କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ, ୨୦୧୫ରେ ସଂଶୋଧନକୁ କ୍ୟାବିନେଟ୍ ରେ ଅନୁମୋଦନ

166
ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରସ୍ତାବକ୍ରମେ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ (ଜୁଭେନାଇଲ ଜଷ୍ଟିସ୍ ଆକ୍ଟ), ୨୦୧୫ରେ ସଂଶୋଧନକୁ ମଞ୍ଜୁରି ମିଳିଛି । ଏହାଫଳରେ ଶିଶୁଙ୍କ ଶ୍ରେଷ୍ଠ ହିତ ସାଧନ ସୁନିଶ୍ଚିତ କରିବା ଲାଗି ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇପାରିବ ।
ଏହି ସଂଶୋଧନ ଫଳରେ ପୋଷ୍ୟ ସନ୍ତାନ ଗ୍ରହଣ ଲାଗି ଆଦେଶ ଜାରି କରିବାର ଅଧିକାର ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ମିଳିପାରିବ । ଯାହାଦ୍ୱାରା ମାମଲାଗୁଡ଼ିକର ତ୍ୱରିତ ସମାଧାନ ସୁନିଶ୍ଚିତ ହେବା ସହିତ ଉତରଦାୟିତ୍ୱ ବୃଦ୍ଧି ପାଇବ । ଏହାଛଡ଼ା ଆଇନର ସୁଗମ କାର‌୍ୟ୍ୟକାରିତା ଏବଂ ଅସହାୟ ଅବସ୍ଥାରେ ଥିବା ଶିଶୁଙ୍କ ସପକ୍ଷରେ ସମନ୍ୱିତ ପ୍ରୟାସ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଏହି ଆଇନ ଅଧୀନରେ ଅତିରିକ୍ତ କ୍ଷମତା ପ୍ରଦାନ କରାଯାଇଛି ।
ଶିଶୁ କଲ୍ୟାଣ ସମିତି (ସିଡବ୍ଲୁସି) ସଦସ୍ୟମାନଙ୍କୁ ନିଯୁକ୍ତି ଦେବା ଲାଗି ଯୋଗ୍ୟତା ମାନଦଣ୍ଡ ନିର୍ଦ୍ଧାରଣ କରିବା ଏବଂ ପୂର୍ବରୁ ପରିଭାଷିତ ହୋଇନଥିବା ଅପରାଧଗୁଡ଼ିକୁ ‘ଗମ୍ଭୀର ଅପରାଧ’ ଭାବେ ବର୍ଗୀକୃତ କରିବା ଆଦି କେତେକ ପ୍ରସ୍ତାବ ଏହି ସଂଶୋଧନରେ ସାମିଲ ରହିଛି । ଆଇନର କେତେକ ବ୍ୟବସ୍ଥାକୁ କାର‌୍ୟ୍ୟକାରୀ କରିବା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାକୁ ସମାଧାନ କରିବା ଲାଗି ମଧ୍ୟ ସଂଶୋଧନ ଜରିଆରେ ପ୍ରୟାସ କରାଯାଇଛି ।
Leave A Reply

Your email address will not be published.