ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସୁରେଶ ମହାପାତ୍ର

221

ଭୁବନେଶ୍ୱର: ଶୁକ୍ରବାର ବରିଷ୍ଠ ଆଇଏଏସ ଅଧିକାରୀ ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଅସିତ ତ୍ରିପାଠୀଙ୍କ ଅବସର ପରେ ସୁରେଶ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଇବେ । ତେବେ ଅସିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ ଭାବେ ଦାୟିତ୍ୱ ତୁଲାଇବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ ଅସିତ୍‌ ଦାୟିତ୍ୱ ତୁଲାଇବେ। ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷି, ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିବେ । ଏତତ୍ ବ୍ୟତୀତ ଆଇଏଏସ ପ୍ରଦୀପ ଜେନା ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି । ୨୦୨୨ ଫେବ୍ରୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ୧୯୮୬ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ସୁରେଶ । ପ୍ରଶାସନିକ ସ୍ତରରେ ଜଣେ ଅତି ଶାନ୍ତ କିନ୍ତୁ ପ୍ରଭାବୀ ଅଫିସର ଭାବେ ଜଣାଶୁଣା ସୁରେଶ ମହାପାତ୍ର ୧୯୮୮ ମସିହାରେ ଉପଜିଲ୍ଲାପାଳ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ।ଭଦ୍ରକ, ପୁରୀ ଓ କନ୍ଧମାଳର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ୧୯୯୯ ମହାବାତ୍ୟା ସମୟରେ ତାଙ୍କୁ ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଭଦ୍ରକ ଦାୟିତ୍ୱ ଦିଆଯାଇଥିଲା । ୧୯୯୭ରେ ତାଙ୍କୁ ଓମଫେଡର ଦାୟିତ୍ବ ମଧ୍ୟ ମିଳିଥିଲା । ଶକ୍ତି ଓ ଜଳସମ୍ପଦ ବିଭାଗରେ ସେ ବିଭିନ୍ନ ସମୟରେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଏହି ଦୁଇ କ୍ଷେତ୍ରରେ ସଂସ୍କାର ଆଣିବାରେ ସେ ଗୁରୁଦାୟିତ୍ବ ବହନ କରିଥିଲେ ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନରେ ମୁଖ୍ୟ ପ୍ରଶାସକ ଭାବେ ସେ ଏକାଧିକ ବାର କାର୍ଯ୍ୟ ତୁଲାଇଥିବା ବେଳେ ଏବେ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି । ସେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୧୯ ଅଗଷ୍ଟ ୧୮ ତାରିଖରେ ତାଙ୍କୁ ଉନ୍ନୟନ କମିଶନର ଭାବେ ଅବସ୍ଥାପିତ କରାଯାଇଥିଲା ।

Leave A Reply

Your email address will not be published.