ଆସୁ ଆସୁ ଆକ୍ସନ: ପ୍ୟାରିସ୍ ଚୁକ୍ତିକୁ ଫେରିଲା ଆମେରିକା

152

ୱାଶିଂଟନ୍: କାର୍ଯ୍ୟଭାର ଗ୍ରହଣ କରିବା ମାତ୍ରେ ଆକ୍ସନ ମୁଡ୍‌ରେ ଆମେରିକାର ୪୬ତମ ରାଷ୍ଟ୍ରପତି ଜୋ ବାଇଡେନ୍ । ପ୍ରଥମ ଦିନରୁ ହିଁ ସେ ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ସହ କିଛି ଆଦେଶନାମାରେ ପରିବର୍ତ୍ତନ କରିଛନ୍ତି । ଶପଥ ପରେ ବାଇଡେନ ଏକକାଳୀନ ୧୫ଟି ଏକ୍ସିକ୍ୟୁଟିଭ୍ ଅର୍ଡରରେ ଦସ୍ତଖତ କରିଛନ୍ତି । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଜୋ ବାଇଡେନ୍ ସାରା ଦେଶରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି ।

ବାଇଡେନଙ୍କ ନିର୍ଦ୍ଦେଶ ପରେ ଆମେରିକାରେ ୧୦୦ ଦିନ ପାଇଁ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି । ପ୍ରବାସୀମାନଙ୍କୁ ରିଲିଫ ଦିଆଯାଇଥିବାବେଳେ ଅନେକ ମୁସଲମାନ ଦେଶରୁ ଯାତ୍ରା ଉପରେ ପ୍ରତିବନ୍ଧକ ମଧ୍ୟ ହଟାଇ ଦିଆଯାଇଛି । ୨୦୧୭ରେ, ଟ୍ରମ୍ପ ମୁସଲିମ ସଂଖ୍ୟାଗରିଷ୍ଠ ସାତୋଟି ଦେଶ ଉପରେ ଏହି ପ୍ରତିବନ୍ଧକ ଲଗାଇଥିଲେ । ତା ସହିତ ପ୍ୟାରିସ୍ ଜଳବାୟୁ ଚୁକ୍ତିରେ ସାମିଲ ହେବା ପାଇଁ ମଧ୍ୟ ସବୁଜ ସଙ୍କେତ ମଧ୍ୟ ଦେଇଛନ୍ତି ବାଇଡେନ । ଏଥିସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକାର ପ୍ରତ୍ୟାହାରକୁ ବନ୍ଦ କରିଛନ୍ତି । ଏସବୁ ନିର୍ଦ୍ଦେଶରେ ଦସ୍ତଖତ କରିବା ପରେ ସମୟ ନଷ୍ଟ କରିବାର ନାହିଁ ବୋଲି ବାଇଡେନ କହିଛନ୍ତି ।

ବାଇଡେନ୍‌ଙ୍କ ଭାଷଣରେ ଭାରତୀୟଙ୍କ ଶବ୍ଦ:

ଶପଥ ନେଇଥିଲେ ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ । ଶପଥ ସମାରୋହକୁ ଦେଖୁଥାଏ ବିଶ୍ୱ । ଉଦବୋଧନରେ କ’ଣ କହିବେ ବାଇଡେନ? ଆମେରିକା ପାର୍ଲାମେଣ୍ଟରେ ଘଟିଥିବା ହିଂସାକାଣ୍ଡକୁ ମନେ ପକାଇବେ କି ? ବିବାଦୀୟ ପୂର୍ବତନ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ କହିବେ କି ନବର୍ନିବାଚିତ ରାଷ୍ଟ୍ରପତି? ଏହାରି ଭିତରେ ନିଜର ଅଭିବାଦନ ଆରମ୍ଭ କରିଥିଲେ ଜୋ ବାଇଡେନ ।

