ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ୨୨ ବର୍ଷ ପରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଜେଲ୍ ଗଲା । ସିବିଆଇ ସ୍ପେଶାଲ କୋର୍ଟରେ ହାଜର ପରେ ଅଭିଯୁକ୍ତ ବିବନ ଜେଲ୍ ଯାଇଛି । ସିବିଆଇ ଆଖିରେ ଧୂଳି ଦେଇ ୨୨ ବର୍ଷ ଧରି ବୁଲୁଥିବା ବିବନ । ବହୁ ଚର୍ଚ୍ଚିତ ୧୯୯୯ ବାରଙ୍ଗ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ପାଇଁ ଦିନେ ରାଜ୍ୟର ରାଜନୀତି ହୁଲସ୍ତୁଲ ହୋଇଥିଲା । ବିବନକୁ ପୁନେରୁ ଗିରଫ କରିଛି କମିଶନରେଟ୍ ପୋଲିସ ।
ସିବିଆଇ ଆଖିରେ ଧୁଳିଦେଇ ପୁନେରେ ଲୁଚିଥିଲା ବିବନ । ସବୁ ନାଁ ଗାଁ ଠିକଣା ବଦଳେଇ ଦେଇଥିଲା । ଜଳନ୍ଧର ସ୍ୱାଇଁ ନାଁରେ ପୁନେରେ ରହୁଥିଲା ବିବନ । ମହାରାଷ୍ଟ୍ର ପୋଲିସ ସହାୟତାରେ କମିଶନରେଟ୍ ପୋଲିସ ବିବନକୁ ଗିରଫ କରିଛି । ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି ୧୯୯୯ ଜାନୁଆରୀ ୨୬ରେ ଗିରଫ ହୋଇଥିଲେ । ତେବେ ସେହିଦିନଠାରୁ ଫେରାର ଥିଲା ବିବନ । ନାଁ ବଦଳାଇ ରହୁଥିବା ବିବନକୁ ଧରିବା ପାଇଁ କମିଶନରେଟ୍ ପୋଲିସ ଗଢିଥିଲା ସ୍ୱତନ୍ତ୍ର ଟିମ୍ ।
ଏହି ଅପରେସନ୍ ରେ ନାଁ ଦିଆଯାଇଥିଲା “ସାଇଲେଣ୍ଟ ଭାଇପର’ । ୩ ମାସ ପୂର୍ବରୁ ଏଥିପାଇଁ ଜାଲ ବିଛାଇଥିଲା କମିଶନରେଟ ପୋଲିସ । ପୋଲିସ କମିଶନର, କଟକ ଡିସିପିଙ୍କୁ ନେଇ ଏକ ୪ଜଣିଆ ଟିମ୍ ଗଠନ ହୋଇଥିଲା । ୩ ମାସ ତଳେ ଚୌଦ୍ୱାର ଜେଲରେ ଥିବା ଅପରାଧୀ ଧିରେନ୍ଦ୍ରକୁ ଭେଟିଥିଲେ କମିଶନର ।
ବିବନକୁ ସହଯୋଗୀମାନେ ବିକେ ବା ବାରଙ୍ଗ କିଙ୍ଗ୍ ବୋଲି ଡାକୁଥିବା ପୋଲିସ ଜାଣିବାକୁ ପାଇଥିଲା । ମଝିରେ ବିବନ ତ୍ରିଶୁଳିଆରେ ଆସି କିଛି ଦିନ ରହୁଥିଲା । ବିବନ ପୁଅମାନେ ତା’ଠାରୁ କେମିତି ପଇସା ପାଉଛନ୍ତି ଖୋଳତାଡ଼ କରିଥିଲା ପୋଲିସ । ଜଣାପଡ଼ିଥିଲା ନାଁ ବଦଳାଇ ବିବନ ଆମ୍ବିଭ୍ୟାଲିରେ ଜଳନ୍ଧର ସ୍ୱାଇଁ ନାଁରେ ରହୁଛି ।
