ଜଖମ ଗୋଡରେ ଦିଦିଙ୍କ ୫କିମି ରୋଡ୍ ଶୋ’ : ଘାଇଲା ବାଘୁଣୀ ବେଶୀ ଭୟଙ୍କର

175

କୋଲକାତା : ନନ୍ଦୀଗ୍ରାମରେ ର‌୍ୟାଲି ବେଳେ ଆହତ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ପ୍ରଚାର ମଇଦାନକୁ ଫେରିଛନ୍ତି । ରବିବାର ପଶ୍ଚିମବଙ୍ଗର ଦକ୍ଷିଣ କୋଲକାତାରେ ହ୍ୱିଲ ଚେୟାରରେ ବସି ରୋଡ ଶୋ’ କରିଛନ୍ତି ଦିଦି । ନନ୍ଦୀଗ୍ରାମ ର‌୍ୟାଲିରେ ହୋଇଥିବା ଦୁର୍ଘଟଣାରେ ଟିଏମ୍‌ସି ପ୍ରମୁଖ ମମତା ବାନାର୍ଜୀଙ୍କ ଗୋଡରେ ଆଘାତ ଲାଗିଥିଲା । ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରୋଡ ଶୋ’ ପରେ ହଜରାରେ ପହଞ୍ଚିବା ପରେ ମମତା ବାନାର୍ଜୀ ପୁଣିଥରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ।

ଦିଦି କହିଛନ୍ତି, ନ୍ତବିଜେପି ବେଙ୍ଗଲରେ ଶସ୍ତା ରାଜନୀତି କରୁଛି । ଜନତା ଏହାର ଜବାବ ଭୋଟ ମାଧ୍ୟମରେ ଦେବେ । ଆସନ୍ତା ନିର୍ବାଚନରେ ଟିଏମ୍‌ସି ପୁଣିଥରେ ପୂର୍ଣ୍ଣ ବହୁମତ ସହିତ କ୍ଷମତାକୁ ଫେରିବ । ସେପଟେ ଟିଏମ୍‌ସିକୁ ଆଉ ଝଟ୍‌କା ଲାଗିବାକୁ ଯାଉଛି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିତା ତଥା ଟିଏମ୍‌ସି ସାଂସଦ ଶିଶିର ଅଧିକାରୀ ଦଳ ଛାଡି ବିଜେପିରେ ସାମିଲ ହେବା ନେଇ ସୂଚନା ମିଳିଛି । ବିଜେପି ମଧ୍ୟ ଡୋର ଟୁ ଡୋର ପ୍ରଚାର ଜୋରଦାର କରିଛି । ବିଜେପି ହେଭିୱେଟ୍ ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ୨ଦିନିଆ ପଶ୍ଚିମବଙ୍ଗ ଗସ୍ତ ଥିବାରୁ ବେଙ୍ଗଲ ରାଜନୀତି ଆହୁରି ସରଗରମ ହେବାକୁ ଯାଉଛି ।

ମମତାଙ୍କ ସିକ୍ୟୁରିଟି ଡାଇରେକ୍ଟର-ଜିଲ୍ଲାପାଳ ଓ ଏସ୍ପି ନିଲମ୍ବିତ:

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନୀ ପ୍ରଚାର ବେଳେ ଆହତ ହେବା ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ । ଦିଦି ଆହତ ହେବା ପରେ ପଶ୍ଚିମବଙ୍ଗରେ ରାଜନୈତିକ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଟିଏମ୍ସି ନେତାମାନେ ନିର୍ବାଚନ ଆୟୋଗଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି । ତେବେ ଘଟଣାକୁ ନେଇ ନିର୍ବାଚନ ଆୟୋଗ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ।

ଏହା ସହିତ ନନ୍ଦୀଗ୍ରାମରେ ମମତା ବାନାର୍ଜୀଙ୍କ ଆହତ ଘଟଣାକୁ ନେଇ ଦାୟିତ୍ୱରେ ଅବହେଳା ଦର୍ଶାଇ ମମତାଙ୍କ ସିକ୍ୟୁରିଟି ଡାଇରେକ୍ଟରଙ୍କୁ ପଦରୁ ହଟାଇ ଦିଆଯାଇଛି । ଏହା ସହିତ ମେଦିନିପୁର ଜିଲ୍ଲାପାଳ ଏବଂ ଏସ୍ପିଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜିଲ୍ଲାପାଳ ବିଭୁ ଗୋୟଲଙ୍କୁ ନିଲମ୍ବନ କରାଯାଇଛି ଏବଂ ତାଙ୍କ ସ୍ଥାନରେ ମେଦିନିପୁର ଜିଲ୍ଲାପାଳ ଭାବେ ୨୦୦୫ ବ୍ୟାଚ୍ ଆଇଏଏସ୍ ସ୍ମିତା ପାଣ୍ଡେଙ୍କୁ ଦାୟିତ୍ୱ ଦିଆଯାଇଛି ।

ଏହା ସହିତ ମମତା ବାନାର୍ଜୀଙ୍କ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦର୍ଶାଇ ଇଷ୍ଟ୍ ମେଦିନିପୁର ଏସ୍ପି ପ୍ରବୀଣ ପ୍ରକାଶଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି । ପ୍ରବୀଣଙ୍କ ସ୍ଥାନରେ ୨୦୦୯ ବ୍ୟାଚ୍ର ଆଇପିଏସ୍ ସୁନୀଲ ଯାଦବଙ୍କୁ ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଛି । ସିଏମ୍ ମମତାଙ୍କ ସହ ଘଟଣାରେ ପ୍ରଶାସନର ଅବହେଳା, ନିରାପତ୍ତା ବ୍ୟବସ୍ଥା ତଥା ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପରେ ନିର୍ବାଚନ ଆୟୋଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହା ସହିତ ନିର୍ବାଚନ ଆୟୋଗ କହିଛନ୍ତି, ଭବିଷ୍ୟତରେ ନିର୍ବାଚନ ସମୟରେ ଯଦି ଏପରି ଘଟଣା ଘଟେ, ତେବେ ତୁରନ୍ତ ସେହି ଜିଲ୍ଲାର ଡିଏମ୍ ଏବଂ ଏସ୍ପିଙ୍କୁ ଦାୟିତ୍ୱରୁ ହଟାଯିବ ।

Leave A Reply

Your email address will not be published.