ନାଁ ବଦଳାଇ ଗାଁ ଚୋରି: କୋଟିଆ ମାମଲା, ଆନ୍ଧ୍ରକୁ ନୋଟିସ୍

144

ନୂଆଦିଲ୍ଲୀ: କୋଟିଆ ପଞ୍ଚାୟତ ନିର୍ବାଚନ ମାମଲାରେ ଆନ୍ଧ୍ରକୁ ନୋଟିସ୍ । ଓଡ଼ିଶାର ଆବେଦନ ଉପରେ ଶୁଣାଣି କରି ଏହି ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ପ୍ରତିପକ୍ଷ ଆନ୍ଧ୍ରକୁ ଜବାବ ତଲବ ପାଇଁ ଏହି ନୋଟିସ୍ ଜାରି କରାଯାଇଛି । ଆସନ୍ତା ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ସର୍ବୋଚ୍ଚ ଅଦାଲତ । କୋଟିଆରେ ଆନ୍ଧ୍ର ନିର୍ବାଚନ କରୁଥିବାରୁ ଏହାକୁ ବିରୋଧ କରି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଓଡ଼ିଶା ସରକାର । ଜଷ୍ଟିସ୍ ଏ.ଏନ୍.ଖାନବଲିକର ଓ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି ।

ଏହି ମାମଲାର ତ୍ୱରିତ ଶୁଣାଣି କରିବା ପାଇଁ ଓଡ଼ିଶା ପକ୍ଷରୁ ନିୟୋଜିତ ଆଇନଜୀବୀ ବିକାଶ ସିଂହ ସୁପ୍ରିମ୍କୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ.ଏ.ବୋବଡେ, ଜଷ୍ଟିସ୍ ଏ.ଏନ.ବୋପାନ୍ନା ଓ ଜଷ୍ଟିସ୍ ଭି.ରମା ସୁବ୍ରମଣ୍ୟମ୍ଙ୍କ ଖଣ୍ଡପୀଠରେ ନିବେଦନ କରିଥିଲେ । ଶ୍ରୀ ସିଂହ ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ, କୋଟିଆ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସର୍ବୋଚ୍ଚ ଅଦାଲତ ୨୦୦୬ରେ ନିର୍ଦ୍ଦେଶ ଦେଇଥିଲେ । ଆନ୍ଧ୍ର ସରକାର ଏହି ନିର୍ଦ୍ଦେଶକୁ ଅବମାନନା କରି କୋଟିଆକୁ ନିଜ ସୀମା ଦର୍ଶାଇ ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଛି ।

ଆନ୍ଧ୍ରର ଏଭଳି ଏକତରଫା ଆଚରଣ ଦ୍ୱାରା ଗୁରୁତର ସାମ୍ବିଧାନିକ ସଂକଟ ସୃଷ୍ଟି ହୋଇଛି । ତେଣୁ ଏହି ତ୍ୱରିତ ଶୁଣାଣି କରାଯାଉ ବୋଲି ଆଇନଜୀବୀ ଶ୍ରୀ ସିଂହ କହିଥିଲେ । ଅନ୍ୟପକ୍ଷରେ କୋଟିଆ ଗ୍ରାମପଞ୍ଚାୟତର  ଯେଉଁ ଗ୍ରାମଗୁଡ଼ିକରେ ନିର୍ବାଚନ କରାଯାଉଛି ସେହି ଗାଁଗୁଡ଼ିକ ଓଡ଼ିଶାର ନୁହେଁ ଆନ୍ଧ୍ରରେ ଅଛି ବୋଲି ଆନ୍ଧ୍ର ସରକାରଙ୍କ ଓକିଲ କୋର୍ଟରେ ଯୁକ୍ତ ବାଢ଼ିବା ସହ ତାଙ୍କ ପାଖରେ ପ୍ରମାଣ ଅଛି ବୋଲି କହିଥିଲେ । ହେଲେ ଆସନ୍ତାକାଲି କୋଟିଆରେ ହେବାକୁ ଥିବା ଆନ୍ଧ୍ର ନିର୍ବାଚନ ଲାଗି କୌଣସି ସ୍ଥଗିତାଦେଶ ମିଳିପାରିନି । ତେବେ କୋଟିଆରେ ପଞ୍ଚାୟତ ନିର୍ବାଚନ କରି ଆନ୍ଧ୍ର ସରକାର ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ଉଲ୍ଲଂଘନ କରିଥିବା ନେଇ ଓଡ଼ିଶା ଯାହା ଦର୍ଶାଇଥିଲା, ତା ଉପରେ କୌଣସି ବିଶେଷ ଟିପ୍ପଣୀ ରଖିନାହାନ୍ତି କୋର୍ଟ ।

ଏପଟେ ଆନ୍ଧ୍ର ପ୍ରଶାସନ କୋଟିଆର ଦୁଇଟି ଗାଁରେ ନିର୍ବାଚନ ସାରିଥିବା ଏବଂ ଅନ୍ୟ ଏକ ଗାଁରେ ଆସନ୍ତାକାଲି ନିର୍ବାଚନ କରୁଥିଲେ ବି ତା ଉପରେ ରୋକ୍ ଲଗାଇ ନାହାନ୍ତି । କୋଟିଆକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ଏପଟେ ଗଜପତି ଜିଲ୍ଲାର ସୀମାନ୍ତ ଗାଁରେ ବି ସମାନ ଢଙ୍ଗରେ ସାମ୍ନାକୁ ଆସିଛି ଆନ୍ଧ୍ରର ଦାଦାଗିରି । ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାନିକପାଟଣା ସହ ଆଉ କିଛି ଗାଁକୁ ନିଜ ଅଧୀନକୁ ନେଇ ପଞ୍ଚାୟତ ନିର୍ବାଚନ କରୁଛି ଆନ୍ଧ୍ର ପ୍ରଶାସନ । ଗାଁ ଓଡ଼ିଶାର ହେଲେ ବି ନିର୍ବାଚନ ପାଇଁ ପୋଷ୍ଟର ଲଗାଇଛି ପଡ଼ୋଶୀ ରାଜ୍ୟ ।

ସୂଚନାଯୋଗ୍ୟ ଯେ, ଦୀର୍ଘଦିନ ହେବ ଓଡ଼ିଶା ସୀମାନ୍ତ କୋଟିଆ ଅଞ୍ଚଳକୁ ଦଖଲ କରିବାକୁ ଆନ୍ଧ୍ର ସରକାର ଯୋଜନା ଚଳାଇଛନ୍ତି । ଏଥିନେଇ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବାରମ୍ବାର କୋଟିଆରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ସହ ଲୋକଙ୍କ ସମର୍ଥନ ଯୋଗାଡ କରିବାକୁ ସେଠାରେ ସ୍କୁଲ ନିର୍ମାଣ କରିବା ଓ ଗରିବ ଲୋକଙ୍କୁ ରାସନ୍ କାର୍ଡ ଯୋଗାଇବା, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରି ଓଡ଼ିଶା ଲୋକଙ୍କୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରୁଛି । ଏହି ଘଟଣା ଜଣାପଡ଼ିବା ପରେ ରାଜ୍ୟ ସରକାର ତୁରନ୍ତ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ ଆଜି ଆନ୍ଧ୍ର ସରକାରଙ୍କୁ ୮ଦିନର ମହଲତ ଦେଇଛନ୍ତି ।

Leave A Reply

Your email address will not be published.