ମାଲକାନଗିରି: ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ରହିଛନ୍ତି ଜଣେ ଦିନ ମଜୁରିଆ । ଏଭଳି ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ସଦରରେ ଦେଖିବାକୁ ମିଳିଛି । ବାଲିମେଳା ଏନଏସିର ୧ ନଂ ୱାର୍ଡର ମାଉସୀ ମନ୍ଦିର ନିକଟସ୍ଥ ଉପର ସାହିର ପୁରୁସୂତି ଖରା(୩୫) ଯେ କି ପୂର୍ବେ ଅନ୍ୟ ଗାଡି ଚଳାଇ ନିଜ ଘର ଚଳାଉଥିଲେ। କିନ୍ତୁ ଆଜି ସେ ହୋଇଯାଇଛନ୍ତି ଅସହାୟ। ଆଜିକୁ ଦୀର୍ଘ ୩ ମାସ ହେବ ତାଙ୍କର ଦୁଇ ଗୋଡ଼ ମନକୁ ମନ ଫୁଲି ଯାଉଛି । ପ୍ରଥମେ ତାଙ୍କର ବାମ ଗୋଡ଼ ଫୁଲିଥିଲା ଏବଂ ସେ ଏହାକୁ ଏତେ ଗୁରୁତର ଭାବେ ନେଇ ନଥିଲେ। କିନ୍ତୁ ପରେ ଡାହାଣ ଗୋଡ଼ ମଧ୍ୟ ଧୀରେ ଧୀରେ ଫୁଲିବାକୁ ଆରମ୍ଭ କରିଥିଲା। ଯାହାଦ୍ୱାରା ସେ ବର୍ତ୍ତମାନ ଚାଲି ପାରୁନଥିବା କହିଛନ୍ତି । ଏହାସହ ଯଦି କିଛି ଦୂର ମଧ୍ୟ ଚାଲି ଯାଉଛନ୍ତି ତାହେଲେ ସେ କ୍ଲାନ୍ତ ଅନୁଭବ କରି ପଡି ଯାଉଥିବା କହିଛନ୍ତି । ତେଣୁ ବାଧ୍ୟହୋଇ ସେ ଘରର ଗୋଟିଏ କୋଣରେ ଶୀତ କାକର ଖାଇ ପଡି ରହିଛନ୍ତି। ସେ ଏପରି ରୋଗରେ ପୀଡିତ ଥିବାରୁ ତାଙ୍କ ସ୍ତ୍ରୀ ସୁଭଦ୍ରା ଖରା ବର୍ତ୍ତମାନ ଶ୍ରମିକ ଭାବେ ଅନ୍ୟତ୍ର କାମ କରି ସମ୍ପୂର୍ଣ୍ଣ ପରିବାରକୁ ପ୍ରତିପୋଷଣ କରୁଥିବା ଦେଖିବାକୁ ମିଳିଛି । ଗୋଟିଏ ପୁଅ ଏବଂ ୪ ଟି ଝିଅକୁ ନେଇ ଦୁଃଖ ଦୁର୍ଦଶା ଭୋଗୁଥିବା କହିଛନ୍ତି । ପୁରୁସୂତିଙ୍କ ନିକଟରେ ଅର୍ଥ ନଥିବାରୁ ସେ ବାଧ୍ୟହୋଇ ଗୁଣିଗାରେଡି ଉପରେ ଭରସା କରି ଚିକିତ୍ସା କରୁଥିବା କହିଛନ୍ତି । ତେବେ ଗୁଣିଗାରେଡି କରିବା ପରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ । ତେଣୁ ତାଙ୍କର ଚିକିତ୍ସା ନିମନ୍ତେ ସେ ସରକାରଙ୍କୁ ଆର୍ଥିକ ସହାୟତା ନିମନ୍ତେ ନିବେଦନ କରିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପୁରୁସୂତିଙ୍କ ସହାୟତା ନିମନ୍ତେ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.