ବିନ୍ଦୁସାଗର ଜାତୀୟ ସଂହତିର ପ୍ରତୀକ: ମୁଖ୍ୟମନ୍ତ୍ରୀ

185

ଜାତୀୟ ଐତିହ୍ୟର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ବଦ୍ଧପରିକର: ଧର୍ମେନ୍ଦ

-୭୦ଲକ୍ଷ ବ୍ୟୟରେ ପୁଷ୍କରିଣୀର ହେବ ସଫେଇ

-ଗତବର୍ଷ ଜୁନ୍‌ରେ ଆଇସିଟି-ଆଇଓସିଏଲ୍ ସହ ଏମ୍‌ଓୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ଏକାମ୍ର କ୍ଷେତ୍ରର ଐତିହ୍ୟ ସମ୍ପନ୍ନ ପୁଷ୍କରିଣୀ ବିନ୍ଦୁସାଗରର ସଫେଇ ପାଇଁ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ବିନ୍ଦୁସାଗର କୂଳରେ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିନ୍ଦୁ ସାଗର ମୋପାଇଁ ସବୁବେଳେ ଏକ ବଡ ଆକର୍ଷଣ ହୋଇ ରହିଛି । ଦେଶର ସବୁତୀର୍ଥ ଜଳ ବିନ୍ଦୁ ସାଗରରେ ଏକାଠି ହୋଇଛି । ବିନ୍ଦୁସାଗରର ପ୍ରତିଟି ଜଳବିନ୍ଦୁ ପବିତ୍ର । ବିନ୍ଦୁସାଗର ଜାତୀୟ ସଂହତି ଓ ଏକତାର ପ୍ରତୀକ । ବିନ୍ଦୁସାଗରଏକ ତୀର୍ଥ ପୋଖରୀ ନୁହେଁ, ପୁରୁଣା ଭୁବନେଶ୍ୱରର ଲୋକମାନଙ୍କ ସାମାଜିକ ଏବଂ ସାଂସ୍କୃତିକ ଜୀବନ ସହ ଏହାର ନିବିଡ ସମ୍ପର୍କ ରହିଛି ବୋଲି ସେ କହିଥିଲେ । ତେଣୁ ଏହାକୁ ସ୍ୱଚ୍ଛ ରହିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ସେ ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲିଙ୍ଗରାଜ ମହାପ୍ରଭୂଙ୍କ ପବିତ୍ର ଧାମ ଭୁବନେଶ୍ୱର କେବଳ ଏକ ମନ୍ଦିରମାଳିନୀ ନଗରୀ ନୁହେଁ ଏଠାରେ ଅନେକ ତୀର୍ଥ ପୋଖରୀ ମଧ୍ୟ ରହିଛି । ସେଗୁଡିକର ପରିବେଶକୁ ସ୍ୱଚ୍ଛ ରଖିବା ସମସ୍ତଙ୍କର ଦାୟିତ୍ୱ । ସେ ଆହୁରି କହିଥିଲେ ଯେ ଆଗାମୀ ଦିନରେ ବିଶୁଦ୍ଧ ଜଳ ସାରା ବିଶ୍ୱ ପାଇଁ ଏକ ବଡ ଆହ୍ୱାନ ହେବାକୁ ଯାଉଛି । ତେଣୁ ଏକ୍ଷେତ୍ରରେ ଏକାମ୍ର ଅଂଚଳରେ ଥିବା ୨୦ରୁ ଅଧିକ ଛୋଟ ବଡ ତୀର୍ଥ ପୋଖରୀର ସୁରକ୍ଷା ପାଇଁ ସମାଜ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ । ଇଣ୍ଡିଆନ ଅଏଲ ପକ୍ଷରୁ ପୁରୁଣା ଭୁବନେଶ୍ୱରଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସହ ଜଡ଼ିତ ବିନ୍ଦୁ ସାଗରର ପବିତ୍ର ଜଳକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇ ‘ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ’ ଲୋକାର୍ପିତ ହୋଇଯିବା ସମସ୍ତ ଓଡିଶାବାସୀଙ୍କ ପାଇଁ ଐତିହାସିକ କ୍ଷଣ । ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଖୁବ ଶୀଘ୍ର ବିନ୍ଦୁ ସାଗରର ପବିତ୍ର ପୁଷ୍କରିଣୀ ପରିଷ୍କାର ହେବ । ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇସିଟି) ମୁମ୍ବାଇ, ଭାରତୀୟ ତୈଳ ନିଗମ(ଆଇଓସିଏଲ), ଓଡ଼ିଶା ବ୍ରିଜ୍ କନଷ୍ଟ୍ରକସନ କର୍ପୋରେସନ(ଓବସିସି)ର ମିଳିତ ଉଦ୍ୟମରେ ବିଶେଷ ଜ୍ଞାନକୌଶଳରେ ବିନ୍ଦୁ ସାଗରରେ ସ୍ୱତନ୍ତ୍ର ଯନ୍ତ୍ରପାତି ଲଗାଯାଇଛି । ବିନ୍ଦୁସାଗରର ଚାରିପଟେ ଚାରୋଟି ପମ୍ପିଂ ସିଷ୍ଟମ ଅବସ୍ଥାପିତ ହୋଇଥିବା ବେଳେ ଏହା ପୋଖରୀର ଦୂଷିତ ଜଳକୁ ଛାଣି ସଫା ଜଳ ପୋଖରୀକୁ ଛାଡିବ । ଫଳରେ ଖୁବ୍ଶୀଘ୍ର ଏକାମ୍ର ତଥା ଭୁବନେଶ୍ୱରବାସୀଙ୍କ ବିନ୍ଦୁ ସାଗରର ପବିତ୍ର ଜଳ ସ୍ୱଚ୍ଛ ଓ ନିର୍ମଳ ହେବାର ସ୍ୱପ୍ନ ପୂରଣ ହେବ । ଏହି ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲ ୭୦ ଲକ୍ଷ ଟଙ୍କା ଯୋଗାଇଦେଇଛି । ପବିତ୍ର ଜଳ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୁଷ୍କରିଣୀର ପବିତ୍ରତାର ପ୍ରତୀକ ହେବ । ଏହି ଜଳ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସ୍ନାନ ନୀତିକାନ୍ତି ସମେତ ଆନୁଷାଙ୍ଗିକ କାମରେ ଲାଗିପାରିବ । ଓଡ଼ିଶାରେ ପେଟ୍ରୋକେମିକାଲ, କେମିକାଲ, ପଲିମର, ଟେକ୍ସଟାଇଲ ଏବଂ ଫାଇବର ଶିଳ୍ପର ଦ୍ରୁତ ବିକାଶ ମାଧ୍ୟମରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟରେ ନୂଆ ଭାରତ ଉଦୟର ଉଦ୍ୟମରେ ଓଡ଼ିଶାକୁ ପୂର୍ବ ଭାରତର ବିକାଶର ପ୍ରୟୋଗଶାଳା କରିବାର ଏକ ନିଷ୍ଠାପର ଏବଂ ଦୂରଦୃଷ୍ଟିସମ୍ପନ୍ନ ଉଦ୍ୟମ ଆରମ୍ଭ କରାଯାଇଛି । ଏକାଦଶ ଶତାବ୍ଦୀରେ ରାଜଧାନୀ ଭୁବନେଶ୍ୱରର ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜ ମନ୍ଦିର ପରି ଏକ ବିଶ୍ୱସ୍ତରୀୟ କୀର୍ତି ସ୍ଥାପିତ ହୋଇଥିଲା ।

