ଶିମିଳିପାଳ ସମେତ ୯୧୮ ଜଙ୍ଗଲରେ ନିଆଁ : ଗାଁମୁହାଁ ବନ୍ୟଜନ୍ତୁ: ଲୋକେ ଛାନିଆ

163

ଭୁବନେଶ୍ୱର: ଦୁଇ ସପ୍ତାହ ଜଳୁଛି ଶିମିଳିପାଳ । ଏପଟେ ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ତଥ୍ୟ କହୁଛି ଓଡ଼ିଶାର ୯୧୮ଟି ସ୍ଥାନରେ ଜଙ୍ଗଲ ଜଳୁଛି । ନିଆଁର ଆଁରେ ଭସ୍ମ ହେଲାଣି ହଜାର ହଜାର ହେକ୍ଟର ଜଙ୍ଗଲ । ଦାମୀ ଗଛ ପୋଡି ପାଉଁଶ ହୋଇଗଲାଣି । ଜୀବନ ବିକଳରେ ଗାଁ ମୁହାଁ ହୋଇଛନ୍ତି ବନ୍ୟଜନ୍ତୁ । ଅନ୍ୟପକ୍ଷରେ ବନବିଭାଗ କହୁଛି, ନିଆଁଲିଭା କାମ ଚାଲିଛି, ଗ୍ରୀଷ୍ମପ୍ରବାହ ଯୋଗୁ ନିଆଁଲିଭା ବିଳମ୍ବ ହେଉଥିବା କହିଛନ୍ତି । ଏବେ ବି ଜଳୁଛି ଜଙ୍ଗଲ । ଶିମିଳିପାଳ ସମେତ ଓଡ଼ିଶାରେ ୯୧୮ଟି ସ୍ଥାନରେ ଆଜିବି ଜଙ୍ଗଲ ଜଳୁଛି । ପ୍ରାୟ ଦୁଇ ସପ୍ତାହଧରି ହେଲା ନିଆଁ ଲାଗିଥିବା ଶିମିଳିପାଳ ଅଭୟାରଣ୍ୟର ଭଞ୍ଜବସା ଓ ପୋଡାଡିହା ରେଞ୍ଜର ପ୍ରାୟ ୫ କିମି ବ୍ୟାପି ନିଆଁ ଲିଭିନଥିବା ଜଣାଯାଇଛି । କେବଳ ଶିମିଳିପାଳ ନୁହେଁ, ଗଞ୍ଜାମ, ନୟାଗଡ଼, ଢେଙ୍କାନାଳ ସମେତ ଅନେକ ସ୍ଥାନରେ ଲାଗିଥିବା ନିଆଁ ଏବେ ବି ଲିଭିନଥିବା ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ସ୍ପଷ୍ଟ କରିଛି । ନିଆଁର ଆାଁରେ ଭସ୍ମ ହୋଇଗଲାଣି ହଜାର ହଜାର ଏକର ଜଙ୍ଗଲ ।

ଶିମିଳିପାଳରେ ନିଆଁକୁ ଆୟତ୍ତ କରିବା ପାଇଁ ଏକ ହଜାରରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସ୍ୱେଚ୍ଛାସେବୀ ସଂଗଠନ, କଲେଜ ଛାତ୍ରଛାତ୍ରୀଙ୍କୁ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ସାମିଲ କରାଯିବା ସହିତ ଆହୁରି ୧୦୦ଜଣ ଜଗୁଆଳୀଙ୍କୁ ନିୟୋଜିତ କରାଯାଇଛି । ଗ୍ରୀଷ୍ମପ୍ରବାହ ଅଧିକ ହେଉଥିବାରୁ ନିଆଁ ଆୟତ୍ତ କରିବାରେ ବିଳମ୍ବ ହେଉଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସାଉଥ୍ ଡିଭିଜନ୍‌ର ଡେପୁଟି ଡିରେକ୍ଟର ଯଜ୍ଞଦତ୍ତ ପତି କହିଛନ୍ତି । ନିଆଁ ବ୍ୟାପୁଥିବାରୁ ଜୀବନ ବିକଳରେ ଏବେ ଗାଁ ମୁହାଁ ହୋଇଛନ୍ତି ବନ୍ୟଜନ୍ତୁ ।

ଗତ କିଛିଦିନ ହେଲା ଢେଙ୍କାନାଳ ମୁକ୍ତାପଶି ଫରେଷ୍ଟ ସେକ୍ସନ୍‌ର ଯୌତୁକପଶି ଓ ଇନ୍ଦ୍ରବତୀପୁର ଜଙ୍ଗଲ ଏବେ ବି ଜଳୁଛି । ନିଆଁରେ ଶହ ଶହ ଏକର ଶାଳ ଜଙ୍ଗଲ ପୋଡି ପାଉଁଶ ହେବାକୁ ବସିଲାଣି । ଜଙ୍ଗଲ ଜଳୁଥିବାରୁ ଆଖପାଖ ଗାଁକୁ ଜଙ୍ଗଲୀଜନ୍ତୁ ପଶିଆସୁଛନ୍ତି । ଗୋଟିଏ ପଟେ ନିଆଁ ଅନ୍ୟପକ୍ଷରେ ଜଙ୍ଗଲୀଜନ୍ତୁ ଭୟ ଏବେ ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି । ସୋମାଟାଙ୍ଗି, ଚାନ୍ଦପୁର ଆଦି ଗାଁକୁ ହାତୀ ପଶିଆସୁଥିବା ବେଳେ ବନବିଭାଗ ମଧ୍ୟ ହାତ ଟେକିଦେଲାଣି ।

ସେପଟେ ନୟାଗଡ଼, ଓଡଗାଁ ବନାଞ୍ଚଳର ଗୟାଲସିଂ ଜଙ୍ଗଲରେ ନିଆଁ ଲାଗି ବହୁ ଦାମୀ ଗଛ ପୋଡିଗଲାଣି । ବାରହା, କ୍‌ୁଟୁରା ଶିକାର ପାଇଁ ଶିକାରୀ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଡିଏଫ୍‌ଓ କହିଛନ୍ତି ନିଆଁ ଲିଭା କାମ ଜାରି ରହିଛି । ଲୋକଙ୍କୁ ସଚେତନ ପାଇଁ ପୋଷ୍ଟର ମରାଯାଇଛି । ତେବେ ପ୍ରଶ୍ନ ଉଠୁଛି ଜଙ୍ଗଲରେ ନିଆଁ ଲଗାଉଛି କିଏ ? ନିଆଁ ଲଗାଇବା ପଛରେ କ’ଣ ରହିଛି କାରଣ ? ଜଙ୍ଗଲ ସୁରକ୍ଷା ଦାୟିତ୍ୱ ବନ ବିଭାଗ ହାତରେ ଥିବାବେଳେ ବିଭାଗ କ’ଣ କରୁଛି ବୋଲି ପରିବେଶବିତ୍ ପ୍ରଶ୍ନ ଉଠାଇଲେଣି ।

Leave A Reply

Your email address will not be published.