କିନ୍ତୁ ବାଇଡେନଙ୍କ ଅଭିବାଦନ ପଛରେ ରହିଥିଲା ଜଣେ ଭାରତୀୟଙ୍କ ହାତ । ଶବ୍ଦର ଚାତୁରୀରେ ସନ୍ଦେଶ ଦେଉଥିବା ବାଇଡେନଙ୍କ ଭାଷଣକୁ ଲେଖିଥିବା ବ୍ୟକ୍ତି ଥିଲେ ଜଣେ ଭାରତୀୟ । ତେଲେଙ୍ଗାନାରେ ଜନ୍ମିତ ସି.ବିନୟ ରେଡ୍ଡୀ । ଯିଏ ଲେଖିଥିଲେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ଭାଷଣ । ନିଜ ଲେଖାର ଯାଦୁରେ ବାଇଡେନଙ୍କ ପ୍ରିୟ ଭାଜନ ହୋଇଥିବା ବିନୟ,ନିଜର ଚତୁର ଶବ୍ଦରେ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ମଧ୍ୟ କରିଥିଲେ ଉଲ୍ଲେଖ । ଆଉ ବିନୟ ରେଡ୍ଡୀଙ୍କ ଏହି ହାତ ଲେଖାକୁ ହ୍ୱାଇଟହାଉସର ଶପଥ ସମାରୋହରେ ଅଭିବାଦନରେ ପରଶି ଥିଲେ ବାଇଡେନ ।

ବହୁ ପୂର୍ବରୁ ବାଇଡେନଙ୍କ ଟିମରେ ରହିଆସିଛନ୍ତି ସି ବିନୟ ରେଡ୍ଡୀ । ୨୦୧୩ରୁ ୨୦୧୭ ଯେବେ ବାଇଡେନ ଉପ-ରାଷ୍ଟ୍ରପତି ଥିଲେ ସେବେ ମଧ୍ୟ ସାଥିରେ ଥିଲେ ବିନୟ । ତେଣୁ ବାଇଡେନଙ୍କ ଟିମରେ ଭାଷଣ ଲେଖିବାର ନିର୍ଦ୍ଦେଶକ ଭାବେ କାର୍ଯ୍ୟକରୁଥିବା ସି.ବିନୟ ଆମେରିକାର ୪୬ ତମ ରାଷ୍ଟ୍ରପତିଙ୍କ ପାଇଁ ଲେଖିଥିଲେ ଅଭିବାଦନ ।

ଅଭିଭାଷଣର ପ୍ରଥମ ବାକ୍ୟରେ ନୂଆ ଆମେରିକା ଗଠନର ଆହ୍ୱାନ ଦେଇଥିଲେ ବାଇଡେନ । ସେ କହିଥିଲେ ଏକତା ହିଁ ଆମର ଶକ୍ତି । ଏକତା ଯୋଗୁଁ ଆମେ କେବେ ପରାସ୍ତ ହୋଇନାହୁଁ । ତେଣୁ ଆଗାମୀ ଦିନରେ ମଧ୍ୟ ଆମେରିକାବାସୀଙ୍କୁ ଏକଜୁଟ୍ ରହିବାକୁ ପଡିବ । ଅତି ଯତ୍ନର ସହ ଶବ୍ଦ ଉପସ୍ଥାପନା କରୁଥିବା ନୂଆ ରାଷ୍ଟ୍ରପତି, ନିଜ ଅଭିଭାଷଣରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଭୁଲି ନଥିଲେ । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇବା ସହ ବାଇଡେନ କହିଥିଲେ, ଆମେରିକାର ସେବା କରିବାର ସୁଯୋଗ ପାଇଥିବା ସେହି ପୂର୍ବତନ ରାଷ୍ଟ୍ରପତି, ଯିଏ ଉତ୍ସବ ସ୍ଥଳରେ ଅନୁପସ୍ଥିତ ରହିଛନ୍ତି ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

Leave A Reply

Your email address will not be published.