ବିବାହ ଭୋଜି ଖାଇ ୪୦୦ ରୁ ଉର୍ଦ୍ଧ୍ୱ ଅସୁସ୍ଥ : କଣାସରେ ବ୍ୟାପିଲା ଝାଡ଼ାବାନ୍ତି

174
କଣାସ:  ପୁରୀ ଜିଲ୍ଲା କଣାସ ଥାନା କଣାସ ଗ୍ରାମପଚାଂୟତ ଅନ୍ତର୍ଗତ ସହନା ଗ୍ରାମରେ ବିବାହ ଭୋଜି ଖାଇ ଝାଡ଼ାବାନ୍ତିରେ ୪୦୦ ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥ ମାନଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଡ଼େଲାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଗୁରୁତର ଅସୁସ୍ଥ ମାନଙ୍କୁ ପୁରୀ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ତନ୍ମଧ୍ୟରୁ କେତେକଙ୍କ ଅବସ୍ଥା ଉଦବେଗଜନକ ରହିଛି । ତେବେ ଅସୁସ୍ଥ ମାନଙ୍କ ଚିକିତ୍ସା ଜାରୀ ରହିଛି ଓ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ରହିଥିବା ମେଡ଼ିକାଲ ସୂତ୍ରରୁ ଜଣାପଡିଛି ।
ସୂଚନା ଅନୁଯାୟୀ, ସହନା ଗ୍ରାମର ମାନଗୋବିନ୍ଦ ଜୟସିଂହଙ୍କ ବଡ ପୁଅ ନିହାର ରଞ୍ଜନ ଜୟସିଂହଙ୍କ ଗତ ୨ ତାରିଖ ଦିନ ବିବାହ ହୋଇଥିଲା । ଗତକାଲି ଗାଁରେ ଭୋଜି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଆଖ ପାଖ ଗ୍ରାମର ପ୍ରାୟ ହଜାରେରୁ ଉର୍ଦ୍ଧ୍ୱ ଲୋକ ଏହି ଭୋଜିରେ ଯୋଗ ଦେଇଥିଲେ । ତେବେ ଭୋଜି ଖାଇ ଫେରିବା ପରେ ବିଳମ୍ବିତ ରାତିରେ ଅଧିକାଂଶ ଲୋକଙ୍କ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । କେତେକଙ୍କର ପେଟ ମୋଡିହେବା, ପେଟ କାଟିବା, ପେଟରେ ଯନ୍ତ୍ରଣା ଅନୁଭବ କରିବା, ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା ଆଦି ସହ ସେମାନେ ଅସୁସ୍ଥ ହୋଇପଡିଥିଲେ । ଅସୁସ୍ଥ ମାନଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଡ଼େଲାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଗୁରୁତର ଅସୁସ୍ଥ ମାନଙ୍କୁ ପୁରୀ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସମ୍ପ୍ରତି ସେମାନେ ସେଠାରେ ଚିକିତ୍ସାଧିନ ରହିଛନ୍ତି ।
ଖବର ପାଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଡ଼ିଓ ଲୋଚନ ଦାଶ, ତହସିଲଦାର ଲକ୍ଷ୍ମୀଧର ମହରଣା ପ୍ରମୁଖ କଣାସ ଡ଼ାକ୍ତରଖାନାରେ ପହଂଚି ଡ଼ାକ୍ତରଙ୍କ ଠାରୁ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଛନ୍ତି । ରୋଗୀଙ୍କୁ ମେଡ଼ିକାଲ ଅଣାଯିବାର ବ୍ୟବସ୍ଥା କରିଛନ୍ତି । ଅନ୍ୟପକ୍ଷରେ ମେଡ଼ିକାଲ କର୍ମଚାରୀ, ଡ଼ାକ୍ତର, ନର୍ସ ମାନଙ୍କ ଉଦ୍ୟମରୁ ରୋଗୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳିପାରିଛି ।
Leave A Reply

Your email address will not be published.