ରାଜନୀତିକୁ ଏବେ ଆସିବେ ନାହିଁ ରଜନୀକାନ୍ତ

181

ଚେନ୍ନାଇ : ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିକୁ ରଜନୀକାନ୍ତଙ୍କ ପ୍ରବେଶ ନେଇ ଯେଉଁ କଳ୍ପନା ଜଳ୍ପନା ସୃଷ୍ଟି ହୋଇଥିଲା, ତା’ ଉପରେ ବର୍ତ୍ତମାନ ପାଇଁ ପୁର୍ଣ୍ଣଛେଦ ଟାଣିଛନ୍ତି ନିଜେ ସୁପରଷ୍ଟାର ରଜନୀକାନ୍ତ । ରଜନୀକାନ୍ତ କହିଛନ୍ତି ଯେ, ସେ ବର୍ତ୍ତମାନ ପାଇଁ ରାଜନୀତିକୁ ଆସିବେ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ କୌଣସି ରାଜନୈତିକ ଦଳ ତିଆରି କରିବାକୁ ଯାଉନାହିଁ । ରଜନୀକାନ୍ତଙ୍କ ତରଫରୁ ଜାରି ବୟାନରେ କୁହାଯାଇଛି ଯେ, ଗତ କିଛି ଦିନ ଧରି ମୋର ସ୍ୱାସ୍ଥ୍ୟ ଠିକ୍ ରହୁନାହିଁ । ରକ୍ତଚାପରେ ଅସ୍ଥିରତା ଯୋଗୁଁ ଚିକିତ୍ସିତ ହୋଇ ଡାକ୍ତରଖାନାରୁ ଫେରିବା ପରେ ଏକ ବିବୃତିରେ ଅଭିନେତା ରଜନୀକାନ୍ତ କହିଛନ୍ତି, ଅତି ଦୁଃଖର ସହ କହୁଛି ଯେ, ମୁଁ ରାଜନୀତିରେ ପ୍ରବେଶ କରିପାରିବି ନାହିଁ। ଏଭଳି ନିଷ୍ପତ୍ତି ଘୋଷଣା କରିବା ସମୟରେ ଯେତେ କଷ୍ଟ ହେଉଛି ତା’କୁ କେବଳ ମୁଁ ହିଁ ଜାଣୁଛି। ରାଜନୈତିକ ଦଳ ଗଢ଼ିବେ ନାହିଁ ବୋଲି ଘୋଷଣା କରିବା ସହ ତାଙ୍କର ଅସୁସ୍ଥତାକୁ ଈଶ୍ୱରଙ୍କର ସତର୍କବାଣୀ ବୋଲି ଆଜି ସୁପର୍‌ଷ୍ଟାର୍‌ ରଜନୀକାନ୍ତ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୩୧ ତାରିଖ ଦିନ ସେ ନିଜ ରାଜନୈତିକ ଦଳ ପ୍ରତିଷ୍ଠା ବାବଦରେ ଘୋଷଣା କରିବେ ବୋଲି ଆଗରୁ କହିଥିଲେ । ଏହି ଘୋଷଣା ପରେ ତାମିଲନାଡୁରେ ହେବାକୁ ଥିବା ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବା ସ୍ପଷ୍ଟ ହୋଇଥିଲା । ରଜନୀକାନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ମଧ୍ୟ କୁହାଯାଉଥିଲା । ରାଜନୀତିକୁ ପ୍ରବେଶ ନ କରି ମଧ୍ୟ ମୁଁ ଜନସେବା କରି ପାରିବି। ମୋର ଏହି ନିଷ୍ପତ୍ତି ମୋର ପ୍ରଶଂସକ ଏବଂ ଜନତାଙ୍କୁ ହତାଶ କରିଥିବ। ଅନୁଗ୍ରହପୂର୍ବକ ମତେ କ୍ଷମା ଦିଅନ୍ତୁ । ବିଛଣାରେ ଶୋଇ ରହି ବିଶ୍ରାମ ପୂର୍ଣ୍ଣ ବିଶ୍ରାମ ନେବା ସହ ନିୟମିତ ରକ୍ତଚାପ ମାପିବାକୁ ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.