ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଣ୍ଡିଆନ୍ ଷ୍ଟିଲ ଆସୋସିଏଶନ

80

ଭୁବନେଶ୍ୱର,: ଇଣ୍ଡିଆନ୍ ଷ୍ଟିଲ ଆସୋସିଏଶନର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଇସ୍ପାତ କ୍ଷେତ୍ରର ଅନେକ ପ୍ରତିନିଧି ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ ଅଧିକ ଷ୍ଟିଲ ଉତ୍ପାଦନ ଓ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗର ବୃଦ୍ଧି ଉପରେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ଓ ୨୦୪୭ସୁଦ୍ଧା ବିକଶିତ ଭାରତର ଗ୍ରୋଥ୍‌ ଇଞ୍ଜିନ ହେବା ଓଡିଶାର ଲକ୍ଷ୍ୟ । ଏଥିରେ ଖଣି ଓ ଷ୍ଟିଲ କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ । ତେଣୁ ଓଡିଶାରେ କମ୍ପାନୀ ପ୍ରତିଷ୍ଠା କରୁଥିବା ସଂସ୍ଥା ଗୁଡିକୁ ସୁବିଧାରେ କଞ୍ଚାମାଲ୍ ଯୋଗାଇଦେବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି । ଷ୍ଟିଲ କମ୍ପାନୀ ଗୁଡିକୁ ମଧ୍ୟ ଉପଯୁକ୍ତ ବିଚାର ଆଲୋଚନା କରାଯାଇ ନିୟମ ଅନୁସାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଲୋଚନାରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ଦେଶର ଷ୍ଟିଲ ଉତ୍ପାଦନ ପରିମାଣ ବାର୍ଷିକ ୧୬୫ ମିଲିଅନ୍‌ ଟନ ରହିଛି । ୨୦୪୭ ସୁଦ୍ଧା ଏହି ପରିମାଣ ୫୦୦ ମିଲିଅନ୍ ଟନ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି । ଦେଶର ଷ୍ଟିଲ ଉତ୍ପାଦନ ବୃଦ୍ଧିରେ ଓଡିଶାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ରହିବ ମଧ୍ୟ । ତେଣୁ, ଷ୍ଟିଲ କମ୍ପାନୀମାନଙ୍କୁ ଯେପରି ସୁବିଧାରେ ଲୁହାପଥର ମିଳିବ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ମିଳିପାରିବ, ସେ ବିଷୟରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକରେ ଅଧିକ ଲୁହା ପଥର ଖଣିର ନିଲାମ୍ ଏବଂ ନିଲାମ୍‌ ହୋଇଥିବା ଖଣି ଗୁଡିକରୁ ଶୀଘ୍ର ଉତ୍ତୋଳନ ଆରମ୍ଭ ଉପରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ପ୍ରାୟ ୩୦ଟି ଖଣି ନିଲାମ୍ ହେବାର ସମ୍ଭାବନା ରହିଛି ବୋଲି ଜଣାଯାଇଛି । ଏହା ସହିତ ଓଏମ୍‌ସିରୁ କିପରି ସୁବିଧାରେ ଷ୍ଟିଲ କମ୍ପାନୀମାନଙ୍କୁ ଲୁହାପଥର ଯୋଗାଇ ଦିଆଯାଇ ପାରିବ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଅନ୍ୟ ସମ୍ପୃକ୍ତ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.