ପାରାଦୀପରେ ହେବ ପ୍ଲାଷ୍ଟିକ୍ ପାର୍କ

196

-ଖର୍ଚ୍ଚ ହେବ ୧୦୬ କୋଟି

ଭୁବନେଶ୍ୱର: ୧୦୬ କୋଟି ପାରାଦୀପରେ ବିଶାଳ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ହେବ । ଆଜି ଏନେଇ ଇଣ୍ଡିଆନ ଅଏଲ୍ ଏବଂ ଇଡ୍କୋ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ପୂର୍ବରୁ ପାରାଦୀପ ସମେତ ଦେଶର ୪ଟି ସହରରେ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏବେ ଇଡ୍କୋ ପକ୍ଷରୁ ଆବଶ୍ୟକ ଜମି ଯୋଗାଇ ଦିଆଯିବା ପରେ ପ୍ଲାଷ୍ଟିକ ପାର୍କ କାମ ତ୍ୱରାନ୍ୱିତ ହେବ । ଆଜି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ପୋର୍ଟ ଓ ପେଟ୍ରୋଲ ପାରାଦୀପର ନୂଆ ପରିଚୟ । ପାରାଦୀପରେ ବିଶାଳ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ପାଇଁ ହେଲା ବୁଝାମଣା । ଆଜି ନୂଆଦିଲ୍ଲୀରେ ଇଣ୍ଡିଆନ ଅଏଲ୍ ଏବଂ ଇଡ଼୍କୋ ମଧ୍ୟରେ ୨ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ସମୟରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀଙ୍କ ପୂର୍ବଭାରତ ବିକାଶ ଯୋଜନାରେ ପାରାଦୀପରେ ଶିଳ୍ପ ସମୂହ ରାଜ୍ୟର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ପାରାଦୀପ ପୋର୍ଟଠାରୁ ମାତ୍ର ୧୦ କିଲୋମିଟର ଦୂରରେ ହେବାକୁ ଥିବା ଏହି ପ୍ଲାଷ୍ଟିକ ପାର୍କ ଓଡିଶାର ସର୍ବପ୍ରଥମ ଏବଂ ଦେଶର ଅନ୍ୟତମ ପ୍ଲାଷ୍ଟିକ ହବ୍ ହେବ । ପ୍ଲାଷ୍ଟିକ ଓ ପେଟ୍ରୋକେମିକାଲ୍ସ ରାଜ୍ୟର ଡାଉନଷ୍ଟ୍ରିମ୍ ଶିଳ୍ପର ବିକାଶ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବିଶାଳ ପ୍ଲାଷ୍ଟିକ ପାର୍କ ପାଇଁ ରାଜ୍ୟ ସରକାର ୧୨୦ ଏକର ଜମି ଯୋଗାଇ ଦେଇଛନ୍ତି । ଏହି ପାର୍କ ପାଇଁ ୧୦୬ କୋଟି ଟଙ୍କା ଖର୍ଚ୍ଚ ହେବ । ଓଡ଼ିଶାକୁ ବାହାର ରାଜ୍ୟରୁ ପ୍ଲାଷ୍ଟିକ ସାମଗ୍ରୀ ଆମଦାନି ହୋଇଥାଏ । ଏବେ ପ୍ଲାଷ୍ଟିକ ପାର୍କ ହେଲେ ପ୍ଲାଷ୍ଟିକ ଆମଦାନି ବହୁମାତ୍ରାରେ କମିବ । ଏଥିସହିତ ଏଠାରେ ବହୁସଂଖ୍ୟାରେ ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ବିଶେଷ କରି ଏଠାରେ ସିମେଣ୍ଟ ବ୍ୟାଗ୍ ଅନ୍ୟାନ୍ୟ ଘରୋଇ ପ୍ଲାଷ୍ଟିକ ସାମଗ୍ରୀ ସହିତ ଟେକ୍ସଟାଇଲ ଶିଳ୍ପ ମଧ୍ୟ ଗଢ଼ି ଉଠିବ । ପ୍ଲାଷ୍ଟିକ ଶିଳ୍ପରେ ମନୋନିବେଶ କରିବାକୁ ଚାହୁଁଥିବା ଓଡ଼ିଆ ଉଦ୍ୟୋଗୀଙ୍କ ପାଇଁ ମଧ୍ୟ ଏହା ସହାୟକ ହୋଇପାରିବ । ଓଡ଼ିଆ ଶିଳ୍ପୋଦ୍ୟୋଗୀଙ୍କୁ ଟନ୍ ପିଛା ୨ହଜାର ଟଙ୍କା ଶସ୍ତାରେ କଞ୍ଚାମାଲ ଯୋଗାଇବ ଇଣ୍ଡିଆନ ଅଏଲ ।

କେବଳ ପ୍ଲାଷ୍ଟିକ ନୁହେଁ ରାଜ୍ୟରେ ପେଟ୍ରୋକେମିକାଲ୍ ଶିଳ୍ପର ଅଧିକ ବିକାଶ ପାଇଁ ମଧ୍ୟ ଅଧିକ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇଣ୍ଡିଆନ ଅଏଲ ରାଜ୍ୟରେ ୨୬ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଜାରି ରଖିଛି । ଏବେ ବିଶୋଧନ।ଗ।ରର ଉତ୍ପାଦନ କ୍ଷମତା ୨୫ ମିଲିୟନ ଟନ୍କୁ ବୃଦ୍ଧି କରାଯିବ । ସେହିପରି ଓଡ଼ିଶାରେ ନାଫତା କ୍ରାକର ୟନିଟ୍ ପାଇଁ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଅଢ଼େଇ ହଜାର ଏକର ଜମିର ଆବଶ୍ୟକତା ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ସମୟରେ ସୂଚନା ଦେଇଛନ୍ତି । ପାରାଦୀପରେ ତୈଳ ବିଶୋଧନାଗାରର କ୍ଷମତା ବୃଦ୍ଧି ସହିତ ଏହା ସଂଲଗ୍ନ ପ୍ଲାଷ୍ଟିକ ଓ ପଲିମର ଶିଳ୍ପ ଓଡ଼ିଶାରେ କେମିତି ଦ୍ରୁତ ବିକାଶ ଲାଭ କରିବ ସେନେଇ ଇଣ୍ଡିଆନ ଅଏଲ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବ ।

Leave A Reply

Your email address will not be published.