ଗୁଡ୍ ବାଏ ଟ୍ରମ୍ପ୍: ୱେଲକମ୍ ବାଇଡେନ
ନୂଆଦିଲ୍ଲୀ: ବୁଧବାର ଆମେରିକା ସମୟ ୧୧.୫୯ ମିନିଟ୍ ୫୯ ସେକେଣ୍ଡରେ ସରିବ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ କାର୍ଯ୍ୟକାଳ । ଆରମ୍ଭ ହେବା ବାଇଡେନ୍ ଯୁଗ । ବାଇଡେନ୍ଙ୍କ ଶପଥ ଗ୍ରହଣ ଉତ୍ସବରେ ରହିବେନି ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଆଗୁଆ ଛାଡ଼ିଦେବେ ହ୍ୱାଇଟ୍ ହାଉସ୍ । ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍ । ଏଥିପାଇଁ ଆମେରିକା ଡିସି ଓ ଏହାର ଆଖପାଖ ଅଞ୍ଚଳକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି । ସୁରକ୍ଷା ପାଇଁ ନ୍ୟାସନାଲ ଗାର୍ଡଙ୍କୁ ମୁତୟନ କରାଯାଇଛି । ବାଇଡେନ୍ ଶପଥ ନେବା ପୂର୍ବରୁ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଛାଡ଼ିବା ପାଇଁ କୁହାଯାଇଛି ।
ରାଷ୍ଟ୍ରପତି ଭାବେ ବାଇଡେନ୍ଙ୍କୁ ଶପଥ ପାଠ କରାଇବେ ସୁପ୍ରିମ୍କୋର୍ଟ ବିଚାରପତି ଜନ୍ ରବର୍ଟସ୍ ଓ ଉପରାଷ୍ଟ୍ରପତି ଭାବେ କମଲା ହାରିସଙ୍କୁ ଶପଥପାଠ କରାଇବେ ସାତୋମାୟର । ଶପଥ ଗ୍ରହଣ ଉତ୍ସବ ସମୟରେ ହିଂସା ଆଶଙ୍କା ଥିବାରୁ ୱାଶିଂଟନ ଡିସିର କ୍ୟାପିଟାଲ ବିଲ୍ଡିଂକୁ ବନ୍ଦ କରିଦିଆଯାଇଛି । ଏଥର ବାଇଡେନ୍ଙ୍ ସରକାରରେ ୨୦ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ସ୍ଥାନ ମିଳିଛି । ସେମାନଙ୍କ ମଧ୍ୟରୁ ୧୩ଜଣ ମହିଳା ଥିବାବେଳେ ମୋଟ ୧୭ଜଣ ହ୍ୱାଇଟ୍ ହାଉସ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ ପାଇଛନ୍ତି । ଆମେରିକାର ପୂରା ଜନସଂଖ୍ୟାର ମାତ୍ର ଏକ ପ୍ରତିଶତ ଭାରତୀୟ ବଂଶୋଦ୍ଭବ ଥିବାବେଳେ ହ୍ୱାଇଟ୍ ହାଉସରେ ସେମାନଙ୍କ ଦବ୍ଦବା ବଢ଼ୁଛି । ଏପରିକି ବାଇଡେନ୍ଙ୍କ ପତ୍ନୀ ଜିଲ୍ ବାଇଡେନ୍ଙ୍କ ନୀତି ନିର୍ଦ୍ଦେଶକ ଭାବେ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ନିଯୁକ୍ତି ମିଳିଛି ।
ଭାରତ-ଟ୍ରମ୍ପ୍ ସମ୍ପର୍କ
ଭାରତ ପାଇଁ ମୋଦୀ-ଟ୍ରମ୍ପ୍ ସମ୍ପର୍କ ସବୁଦିନ ସ୍ମରଣୀୟ ହୋଇରହିବ । ମୋଦୀଙ୍କ ଆମେରିକା ଗସ୍ତ ବେଳେ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଦୁଇନେତାଙ୍କ ଦୋସ୍ତିକୁ ବିଶ୍ୱବାସୀ ଦେଖିଥିଲେ । ଏହାପରେ ୨୦୨୦ରେ ପତ୍ନୀଙ୍କ ସହ ଭାରତ ଆସିଥିଲେ ଟ୍ରମ୍ପ୍ । ମୋଦୀ ତାଙ୍କ ପାଇଁ ଆୟୋଜନ କରିଥିଲେ ‘ନମସ୍ତେ ଟ୍ରମ୍ପ୍’। ଏପରିକି ତାଙ୍କ ଭାରତ ଗସ୍ତ ସମୟରେ ତାଜମହଲ ବୁଲିବା ସହ ଅନେକ ସ୍ମୃତି ନେଇ ଫେରିଥିଲେ । ଏବେ ଟ୍ରମ୍ପଙ୍କ ପରେ ଭାରତ-ଆମେରିକା ସମ୍ପର୍କ କିପରି ରହିବ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଟ୍ରମ୍ପ୍ ଙ୍କୁ କିପରି ମନେ ରଖିବେ ଆମେରିକାବାସୀ
