ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ତହସିଲ ଅନ୍ତର୍ଗତ ଏମ୍ ଭି ୭୯ ଗ୍ରାମରେ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଦିଗହରା ହୋଇପଡିଥିବା ବେଳେ ରବିବାର ସାପ୍ତାହିକ ହାଟ ର ଅବସ୍ଥା ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡିଛି ।ମାଲକାନଗିରି -ମୋଟୁ ୩୨୬ ନଂ ଜାତୀୟ ରାଜପଥ କଡରେ ଥିବା ଏହି ଗ୍ରାମର ଡି ଏନ୍ କେ କଲୋନୀ ରେ ଥିବା ପ୍ରାୟ ୮ ଟି ନଳକୂପ ରୁ ୫ ଟି ନଳକୂପ ଦୀର୍ଘ ଦିନ ଧରି ଅଚଳ ହୋଇ ପଡିରହିଥିବା ବେଳେ ଜଳସେଚନ କଲୋନୀରେ ଥିବା ପ୍ରାୟ ୧୦ ଟି ନଳକୂପ ରୁ ୪ ଟି ଅଚଳ ହୋଇପଡ଼ିଛି ।
ଏଥିସହ ବଳକା ନଳକୂପ ଗୁଡିକରୁ ଆଇରନ୍ ଯୁକ୍ତ ପାଣି ବାହାରୁଥିବାରୁ ଲୋକେ ପାଣି ପିଇ ପାରୁନଥିବା କହିଛନ୍ତି। ବର୍ଷ ବର୍ଷ ଧରି ରାସ୍ତା କଡରେ ଥିବା ଡ୍ରେନ ଗୁଡିକ ଆବର୍ଜନା ରେ ଭରି ହୋଇ ରହିଥିବା ବେଳେ ଏହା ପ୍ରତି ସରକାରୀ ବାବୁ ଦୃଷ୍ଟି ଦେଉନଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏଥିସହ ଏମଭି୭୯ ମୁଖ୍ୟ ବଜାରରେ ଆବଶ୍ୟକ ମୁତାବକ ଟ୍ୟୁବୱେଲ ନଥିବାରୁ ବଜାରକୁ ଆସୁଥିବା ଲୋକ ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଥିବା ଦେଖିବାକୁ ମିଳୁଛି ।
ଆଗକୁ ଗ୍ରୀଷ୍ମ ପ୍ରଭାବ ଥିବା ବେଳେ ପାନୀୟ ଜଳ ପାଇଁ ଲୋକଙ୍କ ପରିସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ରହିଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ତୁରନ୍ତ ଦୃଷ୍ଟି ଦିଆଯିବା ଦରକାର ବୋଲି ବୁଦ୍ଧିଜିବୀ ମହଲରେ କୁହାଯାଇଛି । କିଛି ବର୍ଷ ପୂର୍ବେ ଜଳସେଚନ କଲୋନୀ ଠାରେ ଏକ ଜଳ ଯୋଗାଣ ପ୍ରକଳ୍ପ ନିର୍ମିତ କରାଯାଇ ସ୍ଥାନୀୟ ଲୋକଙ୍କୁ ପାଣି ଯୋଗାଇ ଦିଆଯାଉଥିଲେ ମଧ୍ୟ ଏହା ଅଧା ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି ।
ଏହା ବ୍ୟତୀତ ଏମ୍ଭି ୭୯ ସାପ୍ତାହିକ ହାଟକୁ ଯିବା ପାଇଁ ରାସ୍ତା ବହୁ ଦିନ ଧରି ଶୋଚନୀୟ ହୋଇପଡିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ହାଟକୁ ଆସୁଥିବା ଲୋକ କହିଛନ୍ତି । ଭୋଟ ସମୟରେ ବିଭିନ୍ନ ରାଜନେତା ଆସି ଏହି ରାସ୍ତା ନିର୍ମାଣ ଓ ଗ୍ରାମରେ ପାନୀୟ ଜଳ ଯୋଗାଇବାର ପ୍ରତିଶ୍ରୁତି ଦେଇ ଆସୁଥିଲେ ମଧ୍ୟ ନିର୍ବାଚନ ପରେ କାହାର ଦେଖା ମିଳୁନଥିବାରୁ ଗ୍ରାମର ବିଭିନ୍ନ ସମସ୍ୟାର ସ୍ଥାୟୀ ପ୍ରତିକାର ନହେଲେ ଆଗାମୀ ଦିନରେ ଭୋଟ ଦେବୁ ନାହିଁ ବୋଲି ଦୀପକ ଦତ୍ତ, ସତ୍ୟଜିତ ରାୟ, ପ୍ରହଲ୍ଲାଦ ଦାସ, ବିଷ୍ନୁ ସ୍ଵାଇଁ, ସଞ୍ଜୟ କୁଣ୍ଡୁ ସମେତ ସ୍ଥାନୀୟ ଲୋକ କହିଛନ୍ତି । ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏମଭି୭୯ ଗ୍ରାମରେ ସମ୍ପୂର୍ଣ୍ଣ ଜଳ ଯୋଗାଣ ବ୍ୟବସ୍ଥା ସହ ହାଟକୁ ଯିବା ପାଇଁ ପକ୍କା ରାସ୍ତା ନିର୍ମାଣ ପାଇଁ ସାଧାରଣରେ ଦାବି ହୋଇଛି ।