ଭୁବନେଶ୍ୱର: ଲକ୍ଷ ଲକ୍ଷ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟି ରାତି ୯ଟା ୩୩ ସମୟରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିଛି । ନିର୍ଦ୍ଧାରିତ ସମୟ ଠାରୁ ୨୭ ମିନିଟ୍ ପୂର୍ବରୁ ମହାଦୀପ ଉଠିଛି । ଦୀପ ଉଠିବା ସମୟରେ ଭକ୍ତ ଓ ପୂଜକଙ୍କ “ହର ହର ମହାଦେବ’ ଧ୍ୱନୀରେ କମ୍ପି ଉଠିଥିଲା ଏକାମ୍ର କ୍ଷେତ୍ର । ଆଜି ଦିନତମାମ ଏକାମ୍ର କ୍ଷେତ୍ର ଶିବ ପଞ୍ଚାକ୍ଷରୀରେ ପ୍ରକମ୍ପିତ ହୋଇଥିଲା । ଗଗନ ସହ ପବନ ମିଶିଛି ।
ପବିତ୍ର ଜାଗରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଏକାମ୍ର କ୍ଷେତ୍ରକୁ ଛୁଟିଥିଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ । ଭକ୍ତି ଓ ଆବେଗରେ କିଏ ଦୀପଟିଏ ଜାଳି ଦେଇ ଗୁହାରି ବାଢ଼ୁଥିଲା ତ ଆଉ କିଏ ଲମ୍ବା ଧାଡ଼ିରେ ପ୍ରଭୁଙ୍କ ଦର୍ଶନ ପାଇଁ ଛିଡ଼ା ହୋଇ ଧୈର୍ଯ୍ୟର ପରୀକ୍ଷା ଦେଉଥିଲା । ଖରାକୁ ଖାତିର ନଥିଲା କି ଉପବାସର ଯନ୍ତ୍ରଣା ବାଧୁ ନଥିଲା । ଭୋର୍ ୩ଟାରୁ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା । ରାତି ବଢ଼ିବା ସହ ମହାଦୀପ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉକ୍ରଙଋା ବଢ଼ି ଚାଲିଥିଲା ।
ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଖି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଚୂଡ଼ାରେ ଲାଖି ରହିଥିଲା । ପୂର୍ବବର୍ଷ ୯ଟା ୪୦ରେ ମହାଦୀପ ଉଠିଥିବା ବେଳେ ଏଥର ବି ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ମହାଦୀପ ଉଠିବା କ୍ଷଣି ହରିବୋଲ ହୁଳହୁଳିରେ ଉଛୁଳିଥିଲା ଏକାମ୍ର କ୍ଷେତ୍ର । ଚଳିତବର୍ଷ ଶ୍ରୀଲିଙ୍ଗରାଜ ମନ୍ଦିର ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ସୌନ୍ଦର୍ଯ୍ୟ ନିଆରା ଅନୁଭବ ଦେଇଥିଲା । କରୋନା କଟକଣା ସତ୍ତେ୍ୱ ବି ଭକ୍ତଙ୍କ ଆଗମନ ଯଥେଷ୍ଟ ବଢ଼ିଥିଲା ।
ଶ୍ରୀଲିଙ୍ଗରାଜ ମନ୍ଦିରକୁ ଗତକାଲି ରାତିରୁ ଭକ୍ତଙ୍କ ଆଗମନ ହୋଇଥିବା ବେଳେ ରାତି ପ୍ରାୟ ୧ଟାରୁ ବହୁ ଶ୍ରଦ୍ଧାଳୁ ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ । ଭୋର୍ ୩ଟାରେ ଭକ୍ତମାନେ ମନ୍ଦିର ବେଢ଼ାକୁ ପ୍ରବେଶ କରିଥିଲେ । ପ୍ରଶାସନ ପକ୍ଷରୁ ନିର୍ମିତ ନୂତନ ଫାଇବର ସେଡ୍ ଓ ବ୍ୟାରିକେଡ୍ କରାଯାଇଥିଲା । ମହାପ୍ରଭୁଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ଭୋର ୪ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା ।