ଓଡିଶାବାସୀଙ୍କୁ ଆନ୍ଧ୍ର ପ୍ରଶାସନ ଅଧିକାରୀ ଭୋଟ ଦେବାପାଇଁ ପ୍ରବର୍ତ୍ତାଉଥିବା ବେଳେ ବିଜେପି ଟିମ୍ ର ପ୍ରଶ୍ନବାଣରେ ଛତ୍ରଭଙ୍ଗ ଦେଲେ ଆନ୍ଧ୍ର ଅଧିକାରୀ
ପାରଳାଖେମୁଣ୍ଡି : ଓଡିଶାର ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତରେ ଆନ୍ଧ୍ର ଜବରଦସ୍ତ ଅନାଧିକାର ପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବା ପାଇଁ ଷଡଯନ୍ତ୍ର ଚଳାଇଛନ୍ତି । ଠିକ୍ ସମୟରେ ଗଜପତି ପ୍ରଶାସନ ଏହାର ଦୃଢ ପ୍ରତିବାଦ କରିବା ସହ ଓଡିଶାର ଗ୍ରାମ ଗୁଡିକରେ ଗଜପତି ଅଧିକାରୀମାନେ ସଜାଗ ହେବା ପରେ ଆନ୍ଧ୍ରର ଷଡଯନ୍ତ୍ର ଫସର ଫାଟିଥିଲା । ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଦୁଇ ଜଣ ମହିଳା ପ୍ରାର୍ଥିନୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ବେଳେ ସମସ୍ତ ଗ୍ରାମବାସୀ ଆନ୍ଧ୍ର ନିର୍ବାଚନରେ ଭୋଟ ଦେବୁ ନାହିଁ ବୋଲି ଗଜପତି ପ୍ରଶାସନର ବାରମ୍ବାର ବୈଠକ ଓ ଆଲୋଚନା ପରେ ଲୋକେ ପ୍ରତିଶ୍ରୁତି ଦେଇଥିଲେ । ତେବେ ବର୍ତ୍ତମାନ ଆନ୍ଧ୍ର ପ୍ରଶାସନିକ ଅଧିକାରୀମାନେ ଲୁଚିଛପି ଓଡିଶାର ଭୋଟରଙ୍କୁ ଆନ୍ଧ୍ର ପଞ୍ଚାୟତ ନିର୍ବର୍ାଚନରେ ଭୋଟ ଦେବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଉଛନ୍ତି ।
ଏପରି ଭାବେ ଆଜି ଆନ୍ଧ୍ର ଅଧିକାରୀମାନେ ଓଡିଶାର ରାଜସ୍ୱ ଗ୍ରାମରେ ଲୋକଙ୍କୁ ପ୍ରଲୋଭନ ଦେଖାଇ ଭୋଟ ଦେବାକୁ ପ୍ରବର୍ତ୍ତାଉଥିବା ବେଳେ ସେହି ଅଞ୍ଚଳ ଗସ୍ତ କରିଥିବା ଉଚ୍ଚସ୍ତରୀୟ ବିଜେପି ଟିମ୍ର ହାବୁଡରେ ପଡିଯାଇଥିଲେ । ଏଥିରେ ବିଜେପି ଟିମ୍ର ପ୍ରଶ୍ନ ବାଣରେ ଛତ୍ରଭଙ୍ଗ ହୋଇ ଆନ୍ଧ୍ର ଅଧିକାରୀମାନେ ଓଡିଶା ଛାଡି ଚାଲିଯାଇଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆସନ୍ତା କାଲି ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏହିି ନିର୍ବାଚନରେ ଆନ୍ଧ୍ର ପ୍ରଶାସନ ଗଜପତି ଜିଲ୍ଲାର ଗଙ୍ଗାବାଡ, ମାଣିକପାଟଣା, ଗୁଡିଖୁଡି, ମାଧିଆଖାଲ, ଅମାରିଂ, ବୁରୁସିଂ ଆଦି ଗ୍ରାମରେ ଅନାଧିକାର ପ୍ରବେଶ କରି ବିପିଏଲ୍ କାର୍ଡ, ରାସନ କାର୍ଡ, ବିଜୁଳି ସଂଯୋଗ, ଛୋଟକାଟିଆ ରାସ୍ତା ନିର୍ମାଣ ଆଦି ଦ୍ୱାରା ଲୋକଙ୍କୁ ପ୍ରଲୋଭନ ଦେଖାଇ ଆନ୍ଧ୍ର ଭୋଟର ତାଲିକାରେ ପଞ୍ଜିକରଣ କରିଥିଲେ । ଆନ୍ଧ୍ରର ମୂଳ ଉଦ୍ଦେଶ୍ୟ ଥିଲା ଏପରି ଭାବେ ଓଡିଶାକୁ ଦଖଲ କରି ଆନ୍ଧ୍ରର କର୍ତ୍ତୃତ୍ୱ ଜାହୀର କରିବେ । ହେଲେ ଗଜପତି ପ୍ରଶାସନର ସମୟ ଉପଯୋଗୀ ପଦକ୍ଷେପ ପରେ ଆନ୍ଧ୍ରର ଏ ସମସ୍ତ ହୀନ ଉଦ୍ଦ୍ୟମ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ।
