ସିଡ୍ନୀ ଟେଷ୍ଟ ଡ୍ର’

192

ସିଡନୀ: ଟିମ୍ ଇଣ୍ଡିଆ କଙ୍ଗାରୁ ଟିମ୍କୁ ବ୍ୟାଟ୍ରେ ଦେଇଛି ଜବରଦସ୍ତ ଜବାବ ଏବଂ ହାରି ଯାଉଥିବା ସିଡନୀ ଟେଷ୍ଟ ମ୍ୟାଚକୁ ଡ୍ର’ କରିଛି । କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେଙ୍କ ଆଉଟ୍ ପରେ ଅଭିଜ୍ଞ ଚେତେଶ୍ୱର ପୂଜାରା ଓ ଯୁବ ୱିକେଟକିପର ଋଷଭ ପନ୍ତ ଏବଂ ଶେଷ ଭାଗରେ ହନୁମା ବିହାରୀ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଧୈର୍ଯ୍ୟପୂର୍ଣ୍ଣ ପାର୍ଟନରଶିପ୍ ଟିମ୍ ଇଣ୍ଡିଆକୁ ସିଡନୀ ଟେଷ୍ଟକୁ ଡ୍ର’ କରିବାରେ ସହାୟକ ହୋଇଛି । ବିଶେଷ କରି ପନ୍ତଙ୍କ ବିସ୍ଫୋରକ ଇନିଂସ୍ ଏକ ସମୟରେ ଭାରତକୁ ବିଜୟର ଆଶା ଦେଇଥିଲା, କିନ୍ତୁ ତାଙ୍କ ସହ ପୂଜାରାଙ୍କ ଆଉଟ୍ ପରେ ଭାରତ ଡ୍ର’ ପାଇଁ ମ୍ୟାଚ୍ ଖେଳିଥଲା । ଅଶ୍ୱିନ୍ ଓ ବିହାରୀ କଙ୍ଗାରୁ ଟିମର ଶକ୍ତିଶାଳୀ ବୋଲିଂ ଆଟାକ୍କୁ ଉଚିତ୍ ଜବାବ ଦେବା ସହ ଷଷ୍ଠ ୱିକେଟ୍ ପାଇଁ ପାଖାପାଖି ୪୩ ଓଭର ବ୍ୟାଟିଂ କରି ଭାରତକୁ ନିଶ୍ଚିତ ପରାଜୟରୁ ରକ୍ଷା କରିଥିଲେ । ଫଳରେ ୪୦୭ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଭାରତ ୧୩୧ ଓଭରରେ ୫ ୱିକେଟ୍ ହରାଇ ୩୩୪ ରନ୍ କରିଛି । ଭାରତ ପକ୍ଷରୁ ପନ୍ତ ସର୍ବାଧିକ ୯୭ ରନ୍ ଓ ପୂଜାରା ୭୭ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ । ବିହାରୀ ୨୩ ଓ ଅଶ୍ୱିନ୍ ୩୯ ରନ୍ କରି ଅପରାଜିତ ରହିଛନ୍ତି । ଏଥିସହ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ରେ ବରାବର ରହିଛି । ସିରିଜର ଚତୁର୍ଥ ତଥା ଶେଷ ଟେଷ୍ଟ ୧୫ ତାରିଖରୁ ବ୍ରିସବେନ୍ରେ ଆରମ୍ଭ ହେବ । ପଞ୍ଚମ ତଥା ଅନ୍ତିମ ଦିବସରେ ଭାରତ ତା’ର ପୂର୍ବଦିନର ସ୍କୋର ୯୮/୨ରୁ ଖେଳ ଆରମ୍ଭ କରିଥିଲା । ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ପୂଜାରା ଓ ରାହାଣେଙ୍କ ଉପରେ ଟିମ୍ ଇଣ୍ଡିଆର ଭାଗ୍ୟ ନିର୍ଦ୍ଧାରଣ କରୁଥିଲା । କିନ୍ତୁ ଆରମ୍ଭରୁ ରାହାଣେ(୪)ଙ୍କୁ ଆଉଟ୍ କରି ନାଥନ ଲିୟନ୍ ଭାରତର ଆଶାକୁ କ୍ଷୀଣ କରିଦେଇଥିଲେ । ହେଲେ ଅଷ୍ଟ୍ରେଲିଆର ଏହି ଖୁସିକୁ ନିରାଶରେ ପରିଣତ କରିଥିଲେ ପୂଜାରା ଓ ପନ୍ତ ।

