ସିକିମରେ ଭାରତ-ଚୀନ ଯବାନ ମୁହାଁମୁହିଁ

159

ନୂଆଦିଲ୍ଲୀ: ଏପଟେ ବୈଠକ ସେପଟେ ପୁଣି ମୁହାଁମୁହିଁ । ସିକିମର ନାକୁଲାରେ ଭାରତ-ଚୀନ ଯବାନ ମୁହାଁମୁହିଁ ହୋଇଛନ୍ତି। ଚୀନ ଯବାନ ଅନୁପ୍ରବେଶ ବେଳେ ଉତ୍ତର ସିକିମର ନାକୁଲାରେ ଉତ୍ତେଜନା ପ୍ରକାଶ ପାଇଛି । ମୁହାଁମୁହିଁ ବେଳେ ଚୀନର ୨୦ ସୈନିକ ଆହତ ହୋଇଥିବା ବେଳେଳ, ଭାରତର ୪ ଜଣ ଯବାନ ଆହତ ହୋଇଛନ୍ତି । ଭାରତୀୟ ଓ ଚୀନା ଯବାନ ପୂର୍ବ ଲଦାଖରେ ଲାଗିରହିଥିବା ଉତ୍ତେଜନା ମଧ୍ୟରେ ସିକିମ ସୀମାରେ ହାତାହାତି ହୋଇଛନ୍ତି ।

ସୂଚନା ଅନୁଯାୟୀ, ଭାରତ ସୀମାକୁ ଚୀନର କିଛି ଯବାନ ଅନୁପ୍ରବେଶ ବେଳେ, ଭାରତୀୟ ଯବାନ ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଯବାନଙ୍କ ମଧ୍ୟରେ ହୋଇଥିବା ହାତାହାତି ବେଳେ ଚୀନର ୨୦ରୁ ଅଧିକ ଯବାନ ଆହତ ହୋଇଛନ୍ତି । ପରେ ଚୀନ ସେନାକୁ ସିକିମ ନାକୁଲା ସୀମାରୁ ହଟାଇ ଦେଇଛନ୍ତି ଭାରତୀୟ ସୈନିକ।ଏହି ଅଞ୍ଚଳ ୧୯ ହଜାର ଫୁଟ୍ ଉଚ୍ଚତାରେ ଅବସ୍ଥିତ ।

ଅନ୍ୟ ପକ୍ଷରେ ଏହି ଖବର ଭାରତୀୟ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ  ଚୀନ ପକ୍ଷରୁ କୁହ‌ାଯାଇଛି ଯେ ଭାରତ ସହ ବିବାଦୀୟ ସୀମା ଅଞ୍ଚଳରେ ଶାନ୍ତିରକ୍ଷା ଲାଗି ଚୀନ ସେନା ପ୍ରତିଶ୍ରୁତିବଦ୍ଧ । ଚୀନ ସୈନ୍ୟ ସେହି ସମୟରେ ଅନୁପ୍ରବେଶ ଉଦ୍ୟମ କରିଥିଲେ ଯେତେବେଳେ ଡ୍ରାଗନ ପୂର୍ବ ଲଦାଖରୁ ୧୦ ହଜାର ଯବାନଙ୍କୁ ହଟାଇଥିଲା । ପୂର୍ବ ଲଦାଖ ସହ ଅନେକ ସ୍ଥାନରେ ଚୀନ ନିଜର ସୈନ୍ୟ ସଂଖ୍ୟା ହ୍ରାସ କରିଛି ।

ମିଳିଥିବା ସୂଚନା ଅନୁସାରେ, ଚୀନ ସେନା ଭାରତୀୟ ସୀମା ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ  କରୁଥିବା ବେଳେ ସେଠାରେ ମୁତୟନ ଭାରତୀୟ ଯବାନ ବାଧା ଦେଇଥିଲେ । ଏହା ପରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ଏବଂ ଦୁଇ ସେନାର ଯବାନ ହାତାହାତି ହୋଇଥିଲେ। ତେବେ ପ୍ରୋଟକଲ ଅନୁଯାୟୀ ସ୍ଥାନୀୟ କମାଣ୍ଡରସ୍ତରୀୟ ଅଧିକାରୀ ବିବାଦର ସମାଧାନ କରିଥିଲେ ।

ଏହାପୂର୍ବରୁ ଜାନୁଆରୀ ୮ ତାରିଖରେ ଚୀନର ଜଣେ ସୈନ୍ୟ ଭାରତୀୟ ସୀମାରେ ପ୍ରବେଶ କରିଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କୁ ଚୀନକୁ ଫେରାଇ ଦିଆଯାଇଥିଲା । ସେ ଭୁଲରେ ଭାରତୀୟ ସୀମାକୁ ପସି ଆସିଥିବା ଚୀନ  ସଫେଇ ଦେଇଥିଲା ।

ଗୋଟେପଟେ ଏଲଏସିରେ ଉତ୍ତେଜନା ହ୍ରାସ ନେଇ ଭାରତ-ଚୀନ୍ ମଧ୍ୟରେ ବାରମ୍ବାର କୋର କମାଣ୍ଡରସ୍ତରୀୟ ଆଲୋଚନା ହେଉଥିବାବେଳେ ଅନ୍ୟପଟେ ସିକିମରେ ମୁହାଁମୁହିଁ ହୋଇଛନ୍ତି ଉଭୟ ପକ୍ଷ ସେନା। ପାଖାପାଖି ୯ ମାସ ହେଲାଣି ଚୀନ ଓ ଭାରତ ମଧ୍ୟରେ ପୂର୍ବରୁ ଲଦାଖରେ ବିବାଦ ଜାରି ରହିଛି। ଏବେ ପୁଣି ଚୀନ ସେନା ସିକିମରେ ଅନୁପ୍ରେବଶ କରିବାକୁ ଉଦ୍ୟମ କରିଛି।

Leave A Reply

Your email address will not be published.