ପୋଲିସ ଆଖିରେ ଧୂଳି ଦେଇ କାର ଛାଡି ଚମ୍ପଟ, ୮୧କେଜି ଗଞ୍ଜେଇ ଜବତ

146

ପାରଳାଖେମୁଣ୍ଡି: ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ପେଟ୍ରୋଲିଂ କରୁଥିବାବେଳେ ପୋଲିସ ଆଖିରେ ଧୂଳି ଦେଇ ଗଞ୍ଜେଇ ଚୋରା ଚାଲାଣକାରୀମାନେ ଚମ୍ପଟ ମାରିଛନ୍ତି । ଏହି ଘଟଣାରେ ପୋଲିସ କାର ସହ କେବଳ ୮୧ କେଜି ଗଞ୍ଜେଇକୁ ଜବତ କରିଛନ୍ତି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାପାଳ ଅନୁପମ ସାହା ଓ ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜେଇ ଚୋରା କାରବାରକୁ ରୋକିବା ପାଇଁ ମୋହନା, ଅଡବା, ଆର୍.ଉଦୟଗିରି ପ୍ରଭୃତି ଥାନା ପକ୍ଷରୁ ଜୋରଦାର ପେଟ୍ରୋଲିଂ ଜାରି ରହିଛି । ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଏକ ଟିମ୍ ଏସ୍.ଆଇ. ସିନ୍ଧୁ ସାରକା ପ୍ରମୁଖ ହିଚାଗାଞ୍ଜି ରାସ୍ତାରେ ପେଟ୍ରୋଲିଂ କରିବା ସମୟରେ ଏକ ହୋଣ୍ଡା କାର ନମ୍ବର ଓଡି ୦୨ ଏୟୁ ୫୩୦୮ ଦୃତଗତିରେ ଆସୁଥିବା ଦେଖି ଅଟକାଇ ଥିଲେ । ପୋଲିସକୁ ଦେଖି କାରଟି ନ ରହି ଅତି ଦୃତଗତିରେ କିଛି ଦୂର ଚାଲିଯିବା ପରେ ଚୋରା ଚାଲାଣକାରୀ ମାନେ କାରଟିକୁ ରାସ୍ତାକଡରେ ଓଲଟାଇ ଫେରାର ହୋଇଯାଇଥିଲେ । କାରଟିର ପିଛା କରି ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ଯାଞ୍ଚ କରିବାରୁ ଗାଡି ଭିତରୁ ତିନୋଟି ବସ୍ତାରେ ଗଞ୍ଜେଇ ରହିଥିବାର ଦେଖିବାକୁ ପାଇଥିଲେ । ଅତିରିକ୍ତ ତହସିଲଦାର ଆଷିଶ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରିବାରୁ ତାହା ୮୧କେଜି ୭୦୦ ଗ୍ରାମ ବୋଲି ଜଣାପଡିଥିଲା । ଏହି ଘଟଣାକୁ ନେଇ ମୋହନା ଥାନାରେ ୪୭/୨୧ ନମ୍ବରରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.