ଏଥିରେ ଆନ୍ଧ୍ର ପ୍ରଶାସନ ଉତ୍କ୍ଷିପ୍ତ ହୋଇ ଆନ୍ଧ୍ରର କିଛି ହାତବାରସିଙ୍କ ଦ୍ୱାରା ଓଡିଶା ପ୍ରଶାସନକୁ ସାହାର୍ଯ୍ୟ କରିଥିବା ଲୋକଙ୍କୁ ବିଭିନ୍ନ ଭାବେ ଧମକ ଦେବା ସହ ଭୟଭୀତ କରିବାରେ ଲାଗିଥିଲେ । ଯେ କୌଣସି ପ୍ରକାରେ ଓଡିଶାର ଏହି ଗ୍ରାମର ଲୋକମାନେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭାଗନେବା ପାଇଁ ଆନ୍ଧ୍ର ମଞ୍ଜୁଷା ଓ ଶ୍ରୀକାକୁଲମ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଲୁଚିଛପି ବିଭିନ୍ନ ପ୍ରଲୋଭନ ଦ୍ୱାରା ଭୋଟରେ ସାମିଲ ପାଇଁ ଅପଚେଷ୍ଟା ଚଳାଇଥିଲେ ।
ଏପରି ଭାବେ ଆଜି ଗଜପତି ଜିଲ୍ଲ।ର ମାଣିକପାଟଣା ଓ ଗୁଡିଖୁଡି ଗ୍ରାମରେ ଅପଚେଷ୍ଟା ଚଳାଇଥିବା ବେଳେ ସେହି ଅଞ୍ଚଳକୁ ଆଜି ଗ୍ରସ୍ତରେ ଯାଇଥିବା ବିଜେପି ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପାରଳା ବିଧାୟକ କେ.ନାରାୟଣ ରାଓ ପ୍ରମୁଖ ଉଚ୍ଚସ୍ତରୀୟ ଦଳ ଏବଂ ଗଜପତି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ପ୍ରଶାସନିକ ଟିମ ହାବୁଡରେ ଆନ୍ଧ୍ର ଅଧିକାରୀମାନେ ପଡିଯାଇଥିଲେ ।
ଏଥିରେ ଓଡିଶା ପ୍ରଶାସନିକ ଅଧିକାରୀଙ୍କ ରାଜସ୍ୱ ମାନଚିତ୍ର ଦେଖାଇ ଓଡିଶା ସୀମାରେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ପ୍ରବେଶ କରି ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ସହ ବିଭିନ୍ନ ଷଡଯନ୍ତ୍ରକୁ ନେଇ ପ୍ରତିବାଦ କରିଥିଲେ । ବିଜେପି ଉଚ୍ଚସ୍ତରୀୟ କମିଟି ମଧ୍ୟ ଏସବୁକୁ ନେଇ ଆନ୍ଧ୍ର ପ୍ରଶାସନିକ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରଶ୍ନବାଣ କରିଥିଲେ । ଏଥିରେ ଆନ୍ଧ୍ର ଅଧିକାରୀମାନେ ସଠିକ ଉତ୍ତର ଦେବାରେ ଅସମର୍ଥ ହୋଇ ଛତ୍ରଭଙ୍ଗ ହୋଇ ସେଠାରୁ ଚାଲି ଯାଇଥିଲେ । ଉପଜିଲ୍ଲାପାଳ ସଂଗ୍ରାମ ପଣ୍ଡା କହିଛନ୍ତି, ଆସନ୍ତାକାଲି ଆନ୍ଧ୍ର ନିର୍ବାଚନ ସରିବା ପର୍ଯ୍ୟନ୍ତ ଓଡିଶାର ଜଣେ ହେଲେ ଲୋକ କିପରି ସେଠାରେ ଭୋଟ ନଦେବେ ସେଥି ପାଇଁ ଗଜପତି ପ୍ରଶାସନ ଓ ପୋଲିସ ପ୍ରସ୍ତୁତ ରହିଛି ।