୩ ବର୍ଷ ହେବ ଶୌଚାଳୟରେ ପଡିଛି ତାଲା, କାହା ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିଲା ବୋଲି ଉଠୁଛି ପ୍ରଶ୍ନ

160

ମାଲକାନଗିରି: ଦୀର୍ଘ ବର୍ଷ ହେବ ଶୌଚାଳୟ ନିର୍ମାଣ ହୋଇ ତାଲା ପଡିରହିଛି । ତେବେ ପୂର୍ବରୁ ବସଷ୍ଟାଣ୍ଡରେ ଶୌଚାଳୟ ନିମନ୍ତେ ସ୍ଥାନୀୟ ଜନସାଧାରଣ ଦାବି କରିବାରୁ ଶୌଚାଳୟ ନିର୍ମାଣ କରାଗଲା ସତ କିନ୍ତୁ ଏଯାଏଁ ବ୍ୟବହାରରେ ଆସିପାରିଲା ନାହିଁ ଶୌଚାଳୟ । ଏଭଳି ଦୃଶ୍ୟ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ବସଷ୍ଟାଣ୍ଡ ନିକଟରେ ଦେଖିବାକୁ ମିଳିଛି। ପୂର୍ବରୁ ବସଷ୍ଟାଣ୍ଡରେ କୌଣସି ଶୌଚାଳୟ ନଥିବାରୁ ବାହାରୁ ଆସୁଥିବା ଯାତ୍ରୀମାନେ ବାଧ୍ୟହୋଇ ଏଣେତେଣେ ପରିସ୍ରା କରୁଥିଲେ । ଯାହାଦ୍ୱାରା ପରିବେଶ ଦୁର୍ଗନ୍ଧମୟ ହୋଇଯାଉଥିଲା। ତେଣୁ ସ୍ଥାନୀୟ ଲୋକଙ୍କ ବହୁଦିନର ଦାବି ପରେ ପ୍ରଶାସନ ପକ୍ଷରୁ ବସଷ୍ଟାଣ୍ଡ ନିକଟରେ ଏକ ଶୌଚାଳୟ ନିର୍ମାଣ କରାଗଲା। ତେବେ ଶୌଚାଳୟ ନିର୍ମାଣ ହେଲା ସତ କିନ୍ତୁ ଆଜିକୁ ଦୀର୍ଘ ୩ ବର୍ଷ ହେବ ଶୌଚାଳୟ ଟି ନିର୍ମାଣ ହୋଇଥିଲେ ମଧ୍ୟ ଏଯାଏଁ ତାହା ବ୍ୟବହାର ହୋଇପାରିଲା ନାହିଁ। ତାଲା ବନ୍ଦ ହୋଇ ପଡିରହିଥିବା ଦେଖିବାକୁ ମିଳିଛି। ଏହାସହ ପ୍ରଶାସନ ପକ୍ଷରୁ ଏହି ଶୌଚାଳୟକୁ ଲାଗି ଏକ ଅଳିଆ ପକାଇବା ନିମନ୍ତେ ଏକ ଆବର୍ଜନା କୁଣ୍ଡ ନିର୍ମାଣ କରାଯାଇଛି । ଯାହାର ପାର୍ଶ୍ଵରେ ରହିଛି ବସଷ୍ଟାଣ୍ଡ କମ୍ପ୍ଲେକ୍ସ, ପ୍ରତି ଦିନ ଏହି ବସ ଷ୍ଟାଣ୍ଡକୁ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଅନେକ ଯାତ୍ରୀ ଯାତାୟାତ କରିଥାନ୍ତି । ତେବେ ଜନଗହଳି ସ୍ଥାନରେ ଆବର୍ଜନା କୁଣ୍ଡ ନିର୍ମାଣ କରିବା କେତେ ଦୂର ଯଥାର୍ଥ ? ଏହି ଆବର୍ଜନା କୁଣ୍ଡରେ ସ୍ଥାନୀୟ ଲୋକ ଆବର୍ଜନା ପକାଇବା ଦ୍ୱାରା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ଯଦି ଦୀର୍ଘ ଦିନ ଧରି ଶୌଚାଳୟ ଅଚଳ ଅବସ୍ଥାରେ ପଡିରହିଛି, ତେବେ ଏହି ଶୌଚାଳୟଟି କାହା ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣୁ ଏହାର ସମାଧାନ ନିମନ୍ତେ ତୁରନ୍ତ ଶୌଚାଳୟକୁ ଖୋଲାଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.