ବିଜେଡି-ବିଜେପି କର୍ମୀଙ୍କ ବଳ କଷାକଷ

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଉଦ୍‌ଘାଟନୀ ଉତ୍ସବରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଥିଲେ । ଏହାକୁ ନେଇ ବିଜେଡି-ବିଜେପି କର୍ମୀମାନେ ଉତ୍ସାହିତ ହୋଇପଡ଼ିଥିଲେ । ଖାଲି ଉତ୍ସାହିତ ନୁହେଁ, ଉଭୟଙ୍କ ମଧ୍ୟରେ ନାରାବାଜିର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରି ଯେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ ସ୍ଥଳକୁ ଆସିଥିଲେ ସେତେବେଳେ ବିଜୁ ଜନତା ଦଳର ସମର୍ଥକମାନେ ନବୀନ ପଟ୍ଟନାୟକ ଜିନ୍ଦାବାଦ୍‌ ସ୍ଲୋଗାନ୍‌ରେ ପୂରା ଅଞ୍ଚଳକୁ କମ୍ପାଇଥିଲେ । ସେହିପରି ବିଜେପି ସମର୍ଥକ ମଧ୍ୟ ମୋଦୀ ଜିନ୍ଦାବାଦ୍ ଓ ଧର୍ମେନ୍ଦ୍ର ଜିନ୍ଦାବାଦ୍ ନାରା ଦେଇଥିଲେ । ସାଗୁଆ ଓ ଗେରୁଆ ରଙ୍ଗରେ ଭରିଯାଇଥିଲା ଉଦ୍‌ଘାଟନୀ ସ୍ଥଳ । ଚାହୁଁ ଚାହୁଁ ସରକାରୀ କାର୍ଯ୍ୟକ୍ରମ ରାଜନୈତିକ ଦଳର ବଳ କଷାକଷିରେ ପରିଣତ ହୋଇଥିଲା । ଏପରିକି ପରସ୍ପର ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ଆରମ୍ଭ ହୋଇଯାଇଥିଲା । ଧର୍ମେନ୍ଦ୍ରଙ୍କ ଭାଷଣ ବେଳେ ଶୁଭିଥିଲା ବିଜେଡି ସମର୍ଥକଙ୍କ ନାରାବାଜି । ଏପରି ସ୍ଥିତି ଦେଖି ନାରାବାଜି ବନ୍ଦ କରିବା ପାଇଁ ତାଗିଦ୍ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ମଞ୍ଚରେ ମୁହାଁମୁହିଁ ଅପରାଜିତା-ଅଶୋକ

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଯୋଜନା ଉଦ୍‌ଘାଟନୀ ଉତ୍ସବରେ ଆଉ ଏକ ରୋଚକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ମଞ୍ଚ ଉପରେ ଭାଷଣ ଦେବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିନ୍ଦୁସାଗର ଓ ଶ୍ରୀଲିଙ୍ଗରାଜଙ୍କ ପାଇଁ କ’ଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ । ଆଖିକୁ କିଛି କାମ ହୋଇଥିବା ପରି ଦେଖାଯାଉନି ବୋଲି ସେ ଆକ୍ଷେପ କରିଥିଲେ । ମଞ୍ଚରେ ଭାଷଣ ସମୟରେ ଏହାର ଜବାବ ରଖିଥିଲେ ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା । ଗୋଟି ଗୋଟି ରାଜ୍ୟ ସରକାର କ’ଣ କରିଛନ୍ତି ତାହାର ହିସାବ ସେ ଦେଇଥିଲେ ।

Leave A Reply

Your email address will not be published.