ଉହାନ୍ ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞ
ବେଜିଂ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞ ଦଳ କୋଭିଡ୍ ଭୂତାଣୁର ଉତ୍ପତ୍ତିସ୍ଥଳ ବିଷୟରେ ତଦନ୍ତ କରିବାକୁ ଚୀନର ହୁବେଇ ପ୍ରଦେଶସ୍ଥିତ ଉହାନରେ ପହଞ୍ଚିଛନ୍ତି । ଏହି ଟିମ୍ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ରେ ରହିବେ ଓ ସେହି ସମୟରେ ଚୀନର ବୈଜ୍ଞାନିକମାନଙ୍କ ସହ ବିଚାରବିମର୍ଶ କରିବେ । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନ୍ କହିଛି, ବୁଧବାର ଦିନ ହୁବେଇ ପ୍ରଦେଶରେ କିଛି ଲୋକଙ୍କର ମୃତ୍ୟୁ ଘଟିଥିଲା । ବୁଧବାର ଦିନ ୧୩୮ ଜଣ କୋଭିଡ୍-୧୯ରେ ସଂକ୍ରମଣ ହୋଇଥିବା ସେଠାକାର ଜାତୀୟ ସ୍ୱାସ୍ଥ୍ୟ କମିଶନ୍ ଜଣାଇଛି । ସେମାନଙ୍କ ମଧ୍ୟରୁ ୧୨୪ ଜଣଙ୍କ ଶରୀରରେ ସ୍ଥାନୀୟସ୍ତରରେ ଭୂତାଣୁ ପ୍ରବେଶ କରିଛି । ସେମାନଙ୍କ ମଧ୍ୟରୁ ୮୧ ଜଣ ହୁବେଇ ପ୍ରଦେଶର ଥିବାବେଳେ ୪୩ ଜଣ ହେଲଙ୍ଗ୍ ଜିଆଙ୍ଗ୍ ପ୍ରଦେଶରୁ ରହିଛନ୍ତି । ଏହାଛଡ଼ା ୭୮ ଜଣ ସଂକ୍ରମିତ ଲୋକଙ୍କ ଶରୀରରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ । ତେଣୁ ଚୀନ୍ ସେମାନଙ୍କୁ କୋଭିଡ୍ ସଂକ୍ରମିତ ଭାବେ ନାମିତ କରିନାହିଁ । ମଙ୍ଗଳବାର ଦିନ ମଧ୍ୟ ୧୧୫ଜଣ ସଂକ୍ରମିତ ହୋଇଥିବା ଖବର ମିଳିଥିଲା । ବୁଧବାର ଦିନ ସଂକ୍ରମିତ ହୋଇଥିବା ୨୧୬ ଜଣଙ୍କ ମଧ୍ୟରୁ ୧୭ଜଣଙ୍କ ଶରୀରରେ ବାହାର ଭୂତାଣୁ ପ୍ରବେଶ କରିଥିବା କୁହାଯାଉଛି ।
ତୃତୀୟଥର ପାଇଁ ଆପତ୍ତି କଲା ଭାରତ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଚିତ୍ରକୁ ନେଇ ଅସନ୍ତୋଷ ଜାହିର କରିଛି ଭାରତ । ଯେଉଁଥିରେ ଭାରତର ସୀମାକୁ ଭୁଲ ଭାବରେ ଚିତ୍ରିତ ହୋଇଛି । ଏହି ମାନଚିତ୍ରଟି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୱେବ୍ପୋର୍ଟାଲରେ ବ୍ୟବହୃତ ହେଉଛି । ଏ ନେଇ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସଙ୍କୁ ସଂଶୋଧନ କରି ନୂଆ ମାନଚିତ୍ର ଜାରି କରିବାକୁ କହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜମ୍ମୁ କଶ୍ମୀର ଏବଂ ଲଦାଖକୁ ନିଜ ମାନଚିତ୍ରରେ ଭାରତଠାରୁ ପୃଥକ ଭାବରେ ଦର୍ଶାଇଛି । ଯାହାକୁ ନେଇ ଭାରତ ଆପତ୍ତି କରିଛି । ଭାରତର ଏହି ଦୁଇଟି ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଧୂସର ରଙ୍ଗରେ ରହିଥିବା ବେଳେ ଭାରତ ଏକ ପୃଥକ୍ ନୀଳ ରଙ୍ଗରେ ପ୍ରଦର୍ଶିତ ହୋଇଛି । ଏହାପୂର୍ବରୁ ଡିସେମ୍ବର ୩ ଏବଂ ୩୦ରେ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକଙ୍କ ପାଖରେ ଆପତ୍ତି କରିଥିଲା ।