ଭୁବନେଶ୍ୱର: ରାସ୍ତାରେ ଦୁର୍ଘଟଣାରେ ଜନଜୀବନହାନୀ ରୋକିବା ନିମନ୍ତେ ସଡକ ନିରାପତ୍ତା ନିୟମ କଡାକଡି କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ରାଜ୍ୟର ପୋଲିସ ଅଧିକାରୀ ଓ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଲକ୍ଷ୍ୟଭେଦୀ କାର୍ଯ୍ୟ ଯୋଜନା ମଧ୍ୟ ପ୍ରସ୍ତୁତି କରିବାକୁ ସେ କହିଛନ୍ତି । ଆଜି ଲୋକସଭା ଭବନରେ ସଡକ ନିରାପତ୍ତା ସ୍ଥିତିର ସମୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା ।
ଏଥିରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ ସଡକ ନିରାପତ୍ତା ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିଥିଲେ । ଏହାପରେ ଜିଲ୍ଲାପାଳ ଓ ଏସ୍ପିମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ନିଜ ନିଜ ଜିଲ୍ଲାରେ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନା ଅନୁଯାୟୀ, ଜାତୀୟସ୍ତରରେ ରାସ୍ତା ଦୁର୍ଘଟଣାଜନିତ ମୃତ୍ୟୁଯୋଗୁ ପ୍ରତିବର୍ଷ ଜିଡିପିର ପ୍ରାୟ ୩.୧୪ ଶତକଡା କ୍ଷତି ହେଉଛି । ଯାହାକି ପ୍ରାୟ ୪ ଲକ୍ଷ କୋଟି ଟଙ୍କା ସହ ସମାନ । ଏଥିରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୭୬ ପ୍ରତିଶତ ୧୮ରୁ ୪୫ ବର୍ଷୀୟ ଉତ୍ପାଦନକ୍ଷମ ବ୍ୟକ୍ତି ।
ଓଡିଶାରେ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଭିତରୁ ଶତକଡା ୪୧ ଭାଗ ହେଲମେଟ୍ ନପିନ୍ଧିବା କାରଣରୁ ହୋଇଥାଏ । ସେହିପରି ୬୯ ଭାଗ ଦୁର୍ଘଟଣା ଦ୍ରୁତ ଗାଡି·ଳନା ଯୋଗୁ ଘଟୁଛି । ୨୦୧୯ରେ ପ୍ରାୟ ୨୩୯୭ ଜଣ ୨ ଚକିଆ ଯାନ ଚଳାଳି ହେଲମେଟ୍ ପିନ୍ଧିନଥିବା କାରଣରୁ ମସ୍ତିଷ୍କ ଆଘାତରେ ପ୍ରାଣ ହରାଇଛନ୍ତି । ସେହିପରି ୨୦୧୯ରେ ସମୁଦାୟ ୫୩୩୩ ଜଣ ବ୍ୟକ୍ତି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ବୋଲି କୁହାଯାଇଛି ।
୨୦୨୦ରେ କିନ୍ତୁ ଏହାର ପରିମାଣ ୧୧ ଶତକଡା ହ୍ରାସ ପାଇଛି । ଏଥିପାଇଁ ରାସ୍ତାରେ ସଡକ ଦୁର୍ଘଟଣାକୁ କମାଇବାକୁ ଯାଇ ମୁଖ୍ୟ ଶାସନ ସଚିବ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଜାତୀୟ ରାଜପଥ ଓ ଅନ୍ୟାନ୍ୟ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାଗୁଡିକ ସଂଯୋଗ ସ୍ଥାନ ପୂର୍ବରୁ ରମ୍ବଲ ଓ ସତର୍କ ସୂଚନା ଫଳକ ଲଗାଇବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।