ପ୍ରଥମ ଇନିଂସରେ ଆହତ ହୋଇଥିବା ପନ୍ତ ଆଜି ବିହାରୀ ବଦଳରେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ । କ୍ରିଜକୁ ଆସିବା ମାତ୍ରକେ ପନ୍ତ ନିଜର ସ୍ୱାଭାବିକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଗୋଟିଏ ପଟେ ପୂଜାରା ଧୈର୍ଯ୍ୟର ସହ ଖେଳୁଥବା ବେଳେ ପନ୍ତ ଆକ୍ରମଣାଞଗକ ବ୍ୟାଟିଂ ଜାରି ରଖିଥିଲେ । ପନ୍ତ ଓ ପୂଜାରା ଚତୁର୍ଥ ୱିକେଟ୍ ପାଇଁ ୧୪୮ ରନର ଶତକୀୟ ପାର୍ଟନରଶିପ୍ କରିଥିଲେ । ଏହି ଭାଗିଦାରୀ ହିଁ ଭାରତ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା । ଭାରତର ସ୍କୋର ୨୫୦ ଥିବା ବେଳେ ପନ୍ତ ବଡ଼ ଶଟ୍ ଖେଳିବା ପ୍ରୟାସରେ ନିଜ ୱିକେଟ ହରାଇ ବସିଥିଲେ ଏବଂ ମାତ୍ର ୩ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ପନ୍ତ ୧୧୮ ବଲରେ ୧୨ ଚୌକା ଓ ୩ ଛକା ସହ ୯୭ ରନ୍ କରି ଲିୟନଙ୍କ ବଲରେ ଆଉଟ୍ ହୋଇଥିଲେ । ଏହା ପରେ ପୂଜାରା ଓ ବିହାରୀ ପାଖାପାଖି ୯ ଓଭର ବ୍ୟାଟିଂ କରି ଆଉ ଏକ ଭଲ ଭାଗିଦାରୀ ଆଡ଼କୁ ଅଗ୍ରସର ହେଉଥିଲେ । କିନ୍ତୁ ଘରୋଇ ଦଳର ପେସର୍ ଜୋଶ ହେଜଲଉଡ୍ଙ୍କ ବଲରେ ପୂଜାରା କ୍ଲିନ୍ ବୋଲ୍ଡ ହୋଇଥିଲେ । ପୂଜାରା ୨୦୫ ବଲରେ ୧୨ ଚୌକା ସହ ୭୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ।

ପୂଜାରାଙ୍କ ଆଉଟ୍ ହେବା ପରେ ଅଷ୍ଟ୍ରେଲିଆର ବିଜୟ ଆଶା ଉଜ୍ଜୀବିତ ହୋଇଥିବା ବେଳେ ଭାରତ ବ୍ୟାକ୍ଫୁଟ୍କୁ ଚାଲିଆସିଥିଲା । ଏହିଠାରୁ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୫ ୱିକେଟ୍ ଆବଶ୍ୟକ ହେଉଥିବା ବେଳେ ଭାରତକୁ ମ୍ୟାଚ୍ ବଞ୍ଚାଇବା ପାଇଁ ପ୍ରାୟ ୪୩ ଓଭର ଖେଳିବାକୁ ଥିଲା । କ୍ରିଜରେ ବିହାରୀଙ୍କୁ ସାଥ୍ ଦେଇଥିଲେ ଅଶ୍ୱିନ୍, ଯିଏ ପୂରା ସିରିଜରେ ବ୍ୟାଟିଂରେ ଫେଲ୍ ମାରିଥିଲେ । ଉଭୟେ ବିହାରୀ ଓ ଅଶ୍ୱିନ୍ କଙ୍ଗାରୁ ବୋଲରଙ୍କୁ ୱିକେଟ୍ ନେବା ପାଇଁ ନୟାନ୍ତ କରିଥିଲେ । ଅଷ୍ଟ୍ରେଲିଆ ମଧ୍ୟ ସବୁ ରଣନୀତି ଆପଣାଇଥିଲେ ହେଁ ଭାରତର ଏହି ଯୋଡ଼ିକୁ ଭାଙ୍ଗିପାରିନଥିଲେ । ଦୁହେଁ ୪୨.୪ ଓଭର ବ୍ୟାଟିଂ କରି ୬୨ ରନ୍ର ପାର୍ଟନରଶିପ୍ କରି ଭାରତକୁ ପରାଜୟରୁ ରକ୍ଷା କରିବା ସହ ମ୍ୟାଚକୁ ଚିରାଚରିତ ଢଙ୍ଗରେ ଡ୍ର’ କରିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ହେଜଲଉଡ୍ ଓ ଲିୟନ୍ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ କମିନ୍ସ ଗୋଟିଏ ସଫଳତା ପାଇଛନ୍ତି । ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ୍ କରିଥିବା ବେଳେ ଭାରତ ୨୪୪ ରନ୍ କରି ଅଲଆଉଟ୍ ହୋଇଥିଲା । ଅଷ୍ଟ୍ରେଲିଆ ଦ୍ୱିତିୟ ଇନିଂସରେ ୬ ୱିକେଟ ହରାଇ ୩୧୨ ରନ୍ କରି ଭାରତକୁ ୪୦୭ ରନର ଟାର୍ଗେଟ୍ ଦେଇଥିଲା ।

Leave A Reply

Your email address will not be published.