ଭାରତରେ ଟେଲିକମ୍‍ ଓ ନେଟୱାର୍କିଂ ସାମଗ୍ରୀ ଉତ୍ପାଦନ ବିଶ୍ୱସ୍ତରୀୟ ହେବ

147

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଟେଲିକମ୍‍ କ୍ଷେତ୍ର ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ବା ପିଏଲ୍‍ଆଇ ସ୍କିମ୍‍ ଲାଗୁ କରାଯିବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି  ଏହି ଯୋଜନାରେ ଟେଲିଫୋନ ଏବଂ ଟେଲିନେଟୱାର୍କିଂ ସାମଗ୍ରୀ ଉତ୍ପାଦନ ନିମନ୍ତେ ୫ ବର୍ଷ ପାଇଁ ୧୨,୧୯୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ଯୋଜନାର ଲକ୍ଷ୍ୟ ହେଲା ଦେଶରେ ଟେଲିଫୋନ ଓ ଟେଲି ନେଟୱାର୍କରେ ବ୍ୟବହୃତ ସାମଗ୍ରୀ ଉତ୍ପାଦନକୁ ପ୍ରୋତ୍ସାହିତ କରିବା । ଘରୋଇ ଉତ୍ପାଦକମାନଙ୍କୁ ଏ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ସହ ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମରେ ଏହିସବୁ ସାମଗ୍ରୀ ଉତ୍ପାଦିତ ହେବ ଏବଂ ସରକାର ଏଥିପାଇଁ ପ୍ରୋତ୍ସାହନ ଯୋଗାଇଦେବେ । ଭାରତରେ ତିଆରି ଏସବୁ ସାମଗ୍ରୀକୁ ମେଡ୍‍ ଇନ୍‍ ଇଣ୍ଡିଆ ବ୍ରାଣ୍ଡରେ ବିଦେଶକୁ ରପ୍ତାନୀ କରାଯିବ ।

ସରକାର ଏହି ଯୋଜନାରେ ଯେଉଁ ପ୍ରୋତ୍ସାହନ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ତାହା ନିର୍ଦ୍ଦିଷ୍ଟ ଧରଣର ଟେଲିକମ ଓ ନେଟୱାର୍କିଂ ସାମଗ୍ରୀ ଉତ୍ପାଦନ କରୁଥିବା ଉଦ୍ୟୋଗ ଓ କମ୍ପାନୀଗୁଡିକ ପାଇଁ ପ୍ରଯୁଜ୍ୟ । ସେହିଭଳି ପ୍ରଥମ ୪ ବର୍ଷ ପାଇଁ ସଂପୃକ୍ତ ଉଦ୍ୟୋଗକୁ ଏ କ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁଭାବେ ପୁଞ୍ଜି ନିବେଶ କରି ଏକ ସର୍ବନିମ୍ନ ସ୍ତରରେ ପହଞ୍ଚିବାକୁ ହେବ । ଏହାଛଡା ସେହି ସମୟ ମଧ୍ୟରେ ସଂପୃକ୍ତ ସଂସ୍ଥାକୁ ଏକ ନିର୍ଦ୍ଦିଷ୍ଟ ଅନୁପାତର ସାମଗ୍ରୀ ବିକ୍ରିର ତଥ୍ୟ ପ୍ରମାଣ ଦାଖଲ କରିବାକୁ ହେବ । ୨୦୧୯-୨୦ ଆର୍ଥିକ ବର୍ଷକୁ ମୂଳବର୍ଷଭାବେ ହିସାବକୁ ନିଆଯାଇ ସଂପୃକ୍ତ ସଂସ୍ଥାକୁ ସହାୟତା ଯୋଗାଇ ଦିଆଯିବ ।

