ଓଡିଆ ଭାଷା ଓ ସୀମା ସଂପର୍କିତ ଚିନ୍ତନ ଚକ୍ର

177
ଭୁବନେଶ୍ୱର: ବିଶ୍ୱ ମାତୃଭାଷା ଦିବସ ଅବସରରେ ଓଡିଆ ଭାଷା ଓ ସୀମା ସୁରକ୍ଷା ଅଭିଯାନ, ଓଡିଶା ସୌଜନ୍ୟରୁ କବି ଶଙ୍କର୍ଷଣ ପରିଡାଙ୍କ ଆବାହକତ୍ୱରେ ଓଡିଆ ଭାଷା ଓ ସୀମା ସଂକଟ ସାଂପର୍କିତ ଏକ ବିଚାର ବିମର୍ଶ କର୍ମଶାଳା ଜୟ ଭାରତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଭାଷା ଯେକୌଣସି ଜାତିର ପ୍ରାଣସ୍ପନ୍ଦନ, ତାର ସକଳ ଜୀବନ ସାଥୀ । ଭାଷାର ଭିତ୍ତିଭୂମି ଦୁର୍ବଳ ହେଲେ ଶାସନ, ବିକାଶ ଓ ଜ୍ଞାନର ଅଭିବୃଦ୍ଧି ଘଟିବ ନାହିଁ । ଭାଷା ହେଉଛି ଏକ ସୁବର୍ଣ୍ଣ ତ୍ରିଭୂଜ, ଯାହାର ଭୂମି ହେଉଛି ଜ୍ଞାନ ଏବଂ ବାହୁ ଦ୍ୱୟ ଯଥାକ୍ରମେ ଶାସନ ଓ ବିକାଶ । ଆମ ରାଜ୍ୟ ଓଡିଶା ସମଗ୍ର ଭାରତବର୍ଷର ଏକମାତ୍ର ରାଜ୍ୟ, ଯାହା ଭାଷା ଭିତ୍ତିରେ ଗଠନ କରାଯାଇଥିଲା । ଅଥଚ ଭାଷାଭିତ୍ତ୍‌ିକ ରାଜ୍ୟ ଗଠନର ୮୫ ବର୍ଷ ପରେ ସ୍ୱାଧୀନୋତ୍ତର ଭାରତବର୍ଷ ଓ ଓଡିଶାର ୭୫ ବର୍ଷ ପରେ ଏବଂ ଭାଷା ଆଇନ ପ୍ରଣୟନର ୬୬ ବର୍ଷ ପରେ ମଧ୍ୟ ଓଡିଆ ଭାଷା ଶାସନର ଭାଷା ହୋଇପାରିନାହିଁ । ମାତୃଭାଷା ଶାସନର ଭାଷା ନହେଲେ ବିକାଶ ବାଧାପ୍ରାପ୍ତ ହୁଏ, ଏକଥା ପ୍ରମାଣିତ ହୋଇଛି ସଂପ୍ରତି ଆନ୍ଧ୍ର ଅଧିକୃତ କୋଟିଆ ପଂଚାୟତ ଏବଂ ଗଞ୍ଜାମ, ଗଜପତି ଜିଲ୍ଲାର ସୀମାନ୍ତ ଅଂଚଳରେ । ଅଳ୍ପେ ବହୁତେ ଓଡିଶାର ସମସ୍ତ ସୀମାନ୍ତବର୍ତୀ ଜିଲ୍ଲାଗୁଡିକରେ ଓଡିଆ ଭାଷା କେବଳ ନୁହେଁ, ଓଡିଶାର ସୀମା ଅସୁରକ୍ଷିତ ଅବସ୍ଥାରେ ଅଛି । ଭାଷାର ଅଭିବୃଦ୍ଧି ନଘଟିଲେ ଶାସନ, ବିକାଶ ଏବଂ ଜ୍ଞାନର ଅଭିବୃଦ୍ଧି ଘଟିବ ନାହିଁ । ଏକଥା ଆମେ ସମସ୍ତେ ହୃଦୟଙ୍ଗମ କରୁଥିଲେ ମଧ୍ୟ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଭାଷା-ମାରଣ-ଯଜ୍ଞ ଜାରି ରହିଛି । ଓଡିଶା ସରକାର ୨୦୧୮ ମସିହାରେ ରାଜ୍ୟ ରାଜଧାନୀ ବାହାରେ ଶ୍ରୀକ୍ଷେତ୍ର ପୁରୀଠାରେ ପ୍ରଥମ ଥର ପାଇଁ ଭାଷା ଓ ସାହିତ୍ୟ ନିମନ୍ତେ ସ୍ୱତନ୍ତ୍ର ସମର୍ପିତ ମନ୍ତ୍ରୀସଭାର ଆୟୋଜନ କରି ଓଡିଆ ଭାଷାର ବିକାଶ ପାଇଁ ବିଂଶସୂତ୍ରୀ କାର୍ଯ୍ୟକ୍ରମ ଘୋଷଣା କରିବା ସହିତ ଜ୍ଞାନର ବିକାଶ ପାଇଁ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆଇନ ପ୍ରଣୟନ କରିଥିଲେ ମଧ୍ୟ ତାହା ପ୍ରୟୋଗ ନୁହେଁ, କେବଳ ପ୍ରଚାରସର୍ବସ୍ୱ ହୋଇ ପଡିଛି । ଆମର ସାଂପ୍ରତିକ ଓଡିଆ ଭାଷା ଜ୍ଞାନ ରହିତ, ଶାସନ ଦିଶାହୀନ ଓ ବିକାଶ ବାଧାପ୍ରାପ୍ତ, ଯାହା ଫଳରେ ଆମେ କେବଳ ଭାଷା ସଂକଟ ନୁହେଁ, ସୀମା ସଂକଟର ଶିକାର ହେବାକୁ ବାଧ୍ୟ ହେଲୁଣି । ଯେଉଁ ଭାଷାସାହିତ୍ୟ ଓଡିଆ ଜାତିର ମହାର୍ଘ ଅସ୍ମିତାର