ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଉତ୍ତରପ୍ରଦେଶକୁ ଦିଆଗଲା ୬ ଲକ୍ଷ ହିତାଧୀକାରୀଙ୍କ ପାଇଁ ଆର୍ଥିକ ସହାୟତା
ନୂଆଦିଲ୍ଲୀ: ତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ଲକ୍ଷ ହିତାଧୀକାରୀଙ୍କ ଉଦ୍ଦେଶ୍ୟରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅର୍ଥ ମଞ୍ଜୁର କରିଛନ୍ତି । ଏହି ଅବସରରେ ସେ ହିତାଧୀକାରୀମାନଙ୍କ ସହ ଆଳାପ ଆଲୋଚନା କରିଛନ୍ତି । ଏହି କନ୍ଫରେନ୍ସିଂରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ, ଉତ୍ତରପ୍ରଦେଶର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ ।
ଗୁରୁଗୋବିନ୍ଦ ସିଂହଙ୍କର ପ୍ରକାଶପର୍ବ ଅବସରରେ ଲୋକମାନଙ୍କ ଶୁଭ ମନାସିଛନ୍ତି । ଗୁରୁଗୋବିନ୍ଦ ସିଂହ ଜୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ମୋଦୀ ମଥାନତ ପୂର୍ବକ ପ୍ରଣିପାତ କରିଛନ୍ତି । ଏହି ଶୁଭ ଅବସରରେ ଦେଶବାସୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ଗୁରୁ ତାଙ୍କ ପ୍ରତି ସଦୟ ଅଛନ୍ତି ଏବଂ ଲୋକମାନଙ୍କ ସେବା କରିବାର ସୁଯୋଗ ଦେଇଛନ୍ତି । ସେବା ଓ ସତ୍ୟର ମାର୍ଗକୁ ବାଛିନେବା କ୍ଷେତ୍ରରେ ଗୁରୁସାହେବଙ୍କର ଜୀବନୀ ଏବଂ ବାର୍ତ୍ତା ତାଙ୍କୁ ସମସ୍ତ ପ୍ରକାରର ଆହ୍ୱାନର ସମ୍ମୁଖୀନ ହେବାକୁ ପ୍ରେରଣା ଦେଇଛି । ବର୍ତ୍ତମାନ ଦେଶ ଗୁରୁଗୋବିନ୍ଦ ସିଂହ ଜୀଙ୍କ ମାର୍ଗରେ ଚାଲିଛି ବୋଲି ମଧ୍ୟ ଶ୍ରୀ ମୋଦୀ କହିଛନ୍ତି । ଦଳିତ, ନିଷ୍ପେସିତ ଏବଂ ଗରୀବ ଲୋକମାନଙ୍କ ଜୀବନର ପରିବର୍ତ୍ତନ ପାଇଁ ତାଙ୍କୁ ଅପ୍ରତ୍ୟାଶିତ ଭାବେ କାମ କରିବାକୁ ପଡିଛି ବୋଲି ସେ ପ୍ରକାଶ କରିଛନ୍ତି । ୫ବର୍ଷ ତଳେ ଆଗ୍ରାଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଚଳନ ଘୋଷଣା କରିଥିଲେ ବୋଲି ସେ କହିଛନ୍ତି । ଏହି ଯୋଜନା ଦ୍ୱାରା ଭାରତୀୟ ଗ୍ରାମଗୁଡିକର ଚେହେରା ବଦଳି ଯାଇଛି । ଏହି ଯୋଜନା କୋଟି କୋଟି ଲୋକଙ୍କ ମନରେ ଆଶା ସଂଚାର ସହ ଜଡିତ ଏବଂ ଗରୀବରୁ ଗରୀବତର ଲୋକଙ୍କ ମନରେ ନିଜ ଘରର ମାଲିକ ହେବାର ଆତ୍ମବିଶ୍ୱାସ ଭରି ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଗରୀବମାନଙ୍କ ନିମନ୍ତେ ତ୍ୱରିତ ବାସଗୃହ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ରାଜ୍ୟଗୁଡିକ ମଧ୍ୟରେ ଉତ୍ତର ପ୍ରଦେଶ ଥିବାରୁ ପ୍ରଧାନମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ରାଜ୍ୟର 6ଲକ୍ଷ ପରିବାରଙ୍କ ବ୍ୟାଙ୍କ ଖାତାକୁ 26ଶହ କୋଟି ଟଙ୍କା ଦିଆଯାଇଛି ଏବଂ ସେମାନେ ପାଇବେ । ଏହି 6ଲକ୍ଷ ପରିବାରଙ୍କ ମଧ୍ୟରୁ ପ୍ରଥମ ଦଫାରେ 5ଲକ୍ଷ ଘର ପାଇବେ । ଏମାନଙ୍କ ଜୀବନର ପ୍ରତୀକ୍ଷାର ଅନ୍ତ ଘଟିଛି । ସେହିପରି 80ହଜାର ପରିବାର ଦ୍ୱିତୀୟ ଦଫାରେ ଶୀତଋତୁ ବେଳକୁ ସେମାନଙ୍କର ନିଜ ଘର ତିଆରି ସାରିଥିବେ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଆତ୍ମନିର୍ଭର ଭାରତ ପ୍ରତ୍ୟକ୍ଷ ଭାବରେ ଦେଶବାସୀଙ୍କ ଆତ୍ମବିଶ୍ୱାସ ସହ ଜଡିତ ଏବଂ ନିଜର ଘର ଥିଲେ ଏହା ବହୁଗୁଣିତ ହୋଇଥାଏ । ଦାରିଦ୍ର୍ୟ ମଧ୍ୟରେ ନିଜର ଘରଟିଏ ହୋଇଗଲେ ଏହା ଜୀବନର ଆତ୍ମ ସନ୍ତୋଷ ସୃଷ୍ଟି କରେ ବୋଲି ଶ୍ରୀ ମୋଦୀ କହିଛନ୍ତି । ଏହି ଅବସରରେ ସେ ମନେ ପକାଇଛନ୍ତି ଯେ, ପୂର୍ବ ସରକାର ସମୟରେ ଏ କ୍ଷେତ୍ରରେ ଗରୀବ ମାନଙ୍କ ମନରେ ସରକାରୀ ଘର ମିଳିବ ବୋଲି ଆଶା ନ ଥିଲା । ଆହୁରି ମଧ୍ୟ ପୂର୍ବର ଯୋଜନାରେ ତିଆରି ହୋଇଥିବା ଘରଗୁଡିକ ନିମ୍ନମାନର ଥିଲା । ଗରିବମାନଙ୍କୁ ଭୁଲ ନୀତିର ଶିକାର ହେବାକୁ ପଡୁଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଘଟଣାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗରୀବ ପରିବାରକୁ ଦେବା ପାଇଁ ପ୍ରଣୟନ କରାଯାଇଛି ଏବଂ ସ୍ୱାଧୀନତାର 75ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ସବୁ ଗରୀବମାନଙ୍କୁ ଘର ମିଳିବ ବୋଲି ସେ କହିଛନ୍ତି । ବିଗତ ବର୍ଷ ମାନଙ୍କରେ 2କୋଟି ଗୃହ ୟୁନିଟ୍ ଗ୍ରାମାଞ୍ଚଳରେ ନିର୍ମାଣ କରାଯାଇସାରିଛି । ଆହୁରି ମଧ୍ୟ 1.25କୋଟି ୟୁନିଟ୍ କେନ୍ଦ୍ର ସରକାରଙ୍କ ଅନୁଦାନରେ 1.5ଲକ୍ଷ କୋଟି ଟଙ୍କା ବିନିମୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।
