କାନଫୁଲ ପାଇଁ କାଟି ଦେଇଥିଲା କାନ: ତୁଳସୀ ଦେଈ ହତ୍ୟା ଅଭିଯୁକ୍ତର ଚାଞ୍ଚଲ୍ୟକର ବୟାନ

169

ଭୁବନେଶ୍ୱର: ୭ ମାସ ପରେ ସାମ୍ନାକୁ ଆସିଲା ସତ । ଲୁଟ୍ କରି ଲଭରକୁ ଦେଉଥିଲା ଗିଫ୍ଟ । ପୋଲିସ ପାରିଲାନି, ହେଲେ ସତ ଓଗାରିଲା ଅଭିଯୁକ୍ତ । କହୁ କହୁ ସାଥି ଅନ୍ତେବାସୀକୁ କହିଦେଲା ଗୁମର । ଜେଲର ·ରିକାନ୍ଥ ଭିତରେ ନିଜ କଳା କାରନାମାର ପର୍ଦ୍ଦାଫାସ କରିଛି ନୟାପଲ୍ଲୀ ତୁଳସୀ ଦେଈ ହତ୍ୟାକାଣ୍ଡର ଅଭିଯୁକ୍ତ । ଏଭଳି ଘଟଣାର ଖୁଲାସା ହେବା ପରେ ଅଭିଯୁକ୍ତକୁ ୨ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ୨୦୨୦ ମସିହା ଜୁଲାଇ ୨୬ ତାରିଖରେ ନୟାପଲ୍ଲୀ ଏନ୍ ୪/୨୬୩ରେ ପଶିଥିଲେ ଲୁଟେରା । ଘରେ ଥିବା ୭୦ ବର୍ଷୀୟ ତୁଳସୀ ଦେଈଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ୧୦ ଭରିର ସୁନା ଚେନ୍ ଓ କାନ ଫୁଲ ଲୁଟି ନେଇଥିଲେ । ଲୁଟ୍ ବେଳେ ବୃଦ୍ଧ ମହିଳାଙ୍କ କାନ କାଟିବା ସହ ଛୁରାମାଡ଼ କରିଥିଲେ । ପରବର୍ତ୍ତୀ ସମୟରେ ମହିଳା ଜଣଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଅଭିଯୁକ୍ତକୁ ଖୋଜୁଥିଲେ ମଧ୍ୟ ତାର ପତ୍ତା ମିଳିନଥିଲା । କିନ୍ତୁ ଅଗଷ୍ଟ ୮ ତାରିଖରେ ଆଉ ଏକ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ନାରାୟଣ ମହାନ୍ତିକୁ ଗିରଫ କରି ଜେଲ ପଠାଇଥିଲା ଖଣ୍ଡଗିରି ପୋଲିସ । ଜେଲରେ ଥିବା ସମୟରେ ଆଉ ଜଣେ ବିଚାରାଧୀନ କଏଦୀଙ୍କ ଆଗରେ ଲୁଟ୍ ଆଣ୍ଡ ମର୍ଡର ସିନ୍ ବଖାଣୁଥିବା ବେଳେ ପୋଲିସ ଏହି ହାର୍ଡକୋରକୁ କବ୍ଜାକୁ ନେଇଛି । ଅଭିଯୁକ୍ତ ନାରାୟଣ ନାମରେ କମିଶନରେଟ୍ ପୋଲିସରେ ୨୦ରୁ ଅଧିକ ମାମଲା ରହିଛି । ସ୍ପେଶାଲ ସ୍କ୍ୱାଡ ଓ ନୟାପଲ୍ଲୀ ପୋଲିସ ନାରାୟଣକୁ ଗିରଫ କରିବା ପରେ ୨ ଦିନିଆ ରିମାଣ୍ଡରେ ନେଇଛି । ବେଶ୍ ରଙ୍ଗୀନ ମିଜାଜର ଏହି ଲୁଟେରା ଲୁଟ୍ କରୁଥିବା ସୁନା ଗହଣା ତାର ଗାର୍ଲଫ୍ରେଣ୍ଡମାନଙ୍କୁ ଗିଫ୍ଟ ଦେଉଥିବା ପୋଲିସ ସାମ୍ନାରେ ସ୍ୱୀକାର କରିଛି । ଏଣୁ ଲୁଟ୍ ସୁନା ଜବତ କରିବାକୁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିବ କମିଶନରେଟ୍ ପୋଲିସ । ଭରତପୁର ଭଡ଼ା ଘରେ ମଧ୍ୟ ପୋଲିସ ଆଜି ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଅନ୍ୟପକ୍ଷରେ ଏଭଳି ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବାକୁ କହିଛନ୍ତି ଲୁଟର ଶିକାର ହୋଇ ମୃତ୍ୟୁବରଣ କରିଥିବା ତୁଳସୀ ଦେଈଙ୍କ ସ୍ୱାମୀ । ପୋଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଲୁଟେରା । ସହରର ଗହଳି ଭିତରେ ତିଆରି କରୁଛନ୍ତି କ୍ରାଇମ ପ୍ଲଟ୍ । ଲୁଟ ସହ ରଚୁଛନ୍ତି ବୀଭତ୍ସ କାଣ୍ଡ । ଏଣୁ ଏସବୁକୁ ରୋକିବା ପାଇଁ କମିଶନରେଟ୍ ପୋଲିସକୁ ଆହୁରି ଅଧିକ ସଜାଗ ରହିବା ଆବଶ୍ୟକତା ରହିଛି ।

Leave A Reply

Your email address will not be published.