ପରିଚୟ, ଓଡିଶାର ସୀମା ସ୍ୱତନ୍ତ୍ର ଓ ସାର୍ବଭୌମତ୍ୱର ଆଧାରଶିଳା ଏବଂ ମହାଭାରତୀୟ ମର୍ଯ୍ୟାଦାର ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଏକମାତ୍ର ଆର୍ଯ୍ୟଭାଷା ଗୌରବରେ ମହିମାମଣ୍ଡିତ, ସେହି ଭାଷା ସାହିତ୍ୟ ଓ ଭୂମିର ଉତ୍ତରାଧିକାରୀମାନେ ସାଂପ୍ରତିକ ସମୟର ବିପର୍ଯ୍ୟୟକୁ ମୁକାବିଲା କରିବା ନିମନ୍ତେ ଆଗୁସାର ହେବା ପାଇଁ ସର୍ବସମ୍ମତ ନିଷ୍ପତି ଗ୍ରହଣ କରାଯାଇ ଓଡିଆ ଭାଷା ଓ ଓଡିଶାର ସୀମା ସୁରକ୍ଷା ଅଭିଯାନର ନକ୍ସାଙ୍କନ କରାଯାଇଥିଲା । କବି, ଚିନ୍ତକ ହରପ୍ରସାଦ ଦାସଙ୍କ ପୌରହିତ୍ୱରେ ଅନୁଷ୍ଠିତ ସଂପୃକ୍ତ ଚିନ୍ତଚକ୍ରରେ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ନ୍ୟାୟମୂର୍ତି ମନୋରଂଜନ ମହାନ୍ତି, ବିଶିଷ୍ଟ ଅଧିବକ୍ତା ଧରଣୀଧର ନାୟକ, ସାହିତ୍ୟକାର ପ୍ରଫେସର୍ ନୀଳାଦ୍ରିଭୂଷଣ ହରିଚନ୍ଦନ, ଗବେଷକ ଅନିଲ ଧୀର୍‌, କବି ପ୍ରଶାସକ ପ୍ରଦୀପ ବିଶ୍ୱାଳ ଅତିଥି ଭାବେ ମଂଚାସୀନ ଥିବାବବେଳେ ସହ-ଆବାହକ ଅଜିତ ଦାସ ସ୍ୱାଗତ ଅଭିବାଦନ ଜଣାଇଥିଲାବେଳେ ଅନ୍ୟତମ ଯୁଗ୍ମ-ସହ ଆବାହକ ଡକ୍ଟର ଧର୍ମଛଡା ଧନ୍ୟବାଦ ଅର୍ପଣ କରିଥିଲେ । ସଂପୃକ୍ତ ସଭାରେ ନିମ୍ନୋକ୍ତ ପ୍ରସ୍ତାବଗୁଡିକ ସର୍ବସମ୍ମତକ୍ରମେ ଗୃହୀତ ହୋଇଥିଲା-
(୧) ଓଡିଆ ଭାଷାକୁ ବ୍ୟାବହାରିକ ଭାଷାରେ ପରିଣତ କରିବାକୁ ଉଦ୍ୟମ କରିବା ସହିତ ଆମ ଭାଷାକୁ ଜ୍ଞାନର ଭାଷା ଓ ଜୀବନଜୀବିକାର ଭାଷାରେ ପରିଣତ କରିବା
(୨) ଓଡିଆ ଭାଷା ଭିନ୍ନ ଅନ୍ୟ ଭାଷାରେ ନିମନ୍ତ୍ରଣ ପତ୍ର ବଂଟନ କରାଗଲେ ସଂପୃକ୍ତ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବାକୁ ନିଷ୍ପତି ଗ୍ରହଣ କରାଗଲା
(୩) ରାଜ୍ୟ ସରକାରଙ୍କ ପରିବର୍ତିତ ଭାଷା ଆଇନ ଓ ତତ୍ ସଂପର୍କିତ ପ୍ରଣୀତ ନିୟମାବଳୀ ଓ ବିଧି ବିଧାନକୁ କାର୍ଯ୍ୟକାରୀ କରାଯାଇ ଓଡିଆ ଭାଷାକୁ ଜ୍ଞାନ, ବିକାଶ ଓ ଶାସନର ଭାଷାରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରଚାର ପ୍ରସାର ପରିବର୍ତେ ପ୍ରୟୋଗାତ୍ମକ ମୂଲ୍ୟବୋଧ ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖିବା ନିମନ୍ତେ ଅନୁରୋଧ ପ୍ରସ୍ତାବ ଗ୍ରହଣ କରାଗଲା
(୪) ଓଡିଶାର ସୀମାନ୍ତବର୍ତୀ ରାଜ୍ୟମାନଙ୍କରେ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ପଡୋଶୀ ରାଜ୍ୟମାନଙ୍କର ଅନୁପ୍ରବେଶକୁ ପ୍ରତିହତ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିବା ପାଇଁ ଅନୁରୋଧ ପ୍ରସ୍ତାବ ଗ୍ରହଣ କରାଗଲା ।
Leave A Reply

Your email address will not be published.