୟଣ ସାମନ୍ତ ପ୍ରମୁଖ ଶତାଧିକ ବିଶିଷ୍ଟ ବ୍ୟକ୍ତି ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ଏହାକୁ ସଂଯୋଜନା କରିଥିଲେସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଓ ଶିକ୍ଷାବିତ ପୀତାମ୍ବର ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ । ଆସନ୍ତା ଫେବ୍ରୁଆରୀ ୧୦ରେ ଭୁବନେଶ୍ୱରସ୍ଥିତ ନିକୋପାର୍କ ଛକ ନିକଟସ୍ଥ ଜୟଭାରତ ଭବନରେ ପରବର୍ତ୍ତୀ କର୍ମଶାଳା ଅନୁଷ୍ଠିତ ହେବ ବୋଲି ମିଡିଆସେଲର ମୁଖପାତ୍ର ସିମାଞ୍ଚଳ ପାତ୍ର ପ୍ରେସ ଇସ୍ତାହାରରେ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.