ବିଶ୍ୱର ଅନେକ ଦେଶ ଟ୍ରମ୍ପ ତୁରନ୍ତ ବିଦା ହୁଅନ୍ତୁ ବୋଲି ଚାହୁଁଥିବା ବେଳେ ଆମେରିକାବାସୀ କିପରି ତାଙ୍କୁ ମନେ ରଖିବେ ତାହା ହିଁ ଭବିଷ୍ୟତ କହିବ । ଟ୍ରମ୍ପ୍ ଦାୟିତ୍ୱ ନେବା ପରେ ଆମେରିକାରେ ବେକାରି ହାର ୫୦ବର୍ଷରେ ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା । କର୍ମଚାରୀଙ୍କ ଦରମା ୫ ପ୍ରତିଶତ ହାରରେ ବାର୍ଷିକ ବୃଦ୍ଧି ହୋଇଥିଲା । ଷ୍ଟକ୍ ମାର୍କେଟ୍ ଉପରକୁ ଉଠିଥିଲା । କିନ୍ତୁ ପେଶାରେ ବେପାରି ଥିବା ଟ୍ରମ୍ପ୍ ଙ୍କୁ ବାଣିଜ୍ୟ ନୀତି ଯୋଗୁ କେବଳ ଚୀନ୍ ନୁହେଁ ଅନ୍ୟ ସହଯୋଗୀ ରାଷ୍ଟ୍ର ସହ ଆମେରିକାର ସମ୍ପର୍କ ଖରାପ ହୋଇଥିଲା ।
ଟ୍ରମ୍ପ୍ ଙ୍କ ବୈଦେଶିକ ନୀତି ଠିକ୍ ଭାବେ କାମ କରୁନଥିବା ଜଣାପଡ଼ିଲା । ଏପରିକି ଟ୍ରମ୍ପ୍ ଙ୍କ କୂଟନୈତିକ ଓ ବୈଦେଶିକ ନୀତି ଅନେକ ସମୟରେ ଆମେରିକାର ଛବିକୁ ଖରାପ କରିଦେଇଥିଲା । ୨୦୨୦ ମସିହା ଥିଲା ସବୁଠାରୁ ତାଙ୍କ ପାଇଁ ଖରାପ ସମୟ । ୨୦୨୦ ଆସୁ ଆସୁ ସବୁକିଛି ଓଲଟ ପାଲଟ କରିଦେଲା ।
କରୋନା ଭାଇରସ୍ ଆମେରିକା ଅର୍ଥନୀତିକୁ ରସାତଳଗାମୀ କରିଦେଲା । ମହାମାରୀ ମୁକାବିଲା ପାଇଁ ଟ୍ରମ୍ପ୍ କେବେହେଲେ ଠୋସ ପଦକ୍ଷେପ ନେଲେ ନାହିଁ । ତେଣୁ ବିଶ୍ୱରେ ଆକ୍ରାନ୍ତ ଓ ମୃତ୍ୟୁରେ ଆମେରିକା ଏକ ନମ୍ବର ପାଲଟିଗଲା । ମାସ୍କ, ସାମାଜିକ ଦୂରତା ଓ ଲକ୍ଡାଉନ୍କୁ ସେ ଗୁରୁତ୍ୱ ଦେଲେ ନାହିଁ । ଏହି ସମୟରେ ବାଇଡେନ୍ ଆସି ଟ୍ରମ୍ପ୍ଙ୍କ ନୀତିକୁ ହମ୍ଲା କରି ବାଜି ମାରିନେଲେ ।
ଟ୍ରମ୍ପ୍ ଙ୍କ ନୀତି ପାଇଁ ଆମେରିକା ଏକ ପ୍ରକାର ବିଭାଜନ ହୋଇସାରିଛି । ନିର୍ବାଚନ ହାରିବା ପରେ ଟ୍ରମ୍ପ୍ ଯେଉଁଭଳି ଆଭିମୁଖ୍ୟ ରଖିଲେ ତାହା ଆମେରିକା ଗଣତନ୍ତ୍ରକୁ ବଦ୍ନାମ କରିଦେଲା । ଏଥିସହିତ ସେ ପ୍ରଥମ ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ଦୁଇ ଦୁଇଥର ମହାଭିଯୋଗ ପ୍ରସ୍ତାବ ଆସିଛି । ତେବେ ଟ୍ରମ୍ପ୍ ଙ୍କ କାର୍ଯ୍ୟକାଳ ସରିଲା । ତାଙ୍କ ଲିଗାସି କେତେଦିନ ପର୍ଯ୍ୟନ୍ତ ଆମେରିକାରେ ରହିବ ତାହା ଏବେ ବଡ ପ୍ରଶ୍ନ ହୋଇରହିଛି ।