ଭାରତ-ମରିସସ ମଧ୍ୟରେ ଅର୍ଥନୈତିକ ସହଯୋଗ ଓ ସହଭାଗିତା ଚୁକ୍ତିକୁ କ୍ୟାବିନେଟର ଅନୁମୋଦନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଭାରତ ଓ ମରିସସ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ବ୍ୟାପକ ଅର୍ଥନୈତିକ ସହଯୋଗ ଓ ସହଭାଗିତା ଚୁକ୍ତି (ସିଇସିପିଏ) ଅନୁମୋଦନ ଲାଭ କରିଛି । ସିଇସିପିଏର ମୁଖ୍ୟାଂଶ ଭାରତ ଓ ମରିସସ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ଏହି ସିଇସିପିଏ କୌଣସି ଆଫ୍ରିକୀୟ ଦେଶ ସହିତ ପ୍ରଥମ । ଏହା ଏକ ସୀମିତ ରାଜିନାମା । ଏଥିରେ ସାମଗ୍ରୀର ବ୍ୟବସାୟ, ସାମଗ୍ରୀର ଉତ୍ପତ୍ତି ନିୟମ, ସେବା କାରବାର, ଟିବିଟି, ଏସ୍ପିଏସ୍, ବିବାଦ ସମାଧାନ, ଦୁଇଦେଶ ନାଗରିକଙ୍କ ଗମନାଗମନ, ଟେଲିକମ, ଆର୍ଥିକ ସେବା, ସୀମା ଶୁଳ୍ପ ବ୍ୟବସ୍ଥା ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ଆଦି ଅନ୍ତର୍ଭୁକ୍ତ । ଏହାର ପ୍ରଭାବ ବା ଲାଭ ଏହି ଚୁକ୍ତି ସ୍ୱାକ୍ଷରିତ ହେଲେ ଦୁଇଦେଶ ମଧ୍ୟରେ ବାଣିଜ୍ୟ କାରବାର ଉତ୍ସାହିତ ହେବ ଓ ବୃଦ୍ଧି ପାଇବ । ଏହାଦ୍ୱାରା ଭାରତ ମରିସସକୁ ୩୧୦ ପ୍ରକାର ସାମଗ୍ରୀ ରପ୍ତାନୀ କରିପାରିବ ।
ଏଥିମଧ୍ୟରେ ଖାଦ୍ୟପଦାର୍ଥ, ପାନୀୟ (୮୦ପ୍ରକାର), ୨୫ ପ୍ରକାରର କୃଷିଜାତ ସାମଗ୍ରୀ, ୨୭ ପ୍ରକାରର ବୟନ ଉପକରଣ, ୩୨ ପ୍ରକାରର ମୂଳ ଧାତୁ ଓ ଧାତୁ ନିର୍ମିତ ସାମଗ୍ରୀ, ୧୩ ପ୍ରକାରର ବୈଦ୍ୟୁତିକ ଓ ଇଲେକ୍ଟ୍ରୋନିକ ସାମଗ୍ରୀ, ୨୦ ପ୍ରକାରର ପ୍ଲାଷ୍ଟିକ ଓ ରାସାୟନିକ ସାମଗ୍ରୀ ଏବଂ ୧୫ ପ୍ରକାରର କାଠ ଓ ତତ୍ଜାତୀୟ ସାମଗ୍ରୀ ଅନ୍ତର୍ଭୁକ୍ତ । ଏହାଦ୍ୱାରା ମରିସସ ମଧ୍ୟ ଲାଭବାନ ହେବ । ବରଫଦିଆ ମାଛ, ସ୍ୱତନ୍ତ୍ର ଧରଣର ଚିନି, ବିସ୍କୁଟ, ତଟକା ଫଳ, ଫଳରସ, ମିନେରାଲ ୱାଟର, ବିୟର, ଆଲକହଲିକ ଡ୍ରିଙ୍କ୍ସ, ସାବୁନ, ବ୍ୟାଗ, ମେଡିକାଲ ଓ ସର୍ଜିକାଲ ଉପକରଣ ଓ ପୋଷାକ ଆଦି ୬୧୫ ପ୍ରକାର ସାମଗ୍ରୀ ଭାରତକୁ ରପ୍ତାନୀ କରିପାରିବ ।
