ଜଲେଶପଟ୍ଟା କନ୍ୟାଶ୍ରମ ପରିଚାଳକଙ୍କୁ ହତ୍ୟା ଧମକ ପରେ ଆଶ୍ରମରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ବିଜେପି ଓ ବିଏଚପି ଟିମ୍ ଜଲେଶପଟ୍ଟା ଆଶ୍ରମ ଅଭିମୁଖେ

180
କନ୍ଧମାଳ:  କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଜଲେଶପଟ୍ଟା କନ୍ୟାଶ୍ରମ ପରିଚାଳକ ସ୍ୱାମୀ ଜୀବନମୁକ୍ତା ନନ୍ଦଙ୍କୁ ଆଜି ସକାଳେ ପୁଣି ଥରେ ଫୋନ୍ କଲ୍ ମାଧ୍ୟମରେ କେହି ଦୁର୍ବୃତ ହତ୍ୟା ଧମକ ଦେଇଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଜିଲ୍ଲା ପୋଲିସ ପକ୍ଷରୁ ଏନେଇ କୌଣସି ଖୁଲାସା କରାଯାଇନାହିଁ ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି ଅପରାହ୍ନ ସାଢ଼େ ୫ଟା ସମୟରେ ତାଙ୍କ ମୋବାଇଲକୁ ଏକ ଅଜଣା ନମ୍ବରୁ ଧମକ ପୂର୍ଣ୍ଣ ଫୋନ୍ କଲ୍ ଆସିଥିଲା । ତାଙ୍କୁ ୪ ଦିନ ମଧ୍ୟରେ ହତ୍ୟା କରାଯିବ ଏବଂ କନ୍ୟାଶ୍ରମକୁ ବିସ୍ଫୋରଣରେ ଉଡାଇ ଦେବାକୁ ଧମକ ଦିଆଯାଇଥିଲା । ସ୍ୱାମୀ ଜୀବନମୁକ୍ତା ନନ୍ଦ ଏନେଇ ତୁମୁଡ଼ିବନ୍ଧ ଥାନାରେ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ଛାନଭିନ୍ ଜାରୀ ରଖିଛି । ସେହିପରି ଏହି ଧମକ ପୂର୍ଣ୍ଣ ଫୋନ୍ କଲ୍ ପରେ ଜିଲ୍ଲା ପୋଲିସ ପକ୍ଷରୁ ଆଶ୍ରମ ଚତୁପାଶ୍ୱର୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ପୋଲିସର ସନ୍ଧାନୀ କୁକୁର ସ୍କ୍ୱାଡ୍ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଜାରୀ ରଖିଛନ୍ତି ।
ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଶ୍ୱ ହିନ୍ଦୁ ପରିଷଦ (ବିଏଚପି) ପକ୍ଷରୁ ବରିଷ୍ଠ ସଦସ୍ୟ ମାନଙ୍କ ଏକ ଟିମ୍ ଭୁବନେଶ୍ୱରରୁ ଜଲେଶପଟ୍ଟା ଆଶ୍ରମ ଅଭିମୁଖେ ବାହାରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଏହି ଆଶ୍ରମରେ ୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମେତ ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଘଟଣା ପରେ କନ୍ଧମାଳ ଜିଲ୍ଲା ସମେତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ।
Leave A Reply

Your email address will not be published.