-୧୩ କୋଟିର ପ୍ରକଳ୍ପ ଉଦ୍ଘାଟନ, ୫ କୋଟିର ସେତୁ ପାଇଁ ଭିତିପ୍ରସ୍ତର ସ୍ଥାପନ
-୧୫୦ କୋଟି ଟଙ୍କାର ପ୍ରକଳ୍ପ କାମ ଜାରି ରହିଛି.କୁଟିଆକୁ ଆଦର୍ଶ ପଂଚାୟତ ଭାବରେ ଗଢାଯିବ,
-ଖୁବ୍ ଶୀଘ୍ର ମୁଁ କୋଟିଆ ପଂଚାୟତ ଯିବି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେସନ୍ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲାର ପଟାଙ୍ଗି ଅଂଚଳର କୋଟିଆ ପଂଚାୟତ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଲ୍ପର ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ହୋଇଥିବା ବେଳେ ୫ କୋଟି ଟଙ୍କାର ଗୋଟିଏ ହାଇ ଲେଭେଲ ସେତୁ ପାଇଁ ମଧ୍ୟ ଭିତିପ୍ରସ୍ତର ରଖାଯାଇଛି । ସମୁଦାୟ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି ।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ୨୦୧୮ରେ କୋଟିଆ ପଂଚାୟତର ବିକାଶ ପାଇଁ ୧୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଖୁବ୍ଶୀଘ୍ର କୋଟିଆ ଅଂଚଳକୁ ଗସ୍ତ କରି ଲୋକମାନଙ୍କୁ ଭେଟିବେ । କୋଟିଆ ଅଂଚଳକୁ ଏକ ଆଦର୍ଶ ପଂଚାୟତ ଭାବରେ ଗଠନ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଟିଆ ପଂଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି, ବିଜୁଳି ଆଦି ସବୁ ସୁବିଧାର ବିକାଶ କରାଯାଇଛି । ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ନିରାପତା ଯୋଗାଇ ଦିଆଯାଉଛି । ଜୀବନଜୀବିକା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାଲକାନଗିରିରୁ ମୟୁରଭଂଜ, କୋରାପୁଟରୁ କଟକ – ସବୁ ଅଂଚଳର ବିକାଶ ପାଇଁ ସେ କାମ କରୁଛନ୍ତି । ବିକାଶର ସୁଫଳ ପ୍ରତି ପରିବାର ପାଖରେ ପହଂଚାଇବା ପାଇଁ, ରାଜ୍ୟର ସବୁ କୋଣ ଅନୁକୋଣରେ ପହଂଚାଇବା ପାଇଁ କାମ କରୁଛୁ ବୋଲି ସେ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଆମର ମା । ଓଡିଆ ଆମର ଭାଷା । ମହାପ୍ରଭୁ ଜଗନ୍ନାଥ ଆମର ବଡ ଠାକୁର । ଜଗନ୍ନାଥ ସଂସ୍କୃତି ଆମର ସଂସ୍କୃତି । କୋରାପୁଟକୁ ଆମେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କହିଥାଉ ।
ସ୍ୱାଧୀନତା ସଂଗ୍ରାମରେ ମଧ୍ୟ କୋରାପୁଟ ବଡ ଭୂମିକା ବିଷୟରେ ଆଲୋକପାତ କରି ସେ ଏହି ଅବସରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ବିକାଶ ମୂଳକ କାର୍ଯ୍ୟକ୍ରମ ଯୋଗୁ କୋଟିଆ ପଂଚାୟତରେ ବହୁତ ଉନ୍ନତି ଆସିଛି । ଗାଁର ଲୋକମାନେ ରାସ୍ତାଘାଟ, ପାଣି, ବିଜୁଳି, ଶିକ୍ଷା ଆଦି ବିଭିନ୍ନ ସୁବିଧା ପାଇପାରୁଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ ।
କୋରାପୁଟ ଓ ପଟାଙ୍ଗିର ବିଧାୟକ ମଧ୍ୟ ଏହି ଅବସରରେ ନିଜର ମତବ୍ୟକ୍ତ କରି କୋଟିଆ ଆଂଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ । ୍ଣକାଟିଆ ପଂଚାୟତର ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ମଧ୍ୟ ଏହି ଅବସରରେ ନିଜର ମତାମତ ରଖି କୋଟିଆ ପଂଚାୟତ ଏବଂ ସାରା ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ ସଂପର୍କରେ କିପରି ଲୋକମାନେ ପାଉଛନ୍ତି, ସେ ବିଷୟରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ ପାଣ୍ଡିଆନ ସଂଯୋଜନା କରିଥିଲେ । କୋରାପୁଟ ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।କୋଟିଆ ଅଂଚଳର ବିକାଶ ଉପରେ ଏକ ସ୍ୱତନ୍ତ୍ର ବୃତ ଚିତ୍ର ଏହି ଅବସରରେ ପ୍ରଦର୍ଶନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବ ଆଦି ଉପସ୍ଥିତ ଥିଲେ ।