ଆଜି ରାଜ୍ୟ ବଜେଟ୍ : ବ୍ୟୟ ଅଟକଳ ଛୁଇଁପାରେ ୧ଲକ୍ଷ ୭୦ହଜାର କୋଟି

149

ଭୁବନେଶ୍ୱର:  ଆଜି ରାଜ୍ୟ ବଜେଟ୍ । ୨୦୨୧-୨୨ ବର୍ଷ ପାଇଁ ବିଧାନସଭାରେ ବଜେଟ୍ ଉପସ୍ଥାପନ ହେବ । ରାଜ୍ୟ ବଜେଟ୍ର ରୂପରେଖ କ’ଣ ରହିବ ତା’କୁ ଏବେ ସମସ୍ତଙ୍କ ନଜର ରହିଛି । ବଜେଟ୍ର ଆକାର ୧ଲକ୍ଷ ୭୦ହଜାର କୋଟି ଟଙ୍କା ଛୁଇଁପାରେ । ଚଳିତ ବଜେଟ୍ରେ କେଉଁ କେଉଁ ସେକ୍ଟର ଫୋକସ୍ରେ ରହିବ । ସ୍ୱାସ୍ଥ୍ୟକ୍ଷେତ୍ରକୁ ଅଧିକ ଗୁରୁତ୍ୱ ମିଳିପାରେ । ଗତଥର ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୭ହଜାର ୭୦୦କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । କିନ୍ତୁ ଚଳିତଥର କରୋନା ସଂକ୍ରମଣ ବଢ଼ିଥିବାରୁ ସ୍ୱାସ୍ଥ୍ୟ ବିଭାଗକୁ ପ୍ରାୟ ୧୦ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ବରାଦ ହୋଇପାରେ । ସ୍ୱାସ୍ଥ୍ୟ ଭିତ୍ତିଭୂମିଠାରୁ ଆରମ୍ଭକରି ନିଯୁକ୍ତି ପର୍ଯ୍ୟନ୍ତ ସବୁକ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇପାରେ ।

୨୦୨୦-୨୧ରେ କୃଷି ଏବଂ କୃଷି ସମ୍ବନ୍ଧୀୟ କ୍ଷେତ୍ର ପାଇଁ ୧୪.୧ ପ୍ରତିଶତ, ପଞ୍ଚାୟତିରାଜ ପାଇଁ ୧୩ ପ୍ରତିଶତ, ଏମ୍ଏସ୍ଏମ୍ଇ ପାଇଁ ୧୨.୯ ପ୍ରତିଶତ ଏବଂ ସ୍ୱାସ୍ଥ୍ୟ ପାଇଁ ୫.୭ପ୍ରତିଶତ ବ୍ୟୟବରାଦ କରାଯାଇଥିଲା । କିନ୍ତୁ ଏଥର ଫୋକସ୍ରେ ରହିଛି ପଞ୍ଚାୟତିରାଜ ବିଭାଗ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବିଭାଗ ପାଇଁ ଅଧିକ ବ୍ୟୟବରାଦ କରିପାରନ୍ତି ରାଜ୍ୟ ସରକାର । ସେହିପରି ମନ୍ଦିରଗୁଡ଼ିକର ବିକାଶ ପାଇଁ ପୁରୀ, ଲିଙ୍ଗରାଜ, କୋଣାର୍କ ଏବଂ ସମଲେଶ୍ୱରୀ ମନ୍ଦିର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ରଖିଛନ୍ତି ରାଜ୍ୟ ସରକାର ।

ଶ୍ରୀମନ୍ଦିର ପ୍ରାୟ ୫୦୦କୋଟି,ଲିଙ୍ଗରାଜ ମନ୍ଦିର ପାଇଁ ୧୦୦ କୋଟି ଏବଂ ସମଲେଶ୍ୱରୀ ମନ୍ଦିର ପାଇଁ ମଧ୍ୟ ୧୦୦କୋଟି ଟଙ୍କା ବ୍ୟୟବରାଦ ହୋଇପାରେ । ଅନ୍ୟପକ୍ଷରେ କାଳିଆ ଯୋଜନା ପାଇଁ ସ୍ୱତନ୍ତ୍ର ଅର୍ଥରାଶି ଘୋଷଣା ହୋଇପାରେ । ଆଗକୁ ପୌର ନିର୍ବାଚନ ଥିବାରୁ ସହରାଞ୍ଚଳ ଲୋକଙ୍କୁ ପ୍ରାଥମିକତା ଦେଇପାରନ୍ତି ସରକାର । ଗ୍ରାମାଞ୍ଚଳ ଭଳି ସହରାଞ୍ଚଳ ଲୋକଙ୍କୁ ନିଯୁକ୍ତି ଓ ରୋଜଗାର ସମ୍ପର୍କିତ କିଛି ନୂଆ ପଦକ୍ଷେପ ନେଇପାରନ୍ତି ।

ମହାନଗର ନିଗମ ଓ ପୌରାଞ୍ଚଳର ଗରିବ ଲୋକଙ୍କ ପାଇଁ ମନରେଗା ଭଳି ବଡ଼ ଯୋଜନା ଘୋଷଣା ହୋଇପାରେ । ସେହିପରି ପାନୀୟଜଳ, ଗ୍ରାମାଞ୍ଚଳ ବିକାଶ, ଶିକ୍ଷା, କୃଷି, କ୍ଷୁଦ୍ର ଶିଳ୍ପ ଉପରେ ରାଜ୍ୟ ସରକାର ଅଧିକ ଫୋକସ୍ କରିପାରନ୍ତି । ଗୋଟିଏ ପଟେ ଋଣ ବୋଝର ପରିମାଣ ୧ଲକ୍ଷ ଟପିଲାଣି ଏବଂ କରୋନା ମାଡ ରାଜ୍ୟ ଅର୍ଥନୀତିକୁ ଦୋହଲାଇ ଦେଇଛି । ତେଣୁ ରାଜସ୍ୱ ମଧ୍ୟ କମିଛି ।

ଏତିକି ବେଳେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟର ଆକଳନ ଚିନ୍ତା ବଢ଼ାଇ ଦେଇଛି । ଏହାଛଡ଼ା କେନ୍ଦ୍ର ବଜେଟ୍ରେ ରାଜ୍ୟକୁ ମିଳୁଥିବା ଅନୁଦାନ କମିଥିବା ରାଜ୍ୟ ସରକାର ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ବଜେଟ୍ କିଭଳି ଲୋକାଭିମୁଖୀ ହେବ ତାହା ଅର୍ଥମନ୍ତ୍ରୀଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି ।

Leave A Reply

Your email address will not be published.