ସମଗ୍ର ବିଶ୍ୱରେ ଏବେ ଟେଲିକମ ଓ ନେଟୱାର୍କିଂ ସାମଗ୍ରୀର ରପ୍ତାନୀ ପରିମାଣ ୧୦୦ ବିଲିୟନ ଡଲାର । ଏତେବଡ ରାପ୍ତାନୀ ବଜାରରୁ ଭାରତ ଫାଇଦା ଉଠାଇବାର ସମ୍ଭାବନା ଥିବାରୁ ଏହି କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଉଛି । ଆହୁରି ମଧ୍ୟ ଭାରତରେ ଟେଲିକମ୍‍ ଓ ନେଟୱାର୍କିଂ ଯନ୍ତ୍ରାଂଶ ଉତ୍ପାଦନ ପାଇଁ ବିଦେଶୀ ନିବେଶକଙ୍କୁ କାରଖାନା ଖୋଲିବା ଏବଂ ପୁଞ୍ଜି ଲଗାଇବାକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ସେମାନେ ଚାହିଁଲେ ଭାରତର ପ୍ରମୁଖ ଦେଶୀ କଂପାନୀଗୁଡିକ ଯେଉଁ ସୁବିଧା ପାଉଛନ୍ତି ଅନୁରୂପ ସୁବିଧା ସୁଯୋଗ ପାଇପାରିବେ । ଆତ୍ମନିର୍ଭର ଭାରତର ରଣନୀତି ଅନୁସାରେ ଏହି କ୍ଷେତ୍ରରେ ଉଭୟ ଉତ୍ପାଦନ ଓ ରପ୍ତାନୀ ବୃଦ୍ଧି ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ୨୦୨୦ ନଭେମ୍ବରରେ ସରକାର ବିଭିନ୍ନ କ୍ଷେତ୍ର ପାଇଁ ଯେଉଁ ପିଏଲ୍‍ଆଇ ସ୍କିମ ଘୋଷଣା କରିଥିଲେସେଥିରେ ଟେଲିକମ ମନ୍ତ୍ରଣାଳୟ ଅନ୍ତର୍ଭୁକ୍ତ ଥିଲା ।

ଏହି ପିଏଲ୍‍ଆଇ ସ୍କିମ୍‍ରେ ଏମ୍‍ଏସ୍‍ଏମ୍‍ଇ ପାଇଁ ସର୍ବନିମ୍ନ ନିବେଶ ପରିମାଣର ସୀମା ୧୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ଅନ୍ୟମାନଙ୍କ ପାଇଁ ଏହି ନିବେଶ ସୀମା ୧୦୦ କୋଟି ଟଙ୍କା ଧାର୍ଯ୍ୟ ହୋଇଛି । ଏମ୍‍ଏସ୍‍ଏମ୍‍ଇ ଉଦ୍ୟୋଗ ପାଇଁ 5ବର୍ଷ ନିମନ୍ତେ ୭ ରୁ ୪ ଶତାଂଶ ପର୍ଯ୍ୟନ୍ତ କ୍ରମ ହ୍ରାସମାନ ନୀତିରେ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଅନ୍ୟାନ୍ୟ ନିବେଶକଙ୍କୁ ଏହି ପ୍ରୋତ୍ସାହନ ୬ ରୁ ୪ ଶତାଂଶ ମିଳିବ । ନିର୍ଦ୍ଧାରିତ ନିବେଶ ପରିମାଣଠାରୁ ଯେଉଁମାନେ ଅଧିକ ଅର୍ଥ ନିବେଶ କରିବେ ସେମାନଙ୍କୁ ସ୍ୱଚ୍ଛ ପ୍ରକ୍ରିୟାରେ ମନୋନୀତ କରାଯିବାର ବ୍ୟବସ୍ଥା ରହିଛି ।

ଏହିସବୁ ସୁବିଧା ସୁଯୋଗ ଯୋଗାଇ ଭାରତ ଏକ ଆନ୍ତର୍ଜାତିକ ଟେଲିକମ ଓ ନେଟୱାର୍କିଂ ସାମଗ୍ରୀର ହବ୍‍ ପାଲଟିବାର ଲକ୍ଷ୍ୟ ରଖିଛି । ପାଞ୍ଚବର୍ଷ ମଧ୍ୟରେ ଏହି ଯୋଜନାରେ ପ୍ରାୟ 2ଲକ୍ଷ କୋଟି ଟଙ୍କାର ପୌନଃପୌନିକ ଉତ୍ପାଦନ ହେବ ବୋଲି ଆଶା କରାଯାଉଛି । ଏହି ଯୋଜନାରେ ଦେଶରେ ୩୦୦୦ କୋଟିରୁ ଅଧିକ ଟଙ୍କାର ନିବେଶ ହେବ ବୋଲି ଆଶା ରଖାଯାଇଛି । ଏହା ମଧ୍ୟ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିରେ ସହାୟକ ହେବ ।

Leave A Reply

Your email address will not be published.