ଗଞ୍ଜାମ: ଆଜି ସକାଳ ୯ଟା ସମୟରେ ଗୁଳିକାଣ୍ଡରେ ବେଗୁନିଆପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ମୃତ୍ୟୁ ଘଟିଛି । ତିନି ଜଣ ଦୁର୍ବୃତ ଏକ କାର୍ ରେ ଆସି ଶ୍ରୀ ସାହୁ ସୁମଣ୍ଡଳ ବସଷ୍ଟାଣ୍ଡ ଛକରେ ଏକ ଦୋକାନରେ ଚା ପିଉଥିବା ବେଳେ ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ସେମାନେ ତାଙ୍କ ଉପରକୁ ୨୦ ରାଉଣ୍ଡ ଗୁଳି ଚଳାଇବା ଫଳରେ ଘଟଣାସ୍ଥଳରେ ଟଳି ପଡିଥିଲେ ଶ୍ରୀ ସାହୁ । ଖବର ପାଇ କୋଦଳା, ବେଗୁନିଆପଡା, ଖଲ୍ଲିକୋଟ ଥାନା ପୋଲିସ ଏବଂ ଛତ୍ରପୁର ଏଏସପି ଠାକୁର ପ୍ରସାଦ ପାତ୍ର ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।ଘଟଣାସ୍ଥଳରେ ସାଇଂଟିଫିକ୍ ଟିମ୍ ପହଂଚି ଛାନଭିନ୍ ଜାରୀ ରଖିଛି ।
ତେବେ ବ୍ୟକ୍ତିଗତ ଶତୃତା କାରଣରୁ ତାଙ୍କୁ ହତ୍ୟା କରାଯାଇଛି ନା ହତ୍ୟାକାଣ୍ଡରେ ପଛରେ ରାଜନୈତିକ ଆକ୍ରାଶ ରହିଛି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ଗୁଳିକାଣ୍ଡ ପରେ ଦୁର୍ବୃତ ମାନେ ସେଠାରୁ ଫେରାର୍ ହୋଇଯାଇଛନ୍ତି । ତେବେ ଏ ସମ୍ପର୍କରେ ପୋଲିସ କିଛି ସୁରାକ୍ ପାଇଥିବା ଏବଂ ଦୁର୍ବୃତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।