ଦାମନଯୋଡିରେ ବେଆଇନ ମଦଦୋକାନ ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି: ପୋଲିସ ନିରବ ଉପରେ ପ୍ରଶ୍ନବାଚୀ

176

ଦାମନଯୋଡି: କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଅଧିନସ୍ଥ ମାଥାଲପୁଟ ଅଂଚଳରେ ଦିନକୁ ଦିନ ବଢିଚାଲିଛି ବେଆଇନ ମଦ ଦୋକାନ । ମାଥାଲପୁଟର ମୂଖ୍ୟ ସଡକ ଠାରୁ ଆରମ୍ଭ କରି ରାସ୍ତାପାର୍ଶ୍ବ ଆମ୍ବତୋଟାରେ ବେଆଇନ ମଦଦୋକାନ ବୃଦ୍ଧି ପାଇଥିବାରୁ ଦିନରାତି ଉକ୍ତ ସ୍ଥାନରେ ମଦ୍ୟପଙ୍କ ଭିଡ ଲାଗି ରହୁଛି । ଯାହା ଫଳରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି । ଝିଅବୋହୁମାନେ ଉକ୍ତ ରାସ୍ତାରେ ଯାତାୟତ ପାଇଁ ଭୟ କରୁଛନ୍ତି ।ଏନେଇ ସ୍ଥାନୀୟ ପୋଲିସକୁ ଅବଗତ କରାଗଲେବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ବରଂ ପୋଲିସକୁ ହାତବାରିସ୍ କରି ମଦବେପାରୀମାନେ ଏଭଳି କାର୍ଯ୍ୟ ଚଳାଇଥିବା ଚର୍ଚା ହେଉଛି।ଦାମନଯୋଡି ଥାନା କିଛି ପୁଲିସବାବୁ ଦୀର୍ଘବର୍ଷ ହେଲା ରହି ଆସୁଥିବାବେଳେ ସେମାନଙ୍କର ଅନ୍ୟତ୍ର ବଦଳି ହେଉନଥିବାରୁ ସେମାନଙ୍କର ବେଆଇନ ମଦ ବେପାରୀଙ୍କ ସହିତ ହାତ ରହିଛି । ଫଳରେ ସେମାନେ ନିର୍ଭୟରେ ମଦ କାରବାର ଚଳାଇଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି । ସେହିପରି ମାଥାଲପୁଟ ଓ ଭେଜାପୁଟ ଅଂଚଳରେ କୋଡିନ କଫସିରାପ୍ ଓ ନିଶା ଇଂଜେକସନ୍ ବିକ୍ରି ବୃଦ୍ଧି ଘଟିଛି । ସ୍ଥାନୀୟ ଅଂଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବାବେଳେ ପୋଲିସର କାର୍ଯ୍ୟକଳାପ ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତୁରନ୍ତ ଜିଲ୍ଲା ପୋଲିସ ଏଭଳି ଅସାମାଜିକ କାର୍ଯ୍ୟକଳାପ ବନ୍ଦ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ଜନତାଙ୍କ ସହ ମାଥାଲପୁଟ ଗାଁ ବିକାଶ ସମିତି ଦାବୀ କରିଛି ।

Leave A Reply

Your email address will not be published.