ସଂରକ୍ଷଣ: ସବୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

164

ନୂଆଦିଲ୍ଲୀ : ଦେଶର ପଛୁଆବର୍ଗ ଓ ଗରିବଙ୍କ ପାଇଁ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ଥିବା ୫୦% ସଂରକ୍ଷଣ ସୀମାର ପୁନଃ ତର୍ଜମା ହେବ । ଦୀର୍ଘ ୩ ଦଶନ୍ଧି ଧରି ସମଗ୍ର ଦେଶରେ ୫୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଉଛି । ହେଲେ ଏବେ ସଂରକ୍ଷଣ ବ୍ୟବସ୍ଥା ଏହା ଉପରକୁ ଯିବା ଦରକାର କି ନାହିଁ, ତା’ର ଉତ୍ତର ଜାଣିବା ପାଇଁ ସୁପ୍ରିମକୋର୍ଟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଜବାବ ତଲବ କରିଛନ୍ତି ।

୧୯୯୨ ମସିହାରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସଂରକ୍ଷଣ ବ୍ୟବସ୍ଥା ଉପରେ ଶୁଣାଣି କରିଥିଲେ । କେବଳ ଅତି ଜରୁରୀ ସ୍ଥିତିକୁ ବାଦ୍ ଦେଲେ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିବ ନାହିଁ ବୋଲି କହିଥିଲେ । ଏହାର ଅର୍ଥ ସୁପ୍ରିମକୋର୍ଟ ସଂରକ୍ଷଣ ଦେବା କ୍ଷେତ୍ରରେ ଲକ୍ଷ୍ମଣରେଖା ଟାଣିଥିଲେ । ବିଗତ ୩ ଦଶନ୍ଧି ମଧ୍ୟରେ ମହାରାଷ୍ଟ୍ର ଓ ତାମିଲନାଡୁ ଭଳି ଅନେକ ସରକାର ଏହି ଲକ୍ଷ୍ମଣରେଖାକୁ ଅତିକ୍ରମ କରିଛନ୍ତି ।

ସେହିପରି ସେମାନେ ନିଜ ରାଜ୍ୟରେ ସଂରକ୍ଷଣ ବ୍ୟବସ୍ଥାକୁ ବିଭିନ୍ନ ଉପାୟରେ ୬୦%ରେ ପହଞ୍ଚାଇ ସାରିଲେଣି । ନିକଟରେ ମହାରାଷ୍ଟ୍ର ସରକାର ମରାଠାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ଏହା ୧୯୯୨ ମସିହାରେ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ସଂରକ୍ଷଣ ଲକ୍ଷ୍ମଣରେଖାକୁ ଅତିକ୍ରମ କରିଥିବାରୁ ଏହା ବିରୋଧରେ ଏକାଧିକ ପିଟିସନ୍ ସୁପ୍ରିମ୍କୋର୍ଟରେ ଆଗତ କରାଯାଇଥିଲା । ଆଜି ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ ଏଲ ନାଗେଶ୍ୱର ରାଓ, ଜଷ୍ଟିସ ଏସ୍ ଅବଦୁଲ ନଜିର, ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ଏସ୍ ରବୀନ୍ଦ୍ର ଭଟ ଏହାର ଶୁଣାଣି କରିଥିଲେ । ଖଣ୍ଡପୀଠ ଆବେଦନର ଶୁଣାଣି କରି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସଂରକ୍ଷଣ ବ୍ୟବସ୍ଥା ୫୦%ରୁ ଅଧିକ ହେବା ଦରକାର କି ନାହିଁ, ତା’ର ଜବାବ ମାଗିଛନ୍ତି ।

ସେହିପରି କେନ୍ଦ୍ର ସରକାରଙ୍କ ଇକୋନୋମିକାଲି ୱିକର ସେକସନ୍(ଇସିଡବ୍ଲ୍ୟୁ) କୋଟା ସଂଶୋଧନ ଉପରେ ମଧ୍ୟ ମତ ରଖିବାକୁ କହିଛନ୍ତି । ଖଣ୍ଡପୀଠ କହିଛନ୍ତି, ସଂରକ୍ଷଣ ସମସ୍ୟା କେବଳ ଗୋଟିଏ ରାଜ୍ୟରେ ସୀମିତ ନୁହେଁ, ତେଣୁ କୌଣସି ନିଷ୍ପତ୍ତି ନେବା ପୂର୍ବର ସବୁ ରାଜ୍ୟଗୁଡ଼ିକର ଜବାବ ଶୁଣିବାକୁ ପଡ଼ିବ । ସେହିପରି ଦରକାର ପଡ଼ିଲେ ମାର୍ଚ୍ଚ ୧୫ରୁ ଏହା ଉପରେ ନିୟମିତ ଶୁଣାଣି ମଧ୍ୟ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି ।

ଆବେଦନକାରୀ କହିଛନ୍ତି, ମରାଠା ସଂପ୍ରଦାୟଙ୍କ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ୧୨% ଓ ଶିକ୍ଷା କ୍ଷେତ୍ରରେ ୧୩% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି । ପୂର୍ବରୁ ରାଜ୍ୟରେ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ଏହା ସହ ମିଶାଇଲେ ୫୦%ରୁ ଅଧିକ ହୋଇଯାଉଛି । ତେଣୁ ଏହା ୧୯୯୨ରେ ସୁପ୍ରିମ୍କୋର୍ଟ ସଂରକ୍ଷଣ ଉପରେ ଟାଣିଥିବା ଲକ୍ଷ୍ମଣରେଖାର ଉଲ୍ଲଙ୍ଘନ । ଏହାକୁ ପ୍ରଥମେ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । କିନ୍ତୁ କୋର୍ଟ ଏହାକୁ ଯର୍ଥାଥ କହିଥିବାରୁ ଆବେଦନକାରୀ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Leave A Reply

Your email address will not be published.