ପ୍ରଧାନମନ୍ତ୍ରୀ ଏକଥା ମଧ୍ୟ ମନେ ପକାଇଛନ୍ତି ଯେ, ପୂର୍ବ ସରକାର ସମୟରେ ରାଜ୍ୟ ସରକାରମାନେ ଏହି ଯୋଜନା ପ୍ରତି ଉଦାସୀନ ଥିଲେ । ଉତ୍ତରପ୍ରଦେଶରେ ଏ ବାବଦରେ 22ଲକ୍ଷ ଗ୍ରାମୀଣ ଆବାସ ନିର୍ମାଣ କରାଯିବ, ସେଥିମଧ୍ୟରୁ ସାଢେ 21ଲକ୍ଷର ନିର୍ମାଣ ପାଇଁ ମଞ୍ଜୁରୀ ମିଳିସାରିଛି । 14.5ଲକ୍ଷ ପରିବାର ସେମାନଙ୍କ ଘର ଏହି ସରକାର ସମୟରେ ପାଇସାରିଲେଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବ ସରକାରଙ୍କର ଏ କ୍ଷେତ୍ରରେ ଥିବା ଅଭିଜ୍ଞତାକୁ ସେ ମନେ ପକାଉଛନ୍ତି । ଏହି ସମୟରେ ଘର ପାଇବା ଆଶା ହରାଇଥିବା ଲୋକମାନଙ୍କୁ ଏହି ଯୋଜନାରେ ପ୍ରାଥମିକତା ଦିଆଯିବ । ଏଥିସହିତ ଗୃହ ଆବଣ୍ଟନ କ୍ଷେତ୍ରରେ ସ୍ୱଚ୍ଛତା ରକ୍ଷା, ଘରର ମାଲିକାନା କ୍ଷେତ୍ରରେ ମହିଳାମାନଙ୍କୁ ଅଗ୍ରାଧୀକାର ଦିଆଯିବା, ଯୋଜନାର ସମସ୍ତ କାର୍ଯ୍ୟକଳାପର ନିରୀକ୍ଷଣ କରାଯିବା ଏବଂ ଘରଗୁଡିକର ନିର୍ମାଣ ସମୟରେ ସର୍ବନିମ୍ନ ଆବଶ୍ୟକତା ଯୋଗାଇ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଉଛି । କଚା ଘରେ ରହୁଥିବା ପରିବାରଗୁଡିକ ଏହି ଗୃହ ୟୁନିଟ୍ ଯୋଗୁଁ ଉପକୃତ ହୋଇଛି । ସ୍ଥାନୀୟ ଶ୍ରମଜୀବୀ, କ୍ଷୁଦ୍ରଚାଷୀ, ଭୂମିହୀନ ଶ୍ରମିକ ଏବଂ ଘର ମାଲିକ ହେବାର ଆଶା ହରାଇଥିବା ଲୋକେ ଉପକୃତ ହୋଇଛନ୍ତି । ପରିବାରର ମହିଳା ସଦସ୍ୟମାନଙ୍କ ନାମରେ ଏହି ଘରଗୁଡିକୁ ଦିଆଯାଇ ମହିଳା ସଶକ୍ତିକରଣ କ୍ଷେତ୍ରକୁ ମଧ୍ୟ ସୁଦୃଢ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏ କ୍ଷେତ୍ରରେ ଦୁର୍ନୀତି ଦୂର କରିବା ପାଇଁ ଭୂମିହୀନ ପରିବାରଙ୍କୁ ଘରର ଦଲିଲ ଏବଂ ନିର୍ମାଣ ବାବଦ ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
ସହରାଞ୍ଚଳ ହିତାଧୀକାରୀ ଏବଂ ଗ୍ରାମାଞ୍ଚଳ ହିତାଧିକାରୀମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଦୂର କରି ସହରାଞ୍ଚଳର ସୁବିଧା ଗ୍ରାମାଞ୍ଚଳରେ ଲୋକମାନଙ୍କୁ ମିଳିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ଏହି ଯୋଜନାର ଗୃହଗୁଡିକରେ ପାଇଖାନା, ବିଜୁଳୀ ସଂଯୋଗ, ଜଳଯୋଗାଣ ବ୍ୟବସ୍ଥା, ଗ୍ୟାସ ଯୋଗାଣ ଆଦିକୁ ଯୋଗ କରାଯାଇଛି । ସର୍ବନିମ୍ନ ସୁବିଧା ପାଇଁ ଗରୀବ ଲୋକେ ବିଭିନ୍ନ ସ୍ଥାନକୁ ଯେପରି ନ ଯିବେ, ସେଥିପ୍ରତି ଦୃଷ୍ଟି ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।