ଦିବ୍ୟଙ୍ଗ ଭଉଣୀ ଉପରେ ଦୃଷ୍ଟିହୀନ ଭାଇର ବୋଝ

202

କୋରାପୁଟ: ଦିବ୍ୟଙ୍ଗ ଭଉଣୀ ଉପରେ ଦୃଷ୍ଟିହୀନ ଭାଇର ବୋଝ । ଦୁହେଁ ଦୁହିଁଙ୍କ ପାଇଁ ବଞ୍ଚି ରହିଛନ୍ତି ।ଆମେ କହୁଛୁ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମହୁଲି ପଞ୍ଚାୟତର କୋଟାଛକ ନିକଟରେ ଥିବା ଗୌଡ଼ଗୁଡା ଗ୍ରାମର ଲଳିତ ଏବଂ ତାଙ୍କ ଭଉଣୀଙ୍କ କଥା ।ଭାଇ ଲଳିତଙ୍କ ଅବସ୍ଥା ଦେଖିଲେ ସମସ୍ତଙ୍କ ଆଖିରୁ ଲୁହ ଆସିଯାଏ । ଭଙ୍ଗା ଦଦରା ଘରେ ଦିନ କାଟୁଥିବା ବେଳେ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ ।

ଅନ୍ୟ ପଟେ ସରକାରୀ ସହାୟତାର ଆଶା ବାନ୍ଧି ବସିଛନ୍ତି ଲଳିତ । ହେଲେ ସରକାରୀ ବାବୁ ମାନଙ୍କ ନଜର ତାଙ୍କ ଉପରେ ପଡିପାରିଲା ନାହିଁ । ଲଳିତ ପାଖରେ ସମ୍ବଳ କହିଲେ କେବଳ ଆଧାର କାର୍ଡ ଏବଂ ଭୋଟର କାର୍ଡ ଖଣ୍ଡେ କିନ୍ତୁ ଘର ଟିଏ କଥା ହେଉ କି ବାର୍ଦ୍ଧକ୍ୟ ଭତ୍ତା କିମ୍ବା ଦିବ୍ୟଙ୍ଗ ଭତ୍ତା କଥା ବି ହେଉ । ଏପରି କି ୫କେଜି ଚାଉଳ ଯୋଗେଇ ଦେବାକୁ ବିଫଳ ହୋଇଛନ୍ତି ରାଜ୍ୟ ସରକାର ଫଳରେ ସେ ଏବେ ନିଜ ଦିବ୍ୟଙ୍ଗ ଭଉଣୀ ତୁଳସୀ ଗୌଡ଼ଙ୍କ ଉପରେ ନିର୍ଭର କରନ୍ତି । ନିଜେ ଦିବ୍ୟଙ୍ଗ ହୋଇଥିଲେ ମଧ୍ୟ ଦୃଷ୍ଟିହୀନ ଭାଇର ସମସ୍ତ ଦାୟୀତ୍ୱ ନିଜ ମୁଣ୍ଡକୁ ନେଇଛନ୍ତି ।

ଏହି ଦୁଇ ଜଣ ଭାଇ ଓ ଭଉଣୀଙ୍କ ସୁଖ ଦୁଃଖର ସାଥି କହିଲେ ବିଚଲକୋଟା ଗ୍ରାମର କେଦାର ଗୌରୀ ଦାସ । ବହୁ ବର୍ଷ ହେବ କେଦାର ଗୌରୀ ଦାସ ହିଁ ସେମାନଙ୍କ ସୁବିଧା ଅସୁବିଧାରେ ସାହାଯ୍ୟ କରି ଆସୁଛନ୍ତି ବୋଲି ପ୍ରକାଶ କରିଛନ୍ତି ଦିବ୍ୟଙ୍ଗ ଭଉଣୀ ତୁଳସୀ । ଦୀର୍ଘ ବର୍ଷ ହେବ ଲଳିତର ଆଖିକୁ ଦେଖା ଯାଉନଥିବା କଥା ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ସେ ଜଣାଇ ଆସୁଛନ୍ତି । ସ୍ଥାନୀୟ ବିଡ଼ିଓଙ୍କୁ ଲଳିତଙ୍କ କଥା ପଚାରିବାରୁ ଲଳିତଙ୍କୁ ଏବେ ୨ ମାସ ତଳେ ଚାଉଳ କର୍ଡ଼ ଦିଆଯାଇଛି । ଯଥା ଶୀଘ୍ର ଲଳିତକୁ ଭତ୍ତା ପ୍ରଦାନ କରାଯିବ ବୋଲି ବିଡ଼ିଓ ଅଭିମନ୍ୟୁ କବି ଶତପଥୀ ପ୍ରକାଶ କରିଥିଲେ ।ତେବେ କେବେ ସରକାରୀ ସୁବିଧା ଲଳିତଙ୍କ ପାଖରେ ପହଞ୍ଚୁଛି ତାହା ଦେଖିବା ବାକି ରହିଲା ।

Leave A Reply

Your email address will not be published.