ସେଠାରେ ସେ ପାଣି ମିସ୍ତ୍ରୀ ଭାବେ ଆତ୍ମଗୋପନ କରିଥିଲା । ଭୋଟର ପରିଚୟପତ୍ର, ଆଧାର କାର୍ଡ ସମେତ ବ୍ୟାଙ୍କ ପାସବୁକ୍ ବି ଜଳନ୍ଧର ସ୍ୱାଇଁ ନାଁରେ କରିଥିଲା । କେବଳ ସେତିକି ନୁହେଁ ବିବନ ବିଶ୍ୱାଳ ମରିଯାଇଥିବା ନେଇ ମୃତ୍ୟୁ ପ୍ରମାଣପତ୍ର ଯୋଗାଡ କରିବାରେ ସେ କୁଆଡ଼େ ଲାଗିଥିଲା । ପୋଲିସ କିନ୍ତୁ ଟ୍ରାକ୍ କରି ପହଞ୍ଚିଥିଲା ବିବନ ଓରଫ ଜଳନ୍ଧର ପାଖରେ । ପୋଲିସକୁ ଦେଖି ସେଠି ବି ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲା । କିନ୍ତୁ ୨୨ ବର୍ଷର ଖେଳ ସରିଯାଇଥିଲା ।
ମରି ମରି ବଞ୍ଚିଛି:
ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜାନକୀ ପଟ୍ଟନାୟକ ବଞ୍ଚିଥିବା ବେଳେ ବିବନ ଧରାପଡ଼ିଥିଲେ ଭଲ ହୋଇଥାନ୍ତା । ୨୨ ବର୍ଷ ପରେ ବିବନ ବିଶ୍ୱାଳ ଧରାପଡ଼ିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଅଞ୍ଜନା ମିଶ୍ର, ଯିଏ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଘଟିଥିଲା ଏହି ଘଟଣା ।
ବିବନକୁ କମିଶନରେଟ୍ ପୋଲିସ୍ ପୁନେରୁ ଗିରଫ କରିବା ପରେ ଅଞ୍ଜନା ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ‘ମୁଁ ୨୨ ବର୍ଷ ଧରି ମରି ମରି ବଞ୍ଚିଛି’ । ପାଟି ବନ୍ଦ ରଖିବାକୁ ଧମକ ମିଳିଛି । ମୁଁ ରହୁଥିବା ଘରକୁ ବାରମ୍ବାର ପଥର ମାଡ଼ କରାଯାଇଥିଲା, ତେଣୁ ବାଧ୍ୟ ହୋଇ ସେ ଘର ଛାଡ଼ିଲି । ଘରକୁ ପଥର ମାଡ଼ ଘଟଣାରେ ଜଣେ ମହିଳାଙ୍କ ନାଁ ନେଇଥିଲେ ଅଞ୍ଜନା । ଉକ୍ତ ମହିଳାଙ୍କ ନାଁ ସୁଶ୍ରୀ କାନୁନଗୋ ମହାନ୍ତି । ସୁଶ୍ରୀ ଜଣେ କଂଗ୍ରେସ କର୍ମୀ । ତାଙ୍କ ସ୍ୱାମୀ ସାମରିକ ବିଭାଗର କର୍ମଚାରୀ । ସୁଶ୍ରୀଙ୍କ ପ୍ରରୋଚନାରେ ତାଙ୍କ ସ୍ୱାମୀ ଯବାନ ଲଗାଇ ତାଙ୍କ ଘରେ ପଥର ମାଡ଼ କରାଉଥିଲେ ବୋଲି ଅଞ୍ଜନା କହିଥିଲେ ।
ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଧରାପଡ଼ିଥିବାରୁ ଅଞ୍ଜନା ପ୍ରେସମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତା’ସହିତ ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ଏହା ସହିତ ଘଟଣା ପରଠାରୁ ଏଯାବତ୍୨୨ ବର୍ଷର କଷ୍ଟ ବଖାଣିଥିଲେ ଅଞ୍ଜନା । ସେ କହିଥିଲେ ବିପଦକୁ ସାମ୍ନା କଲା ବେଳେ ଭାଙ୍ଗି ପଡ଼ିନଥିଲି । ଧର୍ଯ୍ୟର ସହ ବିପଦକୁ ସାମ୍ନା କର, ନ୍ୟାୟ ନିଶ୍ଚିତ ମିଳିବ ।