କର୍କଟ ରୋଗରେ ପିଡୀତ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

165

ବୌଦ୍ଧ: ବୌଦ୍ଧ ସହର ନଅ ନମ୍ବର ୱାର୍ଡର ଗେହ୍ଲିରାଣୀ ବେହେରା(୨୬) ଦୀର୍ଘ ତିନି ବର୍ଷ ହେବ କର୍କଟ ରୋଗରେ ପିଡିତ ହୋଇଥିବା ବେଳେ ଏବେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ସେ ଅର୍ଜୁନ ବେହେରା ଓ ଜୟନ୍ତୀଙ୍କ ଏକ ମାତ୍ର ଝିଅ ହୋଇଥିବା ବେଳେ ବାପାମା ମାଛ ବ୍ୟବସାୟ କରି ଚଳୁଛନ୍ତି । ଏବେ ଝିଅର ଚିନ୍ତା ବାପମାଙ୍କୁ ଘାରିଛି । ଅର୍ଜୁନ ଗତ ପାଂଚ ବର୍ଷ ତଳେ ଝିଅକୁ ସୋନପୁର ଜିଲ୍ଲା ବିନିକାରେ ବିବାହ କରିଥିଲେ । ଦାମ୍ପତ୍ୟ ଜୀବନ ସୁଖରେ ଚାଲି ଆସୁଥିବା ବେଳେ ହଠାତ ଗେହ୍ଲିରାଣୀର ହାତରେ ଏକ ଟ୍ୟୁମର ହୋଇଥିଲା । ଏହାକୁ ବୁର୍ଲାରେ ଚିକିତ୍ସା କରାଉଥିବା ବେଳେ ସେଠାରେ ଡାକ୍ତର କର୍କଟ ରୋଗ ହୋଇଥିବା କହିଲେ । ଏହା ଶୁଣି ପରିବାର ଲୋକ ଭାଙ୍ଗି ପଡିଥିଲେ । ଚିକିତ୍ସା ପାଇଁ ଭୂବନେଶ୍ୱର ଏମ୍ସକୁ ନିଆଯାଇଥିଲା । ଏମ୍ସରେ ଡାକ୍ତର ସେମାନଙ୍କୁ ବୋନ ସବଟିସୁ କ୍ୟାନ୍ସର ବୋଲି କହିଥିଲେ । ସେଠାରେ ଚିକିତ୍ସା କରାଯାଇ ଅସ୍ତ୍ରପ୍ରଚାର କରାଯାଇଥିଲା । ହେଲେ ପୁଣି ଥରେ ହାତ ଫୁଲିବା ଦେଖି ପରିବାର ଲୋକେ ଏବେ ଚିକିତ୍ସା ପାଇଁ ବିଶାଖାପାଟଣାକୁ ନେଉଛନ୍ତି । ସେଠାରେ ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥ ସମସ୍ୟା ଦେଖାଦେଇଛି । ଅର୍ଜୁନ ଏକ ଛାଟିମାଟି ଘରେ ରହୁଥିବା ବେଳେ ସେମାନେ ଯାହା ରୋଜଗାର କରୁଛନ୍ତି ତାହା ପରିବାର ଚଳାଇବା କଷ୍ଟ ହୋଇପଡୁଥିବା ବେଳେ ଗେହ୍ଲିରାଣୀର ଚିକିତ୍ସା ଚିନ୍ତା ସେମାନଙ୍କୁ ଘାରିଛି । କେଉଁଠୁ ଅର୍ଥ ଆଣିବେ ତାହାର ଚିକିତ୍ସା କିପରି କରିବେ ତାହାକୁ ନେଇ ଚିନ୍ତାରେ ପରିବାର ଲୋକପଡିଛନ୍ତି । ସେପଟେ ଗେହ୍ଲିରାଣୀର ସ୍ୱାମୀ ମଧ୍ୟ ଏକ ମେକାନିକ ହୋଇଥିବା ବେଳେ ସେଥିରୁ ଯାହା ରୋଜଗାର କରୁଛନ୍ତି ଚିକିତ୍ସାରେ ଚାଲିଯାଉଛି । ଏପରିସ୍ଥଳରେ ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଢାଇବା ସହିତ ଚିକିତ୍ସା ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.