ଏଜିଆର୍ ରିହାତି ମାମଲା: ଟେଲିକମ୍‌ କମ୍ପାନୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

69

ନୂଆଦିଲ୍ଲୀ,: ଏଜିଆର୍‌ (ଆଡଜଷ୍ଟେଡ୍ ଗ୍ରସ ରେଭିନ୍ୟୁ) ରିହାତି ମାମଲାରେ ୩ ଘରୋଇ ଟେଲିକମ୍‌ କମ୍ପାନୀଙ୍କୁ ସୁପ୍ରିମକୋର୍ଟରୁ ଆଜି ବଡ଼ ଝଟ୍‌କା ଲାଗିଛି । ଏଜିଆର୍‌ରେ ରିହାତି ପାଇବା ପାଇଁ ଭୋଡାଫୋନ ଆଇଡିଆ ଓ ଏୟାରେଟଲ କରିଥିବା ଆବେଦନ ଏବଂ ଏଥିରେ ପକ୍ଷଭୁକ୍ତ ହେବାପାଇଁ ଟାଟା ଟେଲିସର୍ଭିସେସ୍‌ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ବିଚାରପତି ଜେବି ପାର୍ଦିୱାଲା ଏବଂ ବିଚାରପତି ଆର୍‌ ମହାଦେବନ ଏହି ଆବେଦନ ଠିକ୍ ନୁହେଁ ବୋଲି କହିଛନ୍ତି । ଉପରୋକ୍ତ ୩ଟି କମ୍ପାନୀ ସପକ୍ଷରେ ଯଦି ସୁପ୍ରିମକୋର୍ଟ ରାୟ ଦେଇଥାନ୍ତେ ତାହେଲେ ଏଜିଆରର ଜରିମାନା, ସୁଧ ଏବଂ ଜରିମାନା ଉପରେ ସୁଧ ଛାଡ଼ ବାବଦରେ ୮୦ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥରାଶି ଛାଡ଼ ପାଇଥାନ୍ତେ । ଏଜିଆର୍ ବାବଦରେ ଭୋଡାଫୋନ ଆଇଡିଆ ଉପରେ ୮୩,୪୦୦ କୋଟି ଟଙ୍କା ଆଦାୟ କରାଯିବାକୁ ଅଛି । ଏହି କମ୍ପାନୀ ପ୍ରାୟ ୪୫ ହଜାର କୋଟି ଟଙ୍କାର ଛାଡ଼ ପାଇଁ ଆବେଦନ କରିଥିଲା । ସେହିଭଳି ଭାରତୀ ଏୟାରଟେଲ ଓ ଏହାର ଶାଖା କମ୍ପାନୀ ଉପରେ ମୋଟ ୪୩୯୮୦ କୋଟି ଟଙ୍କାର ଏଜିଆର ଦେୟ ଆଦାୟ ହେବାକୁ ଥିବାବେଳେ ଏମାନେ ୩୪,୭୪୫ କୋଟି ଟଙ୍କା ଛାଡ଼ ପାଇଁ ଆବେଦନ କରିଥିଲେ । ଟାଟା ଟେଲିସର୍ଭିସେସ୍କୁ ଏହି ମାମଲାରେ ଏକ ପକ୍ଷ କରିବା ପାଇଁ ବରିଷ୍ଠ ଆଇନଜୀବୀ ଅରବିନ୍ଦ ଦତ୍ତର ଆବେଦନ କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ଆଜି ଏହାକୁ ଖାରଜ କରିଦେଇଛନ୍ତି । ଆମ ନିକଟକୁ ଆସିଥିବା ଏହି ପିଟିସନ ଆମକୁ ବସ୍ତୁତଃ ଚକିତ କରିଛି । ଏକ ବହୁଦେଶୀୟ କମ୍ପାନିଠାରୁ ଏହା ଆଶା କରାଯାଏନି । ଆମେ ଏହାକୁ ପ୍ରତ୍ୟାଖ୍ୟାନ କରିବୁ ବୋଲି ଭୋଡାଫୋନ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କୁ ଖଣ୍ଡପୀଠ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଭୋଡାଫୋନ ପ୍ରାୟ ୩୦ ହଜାର କୋଟି ଟଙ୍କାର ରିହାତି ପାଇବା ପାଇଁ ଆବଦେନ କରିଥିଲା । ଏଜିଆର୍‌ ବାବଦରେ ସୁଧ, ଜରିମାନା ଏବଂ ଜରିମାନା ଉପରେ ଲଗାଯାଇଥିବା ସୁଧକୁ ଛାଡ଼ କରିବା ପାଇଁ କମ୍ପାନୀ ଆବେଦନ କରିଥିଲା । ପୂର୍ବରୁ ଶ୍ରୀ ରୋହତଗୀ କହିଥିଲେ ଯେ ଟେଲିକମ୍‌ ଶିଳ୍ପରେ ପ୍ରତିଯୋଗିତା ଜାରି ରଖିବାକୁ ହେଲେ ତାଙ୍କ କମ୍ପାନୀ ତିଷ୍ଠି ରହିବା ଆବଶ୍ୟକ । ତେବେ ବିଚାରପତି ପାର୍ଦିୱାଲା କହିଥିଲେ ଯଦି ସରକାର ତୁମମାନଙ୍କୁ ସାହାଯ୍ୟ କରିବେ ତେବେ ସୁପ୍ରିମକୋର୍ଟ ଏଥିରେ ବାଧା ସୃଷ୍ଟି କରିବେ ନାହିଁ । ଏଜିଆର୍ ମାମଲାରେ ସୁପ୍ରିମକୋର୍ଟ ୨୦୧୯ ମସିହାରେ ଯେଉଁ ରାୟ ଦେଇଥିଲେ ତାହାର ସମୀକ୍ଷା ପାଇଁ କମ୍ପାନୀଗୁଡ଼ିକ କରିଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଗତବର୍ଷ ସେପ୍ଟେମ୍ବରରେ ଖାରଜ କରିଦେଇଥିଲେ ।

Leave A Reply

Your email address will not be published.