ରାଜ୍ୟବାସୀଙ୍କ ପାଇଁ ଖୁସି ଖବର : ଭୁବନେଶ୍ବରରେ ପହଞ୍ଚିଲା କରୋନା ଟିକା କୋଭିିସିଲ୍ଡ

180

ଭୁବନେଶ୍ୱର: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ରାଜ୍ୟବାସୀଙ୍କ ଲାଗି ଆସିଲା ଖୁସିଖବର । ରାଜ୍ୟରେ କୋଭିଡ୍-୧୯ ଟୀକାକରଣ ଲାଗି ପୁନେରୁ ଆସି ପହଞ୍ଚିଛି କରୋନା ଟିକା । ଭୁବନେଶ୍ୱରରେ ପହଞ୍ଚିଲା କରୋନା ଭ୍ୟାକ୍ସିନ୍‌ । ଭୁବନେଶ୍ୱର ବିମାନବନ୍ଦରରେ ସ୍ପାଇସଜେଟ୍ ଯୋଗେ ପହଞ୍ଚିଲା କୋଭିସିଲ୍ଡ ଟିକା । ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଓଡ଼ିଶା ରାଜ୍ୟ ଟିକା ଭଣ୍ଡାରରେ ପହଞ୍ଚିଛି । ସ୍ପାଇସଜେଟର ଏକ ସ୍ବତନ୍ତ୍ର ବିମାନ ଯୋଗେ ଅପରାହ୍ନ ୩ଟା ୪୦ମିନିଟରେ ପୁନେର ସେରମ୍ ଇନଷ୍ଟିଚ୍ୟୁଟରୁ ଭୁବନେଶ୍ବରରେ ଆସି ପହଞ୍ଚିଛି କରୋନା ଟିକା କ‌ୋଭିସିଲ୍ଡ । ବିମାନ ବନ୍ଦରରେ ପହଞ୍ଚିବା ପରେ ଟିକା ବାକ୍ସଗୁଡ଼ିକୁ ସ୍ବତନ୍ତ୍ର ଗାଡ଼ି ଯୋଗେ ଶ୍ରୀରାମ ମନ୍ଦିର ଛକରେ ଥିବା ରାଜ୍ୟ ଔଷଧ ନିଗମ କାର୍ଯ୍ୟାଳୟ ପରିସରକୁ ଅଣାଯାଇଛି ।

ଭୁବନେଶ୍ବର ବିମାନବନ୍ଦରରୁ କଡ଼ା ସୁରକ୍ଷା ମଧ୍ୟରେ ୩ଟି ଜାତୀୟ ଟିକା ଯାନରେ ପ୍ରାୟ ୧୨୦୦ କିଲୋ ଓଜନର ୩୪ଟି ପ୍ୟାକେଟରେ ଭର୍ତ୍ତି ହୋଇ ଆସିଥିବା ଟିକାକୁ ରାଜ୍ୟ ଟିକାକରଣ କେନ୍ଦ୍ରରେ ଗଚ୍ଛିତ ରଖାଯାଇଛି। ଆସନ୍ତାକାଲି ବିଭିନ୍ନ ଜିଲ୍ଲାକୁ ନିର୍ଦ୍ଧାରିତ ପରିମାଣର ଟିକା ପ୍ରେରଣ କରାଯିବ। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ୩୦ଟି ଜିଲ୍ଲାରୁ ଭୁବନେଶ୍ବରରୁ ଟିକା ନେବାକୁ ସ୍ବତନ୍ତ୍ର ଗାଡ଼ି ଆସି ପହଞ୍ଚିବ ଏବଂ ସେଥିରେ ଟିକା ଜିଲ୍ଲା ଟୀକାକରଣ କେନ୍ଦ୍ରକୁ ପଠାଯିବ ।

ଏଥିପାଇଁ ଔଷଧ ନିଗମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଠାରୁ ସବୁ ଜିଲ୍ଲାକୁ ଟିକା ନେବା ପାଇଁ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ଚିଠି କରାଯାଇଛି । ସେମାନେ ଭ୍ୟାକସିନ୍ ଗାଡ଼ି ପଠାଇ ଟିକା ନେଇପାରିବେ । ଟିକା ନେଇ ଜିଲ୍ଲା ଭ୍ୟାକସିନ୍ ଷ୍ଟୋରରେ ରଖିବେ । ସେଠାରୁ କୋଲ୍‌ଡ ଚେନ୍ ମାଧ୍ୟମରେ ସ୍ଥିରୀକୃତ ହୋଇଥିବା ଶହେଟି ସ୍ଥାନକୁ ଟିକା ପଠାଯିବ ।

