ସ୍ୱାମୀଜୀଙ୍କୁ ହତ୍ୟା ଧମକ: ଅଭିଯୁକ୍ତ ଗିରଫ

155

ଫୁଲବାଣୀ: କନ୍ଧମାଳ ଜିଲାରେ ବିଶ୍ୱ ହିନ୍ଦୁ ପରିଷଦ ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦ୍ୱାରା ସ୍ଥାପିତ ଜଲେଶପଟା କନ୍ୟାଶ୍ରମକୁ ବୋମାରେ ଉଡ଼ାଇଦେବା ଏବଂ ଆଶ୍ରମ ମୁଖ୍ୟ ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଜଣେ ସାଧୁଙ୍କୁ ଗିରଫ କରିଛି ପୋଲିସ । ତାଙ୍କୁ ରାୟଗଡ଼ାରୁ ଗିରଫ କରାଯାଇଛି । ତାଙ୍କ ନାଁ ମହାଦେବ ମହାରାଜ ବୋଲି କନ୍ଧମାଳ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସେ ପୂର୍ବରୁ ଚକାପାଦ ଆଶ୍ରମ ଏବଂ ପରବର୍ତ୍ତୀ ସମୟରେ ଜଲେଶପଟା ଆଶ୍ରମରେ ରହୁଥିଲା । ଜଲେଶପଟା ଆଶ୍ରମରେ ରହୁଥିବାବେଳେ ସ୍ୱାମୀଜୀଙ୍କ ସହିତ ମନାନ୍ତର ହୋଇଥିଲା ବୋଲି ପୋଲିସ କହିଛି । ଅନ୍ୟପଟେ ଆଶ୍ରମକୁ ଉଡ଼ାଇଦେବା ଧମକ ମିଳିବା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରବିବାର ଜଣେ ଅଧିକାରୀ କହିଛନ୍ତି ଯେ, ଜଲେଶପଟାରେ ଗୁରୁକୂଳ ସଂସ୍କୃତ କନ୍ୟାଶ୍ରମର ପ୍ରମୁଖ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କୁ ୨୪ ଘଣ୍ଟା ଭିତରେ ୨ଥର ହତ୍ୟା ଧମକ ମିଳିଛି ।

ଏହାପରେ ସ୍ୱାମୀଜୀଙ୍କ ପକ୍ଷରୁ ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୧୨୫ କିଲୋମିଟର ଦୂର ତୁମୁଡ଼ିବନ୍ଧ ଥାନାରେ ଏତଲା ରୁଜୁ କରାଯିବା ସହିତ ଆଶ୍ରମ ପାଇଁ ସୁରକ୍ଷା ଦାବି କରାଯାଇଛି । ବାଲିଗୁଡ଼ା ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ ପୂଜାରୀ କହିଛନ୍ତି ଯେ, ଶନିବାର ସନ୍ଧ୍ୟାରେ ସ୍ୱାମୀଜୀଙ୍କୁ ଟେଲିଫୋନ ଜରିଆରେ ପ୍ରଥମ ଧମକ ମିଳିଥିଲା । ରବିବାର ସକାଳେ ପୁଣି ଥରେ ସେହି ନମ୍ବରରୁ ଧମକ ମିଳିଥିଲା । ପୋଲିସ ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଆଶ୍ରମ ପରିସରରେ ସଶସ୍ତ୍ରବଳ ମୁତୟନ କରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ଅଭିଯୋଗ ହେବା ପରେ ତୁରନ୍ତ ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବାଶଙ୍କର ସରାଫ ଆଶ୍ରମକୁ ଯାଇ ସୁରକ୍ଷା ବ୍ୟବସ୍ଥା କରିଥିଲେ ।

ଫୋନରେ ଆଶ୍ରମକୁ ବୋମାରେ ଉଡ଼ାଇବାକୁ ଧମକ ଦିଆଯାଇଥିଲା । ସେଥିାଇଁ ଏକ ବୋମା ନିରୋଧୀ ଟିମ୍ ଆଶ୍ରମ ଚାରିପଟେ ସର୍ଚ୍ଚ ଅପରେଶନ କରିଛି । ଏହି ଆଶ୍ରମରେ ବର୍ତ୍ତମାନ ୯୦ ଅନ୍ତେବାସୀ ରହୁଛନ୍ତି । ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଅନାଥ ରହିଛନ୍ତି । ଏମାନେ ସମସ୍ତେ ଜନଜାତି ପରିବାରରୁ ଆସିଛନ୍ତି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କର ୪ ସମର୍ଥକଙ୍କୁ ୨୦୦୮ ଅଗଷ୍ଟ ୨୩ରେ
ହତ୍ୟା କରାଯିବା ପରେ ଦଙ୍ଗା ସୃଷ୍ଟି ହୋଇଥିଲା । ଏହାକୁ ଧ୍ୟାନରେ ରଖି ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ ନିଜକୁ ଅନ୍ତେବାସିନୀମାନଙ୍କୁ ଏବଂ ସ୍ୱୟଂସେବକମାନଙ୍କୁ କଡ଼ା ସୁରକ୍ଷା ଯୋଗାଇଦେବା ଲାଗି ଦାବି କରିଥିଲେ ।

Leave A Reply

Your email address will not be published.