ସେବା କ୍ଷେତ୍ରରେ ମଧ୍ୟ ଭାରତ ୧୧ଟି ପ୍ରମୁଖ ଓ ୧୧୫ଟି ଉପକ୍ଷେତ୍ରରେ ମରିସସକୁ ସେବା ଯୋଗାଇଦେବ। ସେଗୁଡିକ ମଧ୍ୟରେ ପେସାଦାରୀ କାର୍ଯ୍ୟ, କଂପ୍ୟୁଟର ସେବା, ଗବେଷଣା ଓ ଉନ୍ନୟନ, ବ୍ୟବସାୟ ସେବା, ଟେଲି ଯୋଗାଯୋଗ, ନିର୍ମାଣ, ଆବଣ୍ଟନ, ଶିକ୍ଷା, ପରିବେଶ, ଆର୍ଥିକ ସେବା, ପର୍ଯ୍ୟଟନ, ଦେଶାଟନ, ମନୋରଂଜନ, ଯୋଗ, ଦୃଶ୍ୟଶ୍ରାବ୍ୟ ସେବା ଏବଂ ପରିବହନ ସେବା ଅନ୍ତର୍ଭୁକ୍ତ । ଭାରତ ମଧ୍ୟ ଏହିସବୁସମାନ କ୍ଷେତ୍ରରେ ମରିସସକୁ କାରବାର ପାଇଁ ସୁବିଧା ଯୋଗାଇଦେବ ।
ଦୁଇପକ୍ଷ ଉଭୟଙ୍କୁ ସୁହାଇଲା ଭଳି ଏକ ତାରିଖରେ ଏହି ରାଜିନାମାରେ ସ୍ୱାକ୍ଷର କରିବେ । ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଠିକ୍ ତାର ପରବର୍ତ୍ତୀ ମାସର ୧ ତାରିଖରୁ ଏହା କାର୍ଯ୍ୟକାରୀ ହେବ । ସୂଚନାଯୋଗ୍ୟ୍ୟ ଯେ ୨୦୦୫ ଠାରୁ ଭାରତ ମରିସସର ସର୍ବବୃହତ୍ ବାଣିଜ୍ୟ ଅଂଶୀଦାରୀ ହୋଇଆସିଛି ଏବଂ ସେଠାକୁ ସର୍ବାଧିକ ସାମଗ୍ରୀ ଓ ସେବା ପ୍ରେରଣ କରୁଛି ।
ସେହିଭଳି ଆନ୍ତର୍ଜାତିକ ବାଣିଜ୍ୟ କେନ୍ଦ୍ରର ୨୦୧୯ ତଥ୍ୟ ଅନୁସାରେ ଯେଉଁ ପ୍ରମୁଖ ଦେଶଗୁଡିକ ସର୍ବାଧିକ ସାମଗ୍ରୀ ମରିସସରୁ ଆମଦାନୀ କରୁଛନ୍ତି ସେଥିମଧ୍ୟରୁ ଭାରତ ଦ୍ୱିତୀୟରେ ରହିଛି । ମରିସସର ମୋଟ ରପ୍ତାନୀର ୧୩.୮୫ ଭାଗ ଭାରତ କ୍ରୟ କରୁଛି । ଏ କ୍ଷେତ୍ରରେ ୧୬.୬୯ ଶତାଂଶ ସହ ଚୀନ ଏକ ନମ୍ବରରେ ରହିଛି । ୨୦୦୫-୦୬ରୁ ୨୦୧୯-୨୦ ମଧ୍ୟରେ ମରିସସ ଓ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ୨୩୩ ପ୍ରତିଶତ ବୃଦ୍ଧି ପାଇଛି । ଦୁଇଦେଶ ମଧ୍ୟରେ ଯେଉଁ ସୁସଂପର୍କ ରହିଛି ସିଇସିପିଏ ସ୍ୱାକ୍ଷରିତ ହେବା ପରେ ଏହା ଆହୁରି ନିବିଡ ହେବ ବୋଲି ଆଶା କରାଯାଏ ।