ପ୍ରଥମ ପର୍ଯ୍ୟାୟରେ କୋଭିସିଲ୍ଡର ୪୦ ହଜାର ୮ଶହ ଭାଏଲ୍ (ଛୋଟ ବୋତଲ୍) ଆସିଛି । ଗୋଟିଏ ବୋତଲରେ ଯେଉଁ ପରିମାଣରେ ଔଷଧ ରହିଛି ତ‌ାହା ୧୦ ଜଣଙ୍କୁ ଦିଆଯାଇ ପାରିବ । ହିସାବ ଅନୁସାରେ, ରାଜ୍ୟରେ ସମୁଦାୟ ୪ ଲକ୍ଷ ୮ ହଜାର ଡୋଜ୍ ଟିକା ପହଞ୍ଚିଛି। ଆଜି ଯେତିକି ଟିକା ଆସିଛି ତାହା ୧ ଲକ୍ଷ ୯୧ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯାଇପାରିବ । ପ୍ରଥମ ପର୍ଯ୍ୟାୟ ଟୀକାକରଣ ଲାଗି ବୟସ୍କ, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀଙ୍କୁ ପ୍ରାଧାନ୍ୟ ଦିଆଯିବ । ଯେଉଁମାନଙ୍କୁ ଟିକା ଦିଆଯିବ ସେମାନଙ୍କୁ ପାଖକୁ ମେସେଜ ଯିବ । ଯେଉଁ ସବୁ ଜିଲ୍ଲାରେ କୋଭିଡ ସ୍ଥିତି ସଙ୍ଗୀନ ଥିଲା ସେ ସ୍ଥାନକୁ ଗୁରୁତ୍ୱ ଦିଆଯିବ । ଏହା ସହ ୨୦ହଜାର କୋଭାକ୍ସିନ ଟିକା ରାଜ୍ୟକୁ ଆସୁଥିବା କେନ୍ଦ୍ର ସରକାର ଜଣାଇଛନ୍ତି ।

ଆସନ୍ତା ୧୬ ତାରିଖରୁ ରାଜ୍ୟରେ କୋଭିଡ୍‌ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ରାଜ୍ୟରେ ୧୬୦ଟି ଟିକାଦାନ କେନ୍ଦ୍ର ଚିହ୍ନଟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯିବ। ଟିକାଦାନ ସମୟରେ କ୍ୟାପିଟାଲ ହସ୍ପିଟାଲ ଓ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମାର ହସ୍ପିଟାଲରେ ତଥ୍ୟ ସରବରାହ ପାଇଁ ଭିଡିଓ କନଫେରେନ୍‌ସିଂ ବ୍ୟବସ୍ଥା କରାଯାଇଛି। ଫଳରେ ‌ଟିକା ଓ ଟିକା ନେଇଥିବା ବ୍ୟକ୍ତିଙ୍କ ସଂପର୍କରେ କେନ୍ଦ୍ର ସରକାର ସୂଚନା ପାଇପାରିବେ।

କୋଭିଡ୍‌ ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ୩୦ ଜିଲ୍ଲା ବାଦ୍ ୫ ମହାନଗର ନିଗମରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତି ଟିକାଦାନ କେନ୍ଦ୍ରରେ ୧୦୦ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ସବୁ ଟିକାଦାନ କେନ୍ଦ୍ରରେ ଏଇଏଫ୍‌ଆଇ କିଟ୍‌ ମହଜୁଦ ରହିବ। ଟିକା ନେବା ପରେ କୌଣସି ବ୍ୟକ୍ତିଙ୍କ ଯଦି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ ତା’ହେଲେ ଏଇଏଫ୍‌ଆଇ କିଟ୍‌ରେ ଥିବା ଇଞ୍ଜେକସନ୍‌ ଦିଆଯିବ। ଟିକାକରଣର ସୁପରିଚାଳନା ପାଇଁ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ଜିଲ୍ଲାସ୍ତରୀୟ କମିଟି ମଧ୍ୟ ଜିଲ୍ଲାରେ ଟିକାର ସୁପରିଚାଳନାର ନିରୀକ୍ଷଣ କରିବାକୁ କୁହାଯାଇଛି।

Leave A Reply

Your email address will not be published.