ଲୋକପ୍ରିୟତାର ଶୀର୍ଷରେ ପୁଣି ନବୀନ

168

ଭୁବନେଶ୍ୱର: ଲୋକପ୍ରିୟତାର ଶୀର୍ଷରେ ପୁଣି ନବୀନ । ରାଜ୍ୟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ନେସନ୍ ସର୍ଭେରେ ସେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ନିଜ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ନବୀନଙ୍କୁ ମିଳିଛି ସର୍ବାଧିକ ପଜିଟିଭ୍ ରେଟିଂ । ତାଙ୍କୁ ୫୧ପ୍ରତିଶତ ପଜିଟିଭ୍ ରେଟିଂ ମିଳିଛି । ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ନେସନ୍ ଦର୍ଶାଇଛି ଯେ, ନବୀନ ହେଉଛନ୍ତି ସବୁଠାରୁ ନିରବ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ।

ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସାଙ୍ଗକୁ ସୁଶାସନ ପାଇଁ ଲୋକପ୍ରିୟତାର ଶିଖର ଛୁଇଁଛନ୍ତି । ଜାତୀୟ ଦୃଶ୍ୟପଟ୍ଟରୁ ନିଜକୁ ଦୂରେଇ ରଖୁଥିବା ନବୀନ ସବୁବେଳେ ରାଜ୍ୟର ବିକାଶ ଦିଗକୁ ଧ୍ୟାନ ଦେଉଛନ୍ତି । ନିଜର ସୁଶାସନ ବଳରେ ଦୁଇ ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବରେ ରାଜ୍ୟବାସୀଙ୍କୁ ସେ ସେବା ଯୋଗାଇଆସୁଛନ୍ତି । ପୂର୍ବରୁ ଏବିପି ଭୋଟର ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ସ୍ଥାନ ବଜାୟ ରଖିଥିଲେ ।

ଦେଶର ୩୧ଜଣ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହି ସର୍ଭେ ହୋଇଥିଲା । ଇଣ୍ଡିଆ ଟୁଡେର ଏହି ସର୍ଭେରେ ରାଜ୍ୟ ଭିତରେ ନବୀନଙ୍କୁ ସର୍ବାଧିକ ରେଟିଂ ମିଳିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତାଙ୍କୁ ମିଳିଛି ୪୧ପ୍ରତିଶତ ପଜିଟିଭ୍ ରେଟିଂ । ୩୯ପ୍ରତିଶତ ପଜିଟିଭ୍ ରେଟିଂ ସହ ତୃତୀୟ ସ୍ଥାନରେ ଅଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୩୫ପ୍ରତିଶତ ଲେଖାଏ ପଜିଟିଭ୍ ରେଟିଂ ସହ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ରହିଛନ୍ତି ।

Leave A Reply

Your email address will not be published.