ଓଡ଼ିଶୀ,କଥକ ଏବଂ ଛଉ ନୃତ୍ୟରେ ମନ୍ତ୍ରମୁଗ୍ଧ ଦର୍ଶକ- ଧଉଳୀ କଳିଙ୍ଗ ମହୋତ୍ସବ ଆରମ୍ଭ

152

ଧଉଳୀ:ଐତିହାସିକ ଧଉଳୀର ପାଦଦେଶରେ ରାଜ୍ୟ ପର୍ଯ୍ୟଟନ ବିଭାଗ,ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଏବଂ ଆର୍ଟ ଭିଜନ୍‍ ଦ୍ୱାରା ଆୟୋଜିତ ୧୭ତମ ଧଉଳୀ କଳିଙ୍ଗ ମହୋତ୍ସବର ଆଜି ଥିଲା ଉଦ୍‍ଘାଟନ ସଂଧ୍ୟା । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ ସେହି ସ୍ଥାନରୁ ଆଜି ଝଙ୍କୃତ ହେଉଥିଲା ଓଡ଼ିଶୀ,କଥକ ଓ ସୃଜନଶୀଳ ନୃତ୍ୟର ଅପୂର୍ବ ଛନ୍ଦ ଓ ମୁର୍ଚ୍ଛନା । ସଂଧ୍ୟାର ପ୍ରଥମ ପରିବେଷଣ ଥିଲା ଓଡ଼ିଶୀ ନୃତ୍ୟରେ ଭଗବାନ ବିଷ୍ଣୁଙ୍କ ଦଶାବତାର -ଜୟ ଜଗଦିଶ ହରେ ଯାହାକୁ ପରିବେଷଣ କରିଥିଲେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନେ ଯାହାର ନୃତ୍ୟ ପରିକଳ୍ପନା ତଥା ବ୍ୟାଖ୍ୟା କରିଥିଲେ ଡ଼.ସୁବାସ ପାଣି ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ସର୍ମିଳା ବିଶ୍ୱାସ । ସଂଧ୍ୟାର ଦ୍ୱିତୀୟ ପ୍ରସ୍ତୁତିରେ ଥିଲା କଥକ ନୃତ୍ୟ ଯାହାକୁ ପରିବେଶଣ କରିଥିଲେ କଲିକତାର ଉପାସନା ସେକ୍ଷଗ୍ଧର ଫର ଡ଼୍ୟାନ୍ସ ଅନୁଷ୍ଠାନର ଶିଳ୍ପିମାନେ ।

ସେମାନଙ୍କର ପ୍ରସ୍ତୁତିରେ ଥିଲା ପ୍ରତିମ୍ବିବ ଯାହା ଜୀବନର ପ୍ରତିଛାଇ ଆମେ ଏକା ଭାବିଲେ ମଧ୍ୟ ଏକା ନୁହେଁ,ପାପ-ପୂର୍ଣ୍ଣ୍ୟ,ଭଲ-ମନ୍ଦ,ଧର୍ମ-ଅଧର୍ମର ସମନ୍ନୟ ହେଉଛି ଜୀବନ ଯାହା ମାୟାରେ ପରିପୂର୍ଣ୍ଣ । ଯାହାର ନୃତ୍ୟ ସଂରଚନା କରିଥିଲେ ଅସିମବନ୍ଧୁ ଭଟ୍ଟାଚାରର୍ଜୀ । ଅନ୍ତିମ ପ୍ରସ୍ତୁତିରେ ଥିଲା ମୟୁରଭଞ୍ଜ ଛଉ ନୃତ୍ୟ କପତ କଥା ଯାହାକୁ ପରିବେଶଣ କରିଥିଲେ ଅଙ୍ଗିକା ଅନୁଷ୍ଠାନର ଶିଳ୍ପୀମାନେ । କପତ କଥା ହେଉଛି ମହାଭାରତ ଉପାଖ୍ୟାନର ଭୀଷ୍ମପର୍ବ,ଚକ୍ରବ୍ୟୁହ, ପଦ୍ମବ୍ୟୁହ,କନିଷ୍କପର୍ବ ଆଦି ଯୁଦ୍ଧ ଉପାଖ୍ୟାନର ସମ୍ମିଶ୍ରଣ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ସଦାଶିବ ପ୍ରଧାନ । ଛଉ ସମରକଳା ନୃତ୍ୟ ପରିବେଷଣ ଯାହା ଦର୍ଶକମାନଙ୍କୁ ଆଶ୍ଚର୍ଯ୍ୟ ଓ ବିସ୍ମିତ କରିଥିଲା ।

ଉଦ୍‍ଘାଟନୀ ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ଼.ପ୍ରୀୟମ୍ବଦା ମହାନ୍ତି ହେଜମାଦୀ,ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା,ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ,ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ,ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ,ନାଲକୋର ଅଧକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଅରୁଣା ମହାନ୍ତି ଏବଂ ଆର୍ଟ ଭିଜନ୍‍ର ସଚିବ ଇଲିୟାନା ସିତାରିଷ୍ଟ । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼.ଇ.ଶ୍ରୀନିବାସ ଘଟୁଆରୀ ଏବଂ ନାଜିଆ ସାୟିଦ୍‍ ।

Leave A Reply

Your email address will not be published.